ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରି କୋଭିଡ୍ -୧୯ର ମୁକାବିଲାରେ କାର୍ଯ୍ୟରତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆୟୁଷ ଡାକ୍ତରମାନଙ୍କୁ ସରକାରଙ୍କ ଅଣଦେଖା ଯୋଗୁଁ ସମସ୍ତ ଆୟୁଷ ଡାକ୍ତର ମାନଙ୍କୁ ନିରୂତ୍ସାହିତ କରିଥିବା ଅଭିଯୋଗ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକାଙ୍କ ନିର୍ଦ୍ଦେଶ ଅନୁସାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ମାନେ ପ୍ରଥମେ ବିଦ୍ୟାଳୟ ଏବଂ ଛାତ୍ରାବାସକୁ ଯାଇ ସେଠାରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ୍-୧୯ ରୋଗର ସଂକ୍ରମଣରୁ କିପରି ରକ୍ଷାପାଇବେ ସେନେଇ ସଚେତନତା ସୃଷ୍ଟି କରାଇବା ସହ ସେମାନଙ୍କ ଭୂମିକା ପ୍ରଶଂସନୀୟ ରହିଛି ।ରାଜ୍ୟ ସରକାରଙ୍କ ପକ୍ଷରୁ ତାଲାବନ୍ଦ ଘୋଷଣା ବେଳେ ଏହି ଆୟୁଷ ଡାକ୍ତରଙ୍କୁ ସରକାର କୋଭିଡ୍-୧୯ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଯେମିତିକି ବିମାନ ବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍, ରାଜ୍ୟର ସୀମାନ୍ତବର୍ତ୍ତୀରେ ଥିବା ସମସ୍ତ ଫାଟକରେ ପ୍ରବାସୀ ଓଡିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସଂଘରୋଧ ଗୃହରେ ଥିବା ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଅଳ୍ପ ପରିମାଣର ରକ୍ଷାକାରି ସଂରଜାମରେ ସମ୍ପାଦନ କରିଛନ୍ତି ।ଖୁସିର ବିଷୟ ଏହିକି ଯେ,ଏହି ଆୟୁଷ ଡାକ୍ତର ମାନେ ଆଜି ପର୍ଯ୍ୟନ୍ତ ସରକାରଙ୍କ ଦ୍ବାରା ଦିଆଯାଇଥିବା କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ ଏତେସବୁ କାର୍ଯ୍ୟ କଲା ପରେ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଆୟୁଷ ଡାକ୍ତରଙ୍କୁ ସରକାର ଘୋଷଣା କରିଥିବା କୌଣସି ପ୍ରକାର ସୁବିଧା ଦିଆଯାଉ ନାହିଁ । ରାଜ୍ୟ ସରକାର, ସ୍ୱାସ୍ଥ୍ୟ ସେବାରେ ଥିବା ଏଲୋପାଥିକ୍ ଡାକ୍ତର, ନିୟମିତ ଆୟୁଷ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଅଗ୍ରିମ ଚାରିମାସର ଦରମା ପ୍ରଦାନ କରିଥିବା ବେଳେ, ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତରଙ୍କୁ, ଏଥିରୁ ବଂଚିତ କରାଯାଇଛି । ସେହିପରି ସରକାର, କୋଭିଡ୍ ଯୋଦ୍ଧାଙ୍କ ପାଇଁ ଘୋଷଣା କରିଥିବା ଜୀବନ ବୀମାରେ ଏମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି କି ନାହିଁ, ତାହା ମଧ୍ୟ ସଂଦେହ ଘେରରେ ରହିଛି । ଆଜି ରାଜ୍ୟର ବିଭିନ୍ନ ସୀମାନ୍ତବର୍ତ୍ତୀ ଫାଟକ, ସଂଘରୋଧ ଗୃହ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍, ବିମାନ ବନ୍ଦର, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟ କରୁଥିବା ଶତକଡା ୯୯ ଭାଗ ଡାକ୍ତର ହେଉଛନ୍ତି ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆୟୁଷ ଡାକ୍ତର। କିନ୍ତୁ ଦୁଃଖର ବିଷୟ, ରାଜ୍ୟ ସରକାର, ଏହି ଡାକ୍ତର ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ରାଜ୍ୟ ସରକାର କୋଭିଡ୍-୧୯ ମହାମାରିର ମୁକାବିଲା ପାଇଁ ଅଭିଜ୍ଞତା ନଥିବା, ନୂତନ ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତରଙ୍କୁ ଦୌନିକ ୨୨୦୦(ମାସିକ ୬୬,୦୦୦ )ଟଙ୍କା ରଖିଛନ୍ତି କିନ୍ତୁ ଅନେକ କ୍ଷେତ୍ରରେ ଅଭିଜ୍ଞତା ଥିବା ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତରଙ୍କୁ ଗୋଟିଏ ନିୟମିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ କମ୍ ଦରମା ଦେଇ ଅପମାନିତ କରିଛନ୍ତି ବୋଲି ସେମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଦୀର୍ଘ ଛ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ, ଏହି ଆୟୁଷ ଡାକ୍ତର ମାନେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଉଦ୍ଦିଷ୍ଟ କାର୍ଯ୍ୟ ଛଡା, ପୁଷ୍ଟିକର ଦିବସ, ଟିକାକରଣ, ଯକ୍ଷ୍ମା ରୋଗ, କୁଷ୍ଠ ନିରାକରଣ, ମ୍ୟାଲେରିଆ ନିରାକରଣ, ବାତ ଜ୍ୱର,ମାନସିକ ରୋଗ ,ଜାତୀୟ କୃମି ନାଶକ ଦିବସ, ବିଭିନ୍ନ ମହାମାରି ଓ ପ୍ରାକୃତିକ ବିପର୍ଯ୍ୟୟରେ ସରକାରଙ୍କୁ ସହଯୋଗ କରିଆସୁଥିଲେ ସୁଧା ସରକାର ଏମାନଙ୍କୁ ସାବତ ପୁଅ ଭଳି ବ୍ୟବହାର କରି ଏମାନଙ୍କ ମନୋବଳକୁ ଭାଙ୍ଗି ଦେଇଛନ୍ତି ଏବଂ ଏମାନଙ୍କୁ ଅନ୍ଧକାରରେ ଠେଲି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏହି ଆୟୁଷ ଡାକ୍ତର ମାନଙ୍କୁ କରୋନା ପ୍ରୋତ୍ସାହନ ରାଶି ଦୈନିକ ୧୫୦୦ ଟଙ୍କା ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରି ଥିଲେ ସୁଦ୍ଧା ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ ଉଦବେଗ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ସଂଘ ତରଫରୁ ଉପରୋକ୍ତ ସମସ୍ତ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଆଜି ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା