ଗଞ୍ଜାମ ଜିଲ୍ଲା ପୋଲିସର ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ସ୍ୱତନ୍ତ୍ର ଅପରାଧ ସମୀକ୍ଷା ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲିସର ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ଏକ ସ୍ୱତନ୍ତ୍ର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସ୍ଥାନୀୟ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଥାନା ଅଂଚଳର ଦାଗିି ଅପରାଧୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଜେଲରୁ ଆସିଥିବା ଅପରାଧୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଯେଉଁ ଅପରାଧୀମାନେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥାଇ ଫେରାର ହୋଇଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଏସପି ରାୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଅପରାଧର ସ୍ଥିତି କ’ଣ ଅଛି, ସେ ନେଇ ଏସପି ସମସ୍ତ ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ପୁରୁଣା ମାମଲା ଏବଂ ନୂତନ ମାମଲାଗୁଡ଼ିକର ଅନୁସନ୍ଧାନର ଦିଗ କ’ଣ ରହିଛି ପଚାରି ବୁଝିଥିଲେ । ଗଂଜାମ ପୋଲିସ ଜିଲ୍ଲାର ଥାନାର ସମସ୍ତ ୱାରେଂଟି ଗିରଫ ଗ୍ରାମଗୁଡ଼ିକରେ ପାକ ନିର୍ବାଚନୀ ହିଂସା, ଗଣ୍ଡଗୋଳ ଉପରେ ତିକ୍ଷ୍ନ ନଜର ରଖିବାକୁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଓ ଶିଶୁମାନଙ୍କୁ ନେଇ ସଂଗଠିତ ହିଂସା ମାମଲାଗୁଡ଼ିକର ତୁରନ୍ତ ସମାଧାନ କରିବା, ଟ୍ରାଫିକ ନିୟନ୍ତ୍ରଣ ନେଇ କିଞ୍ଚିତ ବି ସହନଶୀଳତା ନହେବା, ଦୁର୍ଘଟଣାରେ ମୃତ୍ୟୁହାର କମାଇବା ଉପରେ ପରାମର୍ଶ ଦେଇଥିଲେ । ଏହା ସହ ଦ୍ରୁତ ଗତିରେ ଗାଡ଼ି ଚଳାଇବା ରୋକାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ଅଭ୍ୟର୍ଥନା କକ୍ଷ ଆମ ପୋଲିସ ସମିତି ବୈଠକ, ସ୍ୱୟଂସିଦ୍ଧା, ବରିଷ୍ଠ ନାଗରିକଙ୍କୁ ସୁରକ୍ଷା, ବିନା ଲାଇସେନ୍ସରେ ଯାଉଥିବା ଦାଦନ ଶ୍ରମିକଙ୍କୁ ଥାନା ଅଞ୍ଚଳର ରେଳଷ୍ଟେସନ, ବସଷ୍ଟାଣ୍ଡଗୁଡ଼ିକ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବା ନିମନ୍ତେ କହିଛନ୍ତି । ରେଡ଼ଫ୍ଲାଗ କେସର ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ବେଆଇନ ମଦ କାରବାର ଉପରେ ନିୟମିତ ଚଢ଼ାଉ କରାଯାଇ ଅପରାଧୀମାନଙ୍କୁ ଗିରଫ କରିବାକୁ କୁହାଯାଇଛି । ଗାଁ ଗହଳିରେ ହେଉଥିବା ଅନ୍ଧବିଶ୍ୱାସ ହିଂସାକୁ ରୋକିବା, ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା, ନକଲି ଜାତିଗତ ପ୍ରମାଣଧାରୀମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଅନ୍ୟାନ୍ୟ ମାମଲା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୁରୀ ଓ ଅମରେଶ କୁମାର ପଣ୍ଡା, ଡିଏସପି ଦିଲ୍ଲୀପ କୁମାର ଦାସ, କେଶବ ଚନ୍ଦ୍ର ବେହେରା, ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀ, ପୁରୁଷୋତମପୁର ଏସଡିପିଓ ଏସ.ଟପୋ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଭଞ୍ଜନଗର ଏସଡିପିଓ ଉକ୍ରଳ କେଶରୀ ଦାସ, ଆସିଷ୍ଟାଂଣ୍ଡ କମାଣ୍ଡାଂଟ ଜିତେନ୍ଦ୍ର କୁମାର ଦେହୁରୀ, ପୋଲିସ ରିଜର୍ଭ ଇନିସପେକ୍ଟର ସୁବଳ ସୋରେନଙ୍କ ସମେତ ସମସ୍ତ ଥାନାଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା