ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାର ଖଲିକୋଟ ବ୍ଲକ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମପଞ୍ଚାୟତ ଅଧିନସ୍ଥ ବାଗଲପୁର ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟନ ସମାରୋହରେ ସରପଞ୍ଚ କିଛି ନିରୀହ ଲୋକଙ୍କୁ ମାଡ଼ ମାରିଥିବା ସହ ସେବା ସମବାୟ ସମିତିର ସମ୍ପାଦକଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଜି ସେବା ସମବାୟ ସମିତିର ସମ୍ପାଦକ ସୁମିତ୍ରା ପଲେଇ ଓ ଆକ୍ରମଣର ଶିକାର ହୋଇଥିବା ଅଭିରାମ ସାହୁଙ୍କ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗଞ୍ଜାମ ଏସପି ବ୍ରିିଜେଶ କୁମାର ରାଏଙ୍କୁ ସାକ୍ଷାତ କରି ତେନ୍ତୁଳିଆପଲ୍ଲୀ ସରପଞ୍ଚ ସିଲୁ ସ୍ୱାଇଁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ ଗତ କିଛିଦିନ ତଳେ ବାଗଲପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ସରପଞ୍ଚ ସିଲୁ ସ୍ୱାଇଁ ଅଯଥା କାରଣ ନେଇ ଅଭିରାମ ସ୍ୱାଇଁ (ବୃଦ୍ଧ)ଙ୍କୁ ମାଡ଼ ମାରିଥିଲେ । ଏହାର ପ୍ରତିବାଦ କରିବାରୁ ଆମକୁ ନିଆଁପାଣି ବାସନ୍ଦ କରାଯାଇଛି । ଏ ନେଇ ଖଲିକୋଟ ଥାନାରେ ଅଭିଯୋଗ ହୋଇଥିଲା । ତୁରନ୍ତ ସରପଞ୍ଚଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଦାବି କରିଥିଲେ । ଏ ନେଇ ମାଡ଼ ମାରିଥିବା ଭିଡିଓ ଭାଇରାଲ ହୋଇଥିବା ଗଞ୍ଜାମ ଏସପିଙ୍କୁ ଦେଖାଇଥିଲେ । ଅପରପକ୍ଷରେ ଗଞ୍ଜାମ ଏସପି ଶ୍ରୀ ରାଏ ସମସ୍ତ ଅଭିଯୋଗକାରୀମାନଙ୍କ ସମସ୍ତ ଅଭିଯୋଗ ଗ୍ରହଣ କରି ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ ଯେ ଏହି ଘଟଣାର ଖଲିକୋଟ ଥାନାରେ ୪ଟି ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ କରାଯାଇ ତୁରନ୍ତ ଆସାମୀମାନଙ୍କୁ ଗିରଫ କରାଯିବ । ଏନେଇ ଶ୍ରୀ ରାୟ ଖଲିକୋଟ ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା