ଗଞ୍ଜେଇ ଧରି ଯାଉଥିବା ଏକ କାର୍‌ ଧକ୍କା ଦେଇ ୨ଟି କ୍ୟାବିନ କଲା ନଷ୍ଠ : କ୍ୟାବିନ ମାଲିକଙ୍କ କ୍ଷତି ପୂରଣ ଦାବୀ

ବାଲେଶ୍ୱର(ସମୃଦ୍ଧ ଓଡିଶା)ଗଞ୍ଜେଇ ଧରି ଯାଉଥିବା ଏକ କାର୍‌ ଧକ୍କା ଦେଇ ଦୁଇଟି କ୍ୟାବିନକୁ ଚୂରମାର କରିଦେଇଛି I ଏହାର ପ୍ରତିବାଦରେ କ୍ୟାବିନ ମାଲିକଙ୍କ କ୍ଷତି ପୂରଣ ଦାବୀ କରିଛନ୍ତି I ଘଟଣାଟି ହେଉଛି ଯେ, ଗଞ୍ଜେଇ ବୋଝେଇ ଏକ ଗାଡ଼ି ଧକ୍କାରେ ଦୁଇ କ୍ୟାବିନ ଭାଙ୍ଗିରୁଜି ଗଲା । ରାତି ଅଧରେ ଏହି ଗାଡ଼ି ଗଞ୍ଜେଇ ଧରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ଫଳରେ ଗାଡି ଓ ଗଞ୍ଜେଇ ଛାଡ଼ି ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି। ଏହା ରାତିରେ ଘଟିଥିବା ବେଳେ ଲୋକେ ସକାଳୁ ଏପରି ଘଟଣା ଦେଖି ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି କ୍ୟାବିନ ମାଲିକ । ଏପରି ଏକ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ଶାତଶୂଳିଆ ନିକଟରେ ଘଟିଛି।ଏକ ଗଞ୍ଜେଇ ବୋଝେଇ କାର୍‌ ଗତ ରାତିରେ କମର୍ଦା ଥାନା ଅଞ୍ଚଳରେ ପ୍ରବେଶ କରିଥିବା ବେଳେ ଶାତଶୂଳିଆ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦ୍ରୁତ ଗତିରେ ଯାଉଥିବା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ୨ଟି କ୍ୟାବିନରେ ଧକ୍କା ହୋଇଛି। ଫଳରେ କ୍ୟାବିନ ଦୁଇଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଛି। ଏହାଦେଖି କାର୍‌ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ଦୁର୍ଘଟଣା ସମ୍ପର୍କରେ ସମ୍ପୃକ୍ତ ଦୁଇ କ୍ୟାବିନ ମାଲିକଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚି ନିଜ ଦୋକାନ ଦେଖି ମୁଣ୍ଡରେ ହାତ ଦେଇଛନ୍ତି। ଏନେଇ ସେମାନେ ଲିଖିତ ଭାବେ କମର୍ଦା ଥାନାରେ ଅଭିଯୋଗ କରିଛନ୍ତି।ଖବର ପାଇ କମର୍ଦା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ସହ ଗାଡ଼ିକୁ ଜବତ କରି ଥାନାକୁ ନେଇଛି। ଗାଡ଼ିରେ ପ୍ରାୟ ୨୦ କେଜିରୁ ଅଧିକ ଗଞ୍ଜେଇ ଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି।ଗାଡ଼ିରୁ ଭୁବନେଶ୍ୱର ଖଣ୍ଡଗିରିର ଏକ ପେଟ୍ରୋଲ ପମ୍ପର ବିଲ୍‌ ରହିଛି। ଉକ୍ତ ବିଲ୍‌ରେ ୧୮ଶହ ଟଙ୍କାର ତେଲ ପକା ଯାଇଥିବା ଜଣାଯାଇଛି। ତେଣୁ ଗାଡ଼ିଟି ଓଡ଼ିଶାର ହୋଇଥିବା ବେଳେ ତାହା ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଅନୁମାନ କରାଯାଉଛି। ତେବେ ଗାଡ଼ିଟି କେଉଁଠୁ ଗଞ୍ଜେଇ ଆଣୁଥିଲା ଓ ତାହା କେଉଁଠିକୁ ଯାଉଥିଲା ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯାଇ ତୁରନ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୋଲିସ୍‌ କହିଛି।ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରୀ ରଖିଛି I