ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଧାନ ବିହନ ବ୍ୟାପକ କଳା ବଜାର ହେଉଥିବା ଅଭିଯୋଗ ହୋଇଛି । ସେହିଥି ପାଇଁ ଜିଲ୍ଲାପାଳ ବିଭିନ୍ନ ବିହନ କେନ୍ଦ୍ର ଉପରେ ଘନ ଘନ ଚଢ଼ାଉ କରୁଥିବା ଖବର ମିଳିଛି । ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଧାନ ବିହନ ଯୋଗାଇବା ସହ ବଜାରରେ ଏହାର କଳାବଜାରୀ ରୋକିରା ନିମନ୍ତେ ଜିଲ୍ଲାପାଳ ଏକ ବୈଠକ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାନ ବିହନ ଯୋଗାଣ ସଂକ୍ରାନ୍ତ ବୈଠକରେ ଚଳିତ ବର୍ଷ ପାଇଁ ଜିଲ୍ଲାରେ ୪୭ ହଜାର କ୍ୱିଣ୍ଟାଲ ଧାନ ବିହିନ ଯୋଗାଇବାର ଲକ୍ଷ୍ୟ ରହିଛି । ୨୦୧୮ ରେ ୪୨ ହଜାର କ୍ୱିଣ୍ଟାଲ ଧାନ ବିହିନ ଲକ୍ଷ୍ୟ ଥିବାବେଳେ ଚାଷୀମାନେ ୩୯ ହଜାର କ୍ୱିଣ୍ଟାଲ ଧାନ ବିହନ କିଣିଥିଲେ । ପ୍ରଥମେ ଜିଲାରେ ଥିବା ୨୮୦ଟି ପାକ୍ସ ଓ ପରେ ୧୫୦ ପ୍ରାଇଭେଟ ଡିଲରଙ୍କୁ ଯୋଗାଇ ଦିଆଯିବ । ବର୍ତ୍ତମାନ ଜିଲ୍ଲାରେ ୩୬ ହଜାର କ୍ୱିଣ୍ଟାଲ ଧାନ ବିହନ ଗଚ୍ଛିତ ରହିଛି । ଜାତୀୟ ବିହନ ନିଗମ ୧୦ ହଜାର କ୍ୱିଣ୍ଟାଲ ଓ ପ୍ରାଇଭେଟ ଫାର୍ମରୁ ୩ ହଜାର କ୍ୱିଣ୍ଟାଲ ଧାନ ବିହନ ନେଇ ଚୁକ୍ତି ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାରର ଧାନ ବିହନ ଆବଶ୍ୟକ ହେଉଥିବାରୁ ଏହାକୁ ଯୋଗଇବା ଉପରେ ଜିଲାପାଳ ଗୁରୁତ୍ୱ ଦେବା ସହ କୃଷି ଅଧିକାରୀମାନେ ସେମାନଙ୍କ ଅଞ୍ଚଳରେ ଥିବା ଡିଲରଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଛି । ଜିଲାରେ ଥିବା ପାକ୍ସ ଓ ଡିଲରମାନେ କେତେ ପରିମାଣର ଧାନ ବିହନ ଉଠାଇଲେ ଏବଂ କେତେ ପରିମାଣର ବିହନ ଚାଷୀଙ୍କୁ ଯୋଗାଇଲେ ତାହାର ତାଲିକା ରଖିବା ସହ ଦର ତାଲିକା ମାରିବା ଉପରେ କୁହାଯାଇଥିଲା । ଏହି ବୈଠକରେ ଡିଡିଏ ମନୋଜ ବେହେରା, ଡିଆରସିସି ସୁଶାନ୍ତ କୁମାର ପଣ୍ଡା, ରାଜ୍ୟ ବିହନ ନିଗମର ଜେନେରାଲ ମ୍ୟାନେଜର ସୁବାଷ ଚନ୍ଦ୍ର ବେହେରାଙ୍କ ସମେତ ଜିଲାର ସମସ୍ତ କୃଷି ଅଧିକାରୀ ଉପସ୍ଥିତ ଥିଲେ । ବୈଠକ ପରେ ଜିଲାପାଳ ଛତ୍ରପୁରରେ ଥିବା ବିହନ କେନ୍ଦ୍ର ଉପରେ ଅତର୍କିତ ଚଢଉ କରିଥିଲେ । ଉକ୍ତ କେନ୍ଦ୍ରରେ ଦର ତାଲିକା ଟଙ୍ଗା ଯାଇନଥିବା ସହ ସେ କେତେକ ପରିମାଣର ଧାନ ବିହନ ବିକ୍ରି କରାଯାଇଛି, ତାର ହିସାବ ନଥିବାରୁ ଜିଲାପାଳ ବିରକ୍ତି ପ୍ରକାଶ କରିବା ସହ ଦୋକାନୀକୁ ତାଗିତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା