ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀକକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା
। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୪ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିଥିବାରୁ ପୁରସ୍କୃତ କରାଯାଇଥିଲା । ଏହାସହ ହାଇସ୍କୁଲ ସ୍ତରୀୟ ବାଳିକାମାନଙ୍କୁ ନେଇ ଏହି ଦିବସ ଉପଲକ୍ଷେ ଏକ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା । ଏଥିରେ କୃତୀତ୍ୱ ଅର୍ଜନ କରିଥିବା ୧୦ ଜଣ ବାଳିକାଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ନେଇ ମତଦାନ ସମ୍ପର୍କିତ ମକଡ଼୍ରିଲ୍ କରାଯାଇଥିଲା । ଆରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶତାଧିକ ଅଙ୍ଗନବାଡ଼ି କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରିବା ସହ ନାରୀ ସଶକ୍ତିକରଣ ବାର୍ତ୍ତା ଦେଇ ସମ୍ମିଳନୀ କକ୍ଷରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ସିଡ଼ିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଡ଼ିପିଏମ୍ ଅରୁଣ ନାୟକଙ୍କ ସମେତ ବହୁ ସିଡ଼ିପିଓ ମାନେ ଯୋଗଦେଇ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା