ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଆଲୋକମାଳାରେ ଝଲସୁଛି ମନ୍ଦିରମାଳିନୀ ସହର ଭୁବନେଶ୍ୱର। ଆଜି ପ୍ରବାସୀ ଭାରତୀୟ ଦିବସ ସାଂସ୍କୃତିକ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହୋଇଛି ନୃତ୍ୟ ନାଟିକା “ଗାଥା ଓଡ଼ିଶାର : ବନ୍ଦେ ଉତ୍କଳ ଜନନୀ”।ଓଡ଼ିଆ ଅସ୍ମିତାକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏହି ନୃତ୍ୟ ନାଟିକା ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ. ଜୟଶଙ୍କର ଦୀପ ପ୍ରଜ୍ଵଳନ କରି ଆଜିର ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ନେଇ ପ୍ରସ୍ତୁତ ହୋଇଥିଲା “ଗାଥା ଓଡ଼ିଶାର” ନୃତ୍ୟ ନାଟିକା। ପ୍ରାଚୀନ ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଇତିହାସ, କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବା ପର୍ଯ୍ୟନ୍ତ ଓଡ଼ିଶାର ଏହି ଗୌରବମୟ ଗାଥାକୁ “ଗାଥା ଓଡ଼ିଶାର” ନୃତ୍ୟ ନାଟିକା ମାଧ୍ୟମରେ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା। ଏଥି ସହିତ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା, ପର୍ବପର୍ବାଣୀ ଆଦିକୁ ନୃତ୍ୟଶିଳ୍ପୀମାନେ ମୁକ୍ତାକାଶ ମଞ୍ଚରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରିଥିଲେ ଯାହା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ନୃତ୍ୟନାଟିକାରେ ଆଧୁନିକ ଓଡ଼ିଶାର ଶିଳ୍ପ, ସ୍ଥାପତ୍ୟ, ହସ୍ତତନ୍ତ, ବୟନଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ନାରୀ ସଶକ୍ତିକରଣ ଏବଂ ଓଡ଼ିଶାର ନିର୍ମାଣରେ ମହିଳା ମାନଙ୍କର ଭୂମିକାକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ବସୁଧୈବ କୁଟୁମ୍ବକମ୍ ର ବାର୍ତ୍ତା ପ୍ରଦାନ କରୁଥିବା ଏହି ନୃତ୍ୟନାଟିକାରେ ପ୍ରାୟ ୩୫୦ ନୃତ୍ୟ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଗାଥା ଓଡ଼ିଶାର ନୃତ୍ୟ ନାଟିକା ମାଧ୍ୟମରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ. ଜୟଶଙ୍କର ମତପ୍ରକାଶ କରିଥିଲେ। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ, ଗାଥା ଓଡ଼ିଶାର ନୃତ୍ୟ ନାଟିକାଟି ଆଠଟି ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶାର ଲୋକନୃତ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିଲା। ଗୁରୁ ଡ଼. ଅରୁଣା ମହାନ୍ତି ଏହି ନୃତ୍ୟନାଟିକାର କୋରିୟୋଗ୍ରାଫି କରିଥିଲେ।
ରିପୋର୍ଟ : ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ