ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମର ବ୍ରାହ୍ମଣ ଢାମଣା ସାହିରେ ଅବସ୍ଥିତ ଜଗନ୍ନାଥ ଧର୍ମଶାଳା ମଠରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଜଗନ୍ନାଥ ଧର୍ମଶାଳା ମଠରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ବଳଭଦ୍ର ମହାପ୍ରଭୁ, ମା ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପୂଜା ପାଉଛନ୍ତି । ଏହି ମଠର ପରିଚାଳକ ଅଛନ୍ତି ବୈଷ୍ଣବ ଶ୍ରୀ ରାମ ନାରାୟଣ ଦାସ । ଏହି ମଠରେ ମହାପ୍ରଭୁ ଶ୍ରୀ ବଳଭଦ୍ର ମହାପ୍ରଭୁ, ମା ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପଣ୍ଡାମାନେ ସକାଳ ୧୦ ଘଣ୍ଟା ସମୟରେ ଦେବସ୍ନାନ ମଣ୍ଡପକୁ ପହଣ୍ଡି କରାଇ ଶଙ୍ଖ, ଘଣ୍ଟି, ମୃଦଙ୍ଗ, କାହାଳୀ ଓ ହୁଳୁହୁଳିରେ ଭକ୍ତମାନଙ୍କ ଉପସ୍ଥିତରେ ବିଜେ କରାଇଥିଲେ । ଏହାପରେ ଦିନ ୧ ଘଣ୍ଟା ସମୟରେ ଶ୍ରୀ ରାମ ନାରାୟଣ ଦାସ, ପୁରୋହିତ ସିମାଞ୍ଚଳ ଶତପଥୀ ଓ ଅନ୍ୟ ପଣ୍ଡାମାନେ ମିଳିତ ହୋଇ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । ପୁଣି ସ୍ନାନ ଶେଷରେ ମହାପ୍ରଭୁଙ୍କୁ ଗଜଧାରଣ ବେଶରେ ସଜାଇ ଥିଲେ । ଗଞ୍ଜାମ ସହରର ଶ୍ରଦ୍ଧାଳୁ ଓ ଭକ୍ତମାନେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଦର୍ଶନ କରିଥିଲେ । ଏହାପରେ ଭକ୍ତମାନେ ମହାପ୍ରଭୁଙ୍କର ଭଜନ ଓ ଗୀତ ଗାନ କରି ଅନ୍ନ ପ୍ରସାଦ ଖାଇ ମନ ଆନନ୍ଦରେ ଘରକୁ ଫେରିଥିଲେ ।
ରିପୋର୍ଟ : ତ୍ରିନାଥ ବେହେରା