

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଏକ ଦାବି ପତ୍ର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି । ସୂଚନା ଅନୁଯାଇ ସେଥିରେ ଉଲ୍ଲେଖ ଅଛି ଯେ ଗତ ୯ ତାରିଖ ଦିନ ୧୧ କେଭି ବିଦ୍ୟୁତ ତାର ଲାଗିଯିବା ଫଳରେ ଏକ ଯାତ୍ରୀବାହୀ ବସରେ ବସିଥିବା ୧୦ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ଦରାଜପୁର ନିକଟରେ ରବିବାର ଦିନ ପ୍ରାୟ ୧ ଘଣ୍ଟା ସମୟରେ ଏହି ଘଟଣା ଘଟିଥିଲା । ମୃତକ ମାନଙ୍କ ମଧ୍ୟରେ ଜଣେ ଶିଶୁ, ୫ ମହିଳା, ୪ ପୁରୁଷ ରହିଛନ୍ତି, ସେମାନେ ହେଲେ ସନ୍ତୋଷିନୀ ସାହୁ, ବି ଏରମା, ବି ଆଚିଆମା, କେ. ସନ୍ଧ୍ୟା, ବି ମୋହିନୀ, ସି.ଏଚ ତୁଳସୀ ଆମ୍ମା, କାମରାଜୂ ରେଡ୍ଡୀ, ବି ରମିୟା, ବି ତାରିପେୟା ରେଡ୍ଡୀ ଇତ୍ୟାଦି ଏମାନଙ୍କ ଘର ଡଙ୍କଲପାଡୁ ଅଞ୍ଚଳରେ । ଗ୍ରାମ୍ୟ ରାସ୍ତାରେ ତଳକୁ ଓହଳି ରହଥିବା ୧୧ କେଭି ବିଦ୍ୟୁତ ତାର ବସର ଛାତ ଉପରେ ଲାଗିଯାଇଥିଲା ଯାହା ଫଳରେ ସଙ୍ଗେ ସଙ୍ଗେ ବସରେ ବିଦ୍ୟୁତ ପ୍ରବାହ ହୋଇ ଯାଇଥିଲା । ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟମାନେ ବଞ୍ଚିବା ପାଇଁ ମେଡିକାଲରେ ସଂଘର୍ଷ କରୁଛନ୍ତି । ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ଏବଂ ବିଦ୍ୟୁତ ନିୟମ ଅନୁଯାଇ ୧୧ କେଭି ଯାଇ ରାସ୍ତା ଠାରୁ ୬.୧ ମିଟର ରହିବା ଉଚିତ କିନ୍ତୁ ଏହା ୩.୫ ମିଟର ଉପରେ ଥିବାରୁ ଏହି ଘଟଣା ଘଟିଛି । ସାଉଥକୋ କର୍ମଚାରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏପରି ହୃଦୟ ବିଦାରକ ଘଟଣା ଘଟିଛି । ତେଣୁ ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ଅପରାଧୀଙ୍କୁ ଗିରଫ କରିବାକୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


