ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ରାଜ୍ୟ ରକ୍ତ ଭଣ୍ଡାର କର୍ମଚାରୀ ଙ୍କ ଅନଶନ

ଭୁବନେଶ୍ୱର(ଆକାଶ ମିଶ୍ର) – ଅକ୍ଟୋବର୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ରାଜ୍ୟ ରକ୍ତ ଭଣ୍ଡାର କର୍ମଚାରୀମାନେ ଦାବି ପୂରଣ ଲାଗି ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଅନଶନରେ ବସିବେ ।ଆସନ୍ତା ମଙ୍ଗଳବାର ଠାରୁ ସମସ୍ତ ୫୫ଟି ସରକାରୀ ରକ୍ତଭଣ୍ଡାରର କର୍ମଚାରୀ ପ୍ରତିବାଦ ସ୍ୱରୂପ କଳାବ୍ୟାଚ ପିନ୍ଧିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଘୋଷଣା କରିଛନ୍ତି ।ସଂଘର ସଭାପତି ଅନିଲ କୁମାର ମହାନ୍ତି କହିଛନ୍ତି ଯେ ରାଜ୍ୟର ୫୫ଟି ରକ୍ତଭଣ୍ଡାର ସରକାରୀ ମାନ୍ୟତା ପାଇଥିଲେ ମଧ୍ୟ ଏଥିରେ କାର୍ଯ୍ୟରତ ପ୍ରାୟ ୧୮୦ ଜଣ ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ନିଯୁକ୍ତି ନିମନ୍ତେ ବାରମ୍ବାର ଅନୁରୋଧ କରି ନିରାଶ ହୋଇଛନ୍ତି ।ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ରକ୍ତଭଣ୍ଡାର କର୍ମଚାରୀମାନଙ୍କର ଯୁକ୍ତିଯୁକ୍ତ ଦାବି ପୂରଣ କରିନଥିବାରୁ ସେମାନେ ବାଧ୍ୟ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଲୋୟର ପିଏମଜିଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବାକୁ ବାଧ୍ୟ ହେଉଛନ୍ତି ।ଉକ୍ତ ଦିନରେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ଥିବା ରକ୍ତଭଣ୍ଡାରର କର୍ମଚାରୀମାନେ ଏହି ଧାରଣା କାର୍ଯ୍ୟକ୍ରମରେ ସାମିଲ ହେଉଥିବାରୁ ରକ୍ତ ପାଇଁ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ସେଥିଲାଗି କେବଳ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି ।ସ୍ୱାସ୍ଥ୍ୟ ସେବାରେ ରକ୍ତ ସଞ୍ଚାରଣ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅସ୍ତ୍ରୋପଚାର ଠାରୁ ଆରମ୍ଭ କରି ବିଭିନ୍ନ ଚିକିତ୍ସାରେ ରକ୍ତର ଆବଶ୍ୟକତା ପଡ଼ିଥାଏ । ରକ୍ତର କୌଣସି ବିକଳ୍ପ ନଥିବାରୁ ଏହା ଔଷଧ ଦୋକାନ କିମ୍ବା ଖୋଲା ବଜାରରୁ କିଣାଯାଇ ପାରେନାହିଁ ।ରକ୍ତ ଭଣ୍ଡାରର କର୍ମଚାରୀମାନେ ବହୁ ଶ୍ରମ ସ୍ୱୀକାର କରି ବିଭିନ୍ନ ସ୍ଥାନକୁ ଯାଇ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରିବା ସହିତ ତାହାକୁ ରକ୍ତ ଭଣ୍ଡାରରେ ସାଇତି ରଖି ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଯୋଗାଇ ସେମାନଙ୍କ ଅମୂଲ୍ୟ ଜୀବନ ରକ୍ଷା କରିଥାନ୍ତି ।କିନ୍ତୁ ଦୁର୍ଭାଗ୍ୟର ବିଷୟ ରକ୍ତ ସଂଗ୍ରହ, ସଂରକ୍ଷଣ, ପରୀକ୍ଷା ଓ ବିତରଣ ଭଳି ଗୁରୁତ୍ୱପୂର୍ଣ୍ଣ ଜୀବନ ରକ୍ଷାକାରୀ କାର୍ଯ୍ୟରେ ନିୟୋଜିତ ରକ୍ତ ଭଣ୍ଡାରର କର୍ମଚାରୀମାନେ ସବୁଠାରୁ ଅବହେଳିତ ହୋଇ ରହିଛନ୍ତି ।ଏହି ରକ୍ତଭଣ୍ଡାରଗୁଡ଼ିକରେ କାମ କରୁଥିବା କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉନାହିଁ । ଏମାନେ ନାମମାତ୍ର ପାରିଶ୍ରମିକରେ ବର୍ଷ ବର୍ଷ ଧରି ଏକ ପ୍ରକାର ଗୋତି ଶ୍ରମିକ ଭଳି ଖଟୁଛନ୍ତି ।ଅତ୍ୟନ୍ତ ବିପଦପୂର୍ଣ୍ଣ ବାତାବରଣରେ ସେମାନେ ଏଡ୍ସ ସମେତ ବିଭିନ୍ନ ପରୀକ୍ଷା କରିବା ଓ ସଂଗ୍ରହ କରୁଥିବା ରକ୍ତରୁ ସେମାନଙ୍କୁ ବିଭିନ୍ନ ରୋଗ ସଂକ୍ରମଣ କରିବାର ଆଶଙ୍କା ରହିଥିଲେ ମଧ୍ୟ ଏହି କର୍ମଚାରୀମାନଙ୍କୁ ରିସ୍କ ଆଲାଉନ୍ସ ଓ ନିୟମିତ ସରକାରୀ କର୍ମଚାରୀଙ୍କ ହାରରେ ବେତନ ମିଳୁନାହିଁ ।ଏମାନେ ଦିନରାତି ୨୪ ଘଣ୍ଟା ଯେକୌଣସି ଜରୁରୀ ପରିସ୍ଥିତି ସମୟରେ ରକ୍ତ ଯୋଗାଣ କାର୍ଯ୍ୟ କରୁଥିବା ବେଳେ ଡାକ୍ତରଖାନା ପରିସରରେ ଏମାନଙ୍କୁ ବି ସରକାରୀ ବାସଗୃହ ଦିଆଯାଉନାହିଁ ।ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯଥା:- ଜନନୀ ଶିଶୁ ସୁରକ୍ଷା ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଓ ସରକାରୀ ନୀତି ଅନୁଯାୟୀ ଥାଲାସେମିଆ ରୋଗୀମାନଙ୍କୁ ମାଗଣାରେ ରକ୍ତ ଯୋଗାଇବା ଭଳି ଗୁରୁଦାୟିତ୍ୱ ଏହି ରକ୍ତ ଭଣ୍ଡାରର କର୍ମଚାରୀମାନେ ସମ୍ପାଦନ କରୁଛନ୍ତି ।ରକ୍ତ ଭଣ୍ଡାରରେ ରକ୍ତ ସଂଗ୍ରହ, ସଂରକ୍ଷଣ ଓ ପରୀକ୍ଷା ନିରୀକ୍ଷା ସହିତ ଦୂରଦୂରାନ୍ତରେ ଅନୁଷ୍ଠିତ ରକ୍ତଦାନ ଶିବିରଗୁଡ଼ିକୁ ଯାଇ ଏମାନେ ବି ରକ୍ତ ସଂଗ୍ରହ କରିଥାନ୍ତି ।ଏ ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ରକ୍ତ ଭଣ୍ଡାର କର୍ମଚାରୀ ସଂଘ ତାହାର ସମସ୍ତ ୬ ଦଫା ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଆଉଥରେ ସୂଚାଇ ଦେଇ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରର କର୍ମଚାରୀମାନେ ମିଳିତ ଭାବେ ଲୋୟର ପିଏମଜିଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସମ୍ପାଦକ ରମଣୀରଞ୍ଜନ ଗଡ଼ନାୟକ, ଉପସଭାପତି ବସନ୍ତ କୁମାର ବେହେରା, ଅକ୍ଷୟ କୁମାର ଜେନା, ରୁଦ୍ର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।