

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଂଚଳର କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ସମସ୍ତ କର୍ମଚାରୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରାଥମିକ ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲାରୁ ଗତକାଲି ରାତିରେ ୭ ଟି ଟ୍ରକରେ ରିଲିଫ୍ ସାମଗ୍ରୀ ଛତ୍ରପୁରରୁ ଭୂବନେଶ୍ୱର ପଠାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିଭଳି ଜିଲ୍ଲାର ବିଭିନ୍ନ ବେସରକାରୀ ସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଠାରୁ ଆରମ୍ଭ କରି କିଛି କମ୍ପାନୀ ପକ୍ଷରୁ ମଧ୍ୟ ବାତ୍ୟା ବିପନ୍ନମାନଙ୍କ ପାଇଁ ମହମବତୀ, ଚୁଡ଼ା, ଗୁଡ଼, ବିସ୍କୁଟ, ପାଣିବୋତଲ ସହ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ସେହିପରି ଛତ୍ରପୁର ଆଥେଲେଟିକ୍ ଆସୋସିଏସନ ପକ୍ଷରୁ ମଧ୍ୟ ୨୧ ହଜାର ଟଙ୍କା ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏଥିରେ ସମାଜସେବୀ ଏରାବଣା ରାଓ,ସୁବର୍ଣ୍ଣମାଳା ବିଷୋୟୀ,ସୁନୀତା ପାତ୍ର,ଅନୀତା ମିଶ୍ର,ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଛତ୍ରପୁରର ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ୧ହଜାର ପାଣିବୋତଲ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



