ଗଞ୍ଜାମ ଜିଲ୍ଲା କୁଇ ସମାଜ ତରଫରୁ ଆଦିବାସୀଙ୍କ ଉପରେ ହେଉଥିବା ପୋଲିସଙ୍କ ଅମାନୁଷିକ ନିର୍ଯ୍ୟାତନା ଓ ଆଚରଣ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କୁଇ ସମାଜ ତରଫରୁ ଆଦିବାସୀଙ୍କ ଉପରେ ପୋଲିସଙ୍କ ଅମାନୁଷିକ ନିର୍ଯ୍ୟାତନା ଓ ଆଚରଣ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଲକରେ ୨୨ ହଜାରରୁ ଅଧିକ ଆଦିବାସୀ ପରିବାର ବସବାସ କରୁଛନ୍ତି । ଆଦିବାସୀମାନେ ନିରୀହ, ସରଳ ଓ ଅଶିକ୍ଷିତ ହୋଇଥିବାରୁ ସରକାର ସେମାନଙ୍କ ବିଭାଗ ପ୍ରତି ଗୁରୁତ୍ୱ ଦେଉନଥିବାରୁ ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ ପଡି ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାସହ ସେମାନେ ଶହ ଶହ ବର୍ଷ ଧରି ବଣ ଜଙ୍ଗଲ ପାହାଡିଆ ଜାଗାରେ ବସବାସ କରି ଅତି କଷ୍ଟରେ ଚାଲୁଥିଲେ ସୁଦ୍ଧା ଅଧିକାଂଶ ଜମିର ପଟ୍ଟା ନାହିଁ । ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନ -୨୦୦୬ ବଳରେ କେତେକ ଆଦିବାସୀ ଜଙ୍ଗଲ ଜମି ପଟ୍ଟା ପାଇଥିଲେ ସୁଦ୍ଧା ସେହି ଜମି ଚିହ୍ନଟ କରି ଅଧିବାସୀମାନଙ୍କୁ ଦିଆଯାଇ ନଥିବାରୁ ଅଣ ଆଦିବାସୀ ଓ ମାଫିଆମାନେ ସେ ଜମି ଜବର ଦଖଲ କରି ଉପଭୋଗ କରୁଛନ୍ତି । ଜଗନ୍ନାଥ ପ୍ରସାଦ ଓ ବୁଗୁଡ଼ା ବ୍ଲକର ଆଦିବାସୀଙ୍କ ୫୦୦ ଏକର ଜମିକୁ ଚଞକତା କରି ବେଆଇନ ଭାବେ ରାଜସ୍ୱ ଅଧିକାରୀ ଲାଞ୍ଚନେଇ ଜଣେ ଗୁଜୁରାଟର ଜମି ମାଫିଆଙ୍କ ନାମରେ ପଟ୍ଟା କରି ଦେଇଛନ୍ତି । ଜିଲ୍ଲାରେ ଜଙ୍ଗଲ ଜମି ଗୋଷ୍ଠିଗତ ଅଧିକାର ୨୦୦୬ ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଆଦିବାସୀମାନେ ବ୍ଲକ ଠାରୁ ବହୁ ଦୂରରେ ଜଙ୍ଗଲ ପାହାଡ଼ରେ ରହୁଥିବାରୁ ସରକାରୀ କର୍ମଚାରୀମାନଙ୍କର ପ୍ରାୟ ପାଦ ପଡେ ନାହିଁ । ମଦ ମାଫିଆ ଓ ଜମି ମାଫିଆମାନେ ପୋଲିସର ସହଯୋଗରେ ଜମି ହଡପ କରୁଛନ୍ତି । ପୋଲିସମାନେ ରକ୍ଷକ ହୋଇ ଭକ୍ଷକ ସାଜି ଆମ ଗରିବ ନିରୀହ ଆଦିବାସୀ ମାନଙ୍କୁ ମଦ ରାନ୍ଧୁଛ ବୋଲି ମିଛ କେଶ କରି ଜେଲ ପଠାଉଛନ୍ତି । ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗଞ୍ଜାମ ଅଧିବାସୀମାନେ ଶୋଷଣର ଶିକାର ହୋଇ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ତେଣୁ ସେମାନଙ୍କ ଦାବୀ କରିଛନ୍ତି ଯେ –
1. ଗତ ୧୩.୬.୨୦୧୯ ରିଖରେ ଭଞ୍ଜନଗର ବ୍ଲକର କାସାକେନ୍ଦୁପଲ୍ଲୀ ଆଦିବାସୀ ଗ୍ରାମରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ ସାହୁ ପଶି ମଦ ରାନ୍ଧୁଛ ବୋଲି ୪ଜଣ ପୁରୁଷ ଓ ମହିଳା ଆଦିବାସୀଙ୍କ ନାମରେ ମିଛ କେଶ କରି ମାଡ଼ ମାରି ଜେଲ ପଠାଇଥିଲେ । ସେ ଥାନା ଅଧିକାରୀ ମିଛ କେଶକୁ ସତ କରିବା ପାଇଁ ଗତ ୩.୭.୨୦୧୯ ତାରିଖ ରାତ୍ର ୮.୩୦ ମିନଟରେ ୫ଜଣ ମଦ ବେପାରୀଙ୍କୁ ମଦ ବ୍ୟାରେଲ ଗାଁରେ ରଖିବା ପାଇଁ କାସାକେନ୍ଦୁପଲ୍ଲୀକୁ ପଠାଇଥିଲେ । ମାତ୍ର ଗ୍ରାମବାସୀ ସଜାଗ ହୋଇ ତାଙ୍କୁ ଗୋଡ଼ାଇବାରୁ ଖସି ପାଳିଆସିଲେ । ଏପରି ଜଣେ ହୀନ ଚକ୍ରାନ୍ତକାରୀ ଥାନା ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ଜିଲ୍ଲା ପ୍ରଶାସନ ଓ ଏସ୍ପିଙ୍କୁ ଭେଟି ଆଦିବାସୀ ମାନେ ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଣୁ ଆସନ୍ତା ୭ଦିନ ମଧ୍ୟରେ ଭଞ୍ଜନଗର ଥାନା ଅଧିକାରୀଙ୍କୁ ବହିଷ୍କାର ନକଲେ ଆଦିବାସୀ ମାନେ ବାଧ୍ୟ ହୋଇ ଥାନା ଆଗରେ ଧାରଣା ଦେବେ ବୋଲି କହିଛନ୍ତି ।
2. ପୋଲିସର ନିଷ୍କ୍ରିୟତା ଓ ଅପାରଗତା ଯୋଗୁଁ ଜଗନ୍ନାଥ ପ୍ରସାଦ ବ୍ଲକର ସଲପତଇଲା ଗ୍ରାମର ନିରୀହ ଅଧିବାସୀ ଗଣେଶ ମଲ୍ଲିକଙ୍କୁ ଗତ ୨୮.୪.୨୦୧୮ ତାରିଖରେ ମାଫିଆମାନେ ହତ୍ୟା କରିଥିବା ବେଳେ ଦଲକା ଗ୍ରାମର ଜିତୁ ପ୍ରଧାନଙ୍କୁ ୨୭.୮.୨୦୧୮ରେ ଅଣ ଆଦିବାସୀ ମାନେ ହତ୍ୟା କରିଥିଲେ । ଦିନକୁ ଦିନ ଆଦିବାସୀ ମାନଙ୍କ ପ୍ରତି ଅତ୍ୟାଚାର ବଢୁଥିବା ବେଳେ ପୋଲିସ ରକ୍ଷକ ବଦଳରେ ଭକ୍ଷକ ସାଜୁଛନ୍ତି । ଏଣୁ ଆଦିବାସୀଙ୍କର ପ୍ରତି ପୋଲିସ ଓ ମାଫିଆ ମାନଙ୍କର ଅତ୍ୟାଚାର ବନ୍ଦ କରାଯାଉ ।
3. ଆଦିବାସୀଙ୍କ ପିତୃପୁରୁଷ ଜମିକୁ ମାଫିଆ ମାନଙ୍କ କବଜାରୁ ମୁକ୍ତ କରାଯାଇ ଆଦିବାସୀଙ୍କ ନାମରେ ପଟ୍ଟା କରି ହସ୍ତାନ୍ତର କରାଯାଉ । ଜଙ୍ଗଲ ଜମି ଆଇନ ବଳରେ ଆଦିବାସୀ ମାନଙ୍କୁ ଦିଆଯାଇଥିଲା ବ୍ୟକ୍ତିଗତ ଜଙ୍ଗଲ ଜମିକୁ ଚିହ୍ନଟ କରାଯାଇ ଅଣ ଆଦିବାସୀ ମାଫିଆଙ୍କ ଠାରୁ ମୁକ୍ତ କରି ଆଦିବାସୀଙ୍କୁ ହସ୍ତାନ୍ତର କରାଯାଉ ।
4. ଆଗାମୀ ୭ ଦିନ ଭିତରେ ଆଦିବାସୀମାନଙ୍କୁ ନ୍ୟାୟ ନ ମିଳିଲେ ଆମେ ବାଧ୍ୟ ହୋଇ ଥାନା ଆଗରେ ଧାରଣା ଦେବୁ । ଏହି ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା