ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଇତିମଧ୍ୟରେ ଅଷ୍ଟ୍ରେଲିଆ ଠାରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରୋତ୍ତୋଳନ କ୍ଷେତ୍ରରେ ଭାରତରୁ ଅଂଶ ଗ୍ରହଣ କରିଥିବା ଭକ୍ତରାମ ଜ୍ୟେଷ୍ଠି ୪୯ କେଜି ବର୍ଗରେ ୧୮୫ କେଜି ଓଜନ ଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦପ ପାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ କୁସ୍ତି ସଂଘ ପକ୍ଷରୁ ସ୍ଥାନୀୟ ରେଭିନ୍ୟୁ ଆଇବି ସମ୍ମିଳନୀ କକ୍ଷରେ କ୍ରୀଡ଼ାବିତ ସ୍ୱର୍ଣ୍ଣପଦକ ବିଜେତା ଜ୍ୟେଷ୍ଠିଙ୍କ ସହ ତାଙ୍କ ପ୍ରଶିକ୍ଷକ ସୀତା ଜେନାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉଭୟଙ୍କୁ ମାନପତ୍ର, ଉପଢ଼ୌକନ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବକ୍ତାମାନେ ସେମାନଙ୍କ ଭୂୟସୀ ପ୍ରଶଂସା କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା । ସଂଘ ପକ୍ଷରୁ ସ୍ଥାନୀୟ ଜିଲା ସଭାପତି ତଥା ରାଜ୍ୟ ଉପସଭାପତି କୁମୁଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଂଘ କର୍ମକର୍ତ୍ତାଙ୍କ ଅକୁଣ୍ଠ ସହଯୋଗ ଓ ପ୍ରେରଣା ଯୋଗୁଁ ଆଜି ଏହି ସଫଳତା ହାସଲ ହୋଇପାରିଛି ବୋଲି ଉଭୟ ଜ୍ୟେଷ୍ଠ ଓ ଜେନା ସମ୍ବର୍ଦ୍ଧନାର ଉତ୍ତର ରଖିଥିଲେ । ରାଜ୍ୟ ସମ୍ପାଦକ ଶ୍ରୀ ସାହୁ ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ କ୍ଷେତ୍ରରେ ଏନ୍ତୁଡ଼ିଶାଳ ବୋଲି କହିବା ସହ ଏହି ପ୍ରକ୍ରିୟାକୁ ଆଗାମୀ ଦିନରେ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ବକ୍ତାମାନେ ବ୍ରହ୍ମପୁର ଠାରେ ଇଣ୍ଡୋର ଷ୍ଟାଡିୟମ, କ୍ରୀଡ଼ା ଏକାଡେମୀ ଗଠନ ସହ ଜିଲା ଭାରୋତ୍ତୋଳନସଂଘର ଏକ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସରକାରଙ୍କ ସହଯୋଗ କାମନା କରିଥିଲେ । ଆସନ୍ତା ୨୫ ତାରିଖରେ ଜିଲା ଭାରୋତ୍ତୋଳନ ସଂଘର ବାର୍ଷିକ ପ୍ରତିଯୋଗିତା ଗୋଷାଣୀ ନୂଆଗାଁସ୍ଥିତ ଶଙ୍କର ମଠ ଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲାର ବିଭିନ୍ନ ବ୍ୟାୟାମ କେନ୍ଦ୍ର ଏଥିରେ ଅଂଶ ଗ୍ରହଣ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ନାରାୟଣ ସାହୁ,ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଜିଲା ସମ୍ପାଦକ ଗାଗାରିନ ନାୟକ, ଜିଲା କାର୍ଯ୍ୟକାରୀ ସଭାପତିସଚ୍ଚିଦାନନ୍ଦ ଦାଶ, କୋଷାଧ୍ୟକ୍ଷ ଶୂନ୍ୟଚନ୍ଦ୍ର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା କ୍ରୀଡ଼ାଧିକାରୀଅକ୍ଷୟ ପଟ୍ଟନାୟକ, ରମେଶ ଚନ୍ଦ୍ର ପାଢ଼ୀ, ଏସ. ରାମାରାଓ, ରମେଶ ଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଉଦୟ ନାଥ ସେଠୀପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଭାରତ ବର୍ଷର ବର୍ଷିୟାନ ମହିଳା ନେତ୍ରୀ ସ୍ୱଷମା ସ୍ୱରାଜଙ୍କବିୟୋଗରେ ସଂଘ ପକ୍ଷରୁ ଶୋକ ପ୍ରସ୍ତାବ ଆଗତ କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା