




ଗୋପାଳପୁର (ସମୃଦ୍ଧ ଓଡିଶା) ଗତକାଲି ସକାଳେ ଗୋପାଳପୁର ସମୁଦ୍ର କୂଳରେ କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ପୂର୍ବେ ଓଡ଼ିଆ ସାଧବ ପୁଅ ମାନେ ଏହି ମାସରେ ସାତ ସମୁଦ୍ର ପାରି ହୋଇ ବ୍ୟବସାୟ ବାଣିଜ୍ୟ କରିବା ପାଇଁ ଇଣ୍ଡୋନେସିଆ, ଜାଭା, ସୁମାତ୍ରା ଯାଉଥିଲେ । ଏହି ସମୟରେ ସେମାନଙ୍କ ଶୁଭ କାମନା କରି ସେମାନଙ୍କ ବନ୍ଦାପନା କରି ବିଦାୟ ଦେଉଥିଲେ । ଏହି ଉତ୍କଳୀୟ ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ ଏହି ଦିନକୁ ପାଳନ କରିଥାନ୍ତି । ଗୋପାଳପୁର ସମୁଦ୍ର, ଋଷିକୂଲ୍ୟା ନଦୀ ସମେତ ବ୍ରହ୍ମପୁର ସହର ସ୍ଥିତ ବିଭିନ୍ନ ପୋଖରୀ ମାନଙ୍କରେ ପ୍ରାତଃ ସମୟରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କଦଳୀ ପଟ ଓ ସୋଲରେ ନିର୍ମିତ ଡ଼ଙ୍ଗାରେ ପାନ, ଗୁଆ ଥୋଇ ଦୀପ ଜାଳି ବୋଇତକୁ ବନ୍ଦାପନା କରି ଭସାଇଥିଲେ । ଗୋପାଳପୁର ସମୁଦ୍ରକୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋକେ ଡ଼ଙ୍ଗା ଭସାଇବା ପାଇଁ ଆସିଥିଲେ । ସେହିଭଳି ଆଜି ପବିତ୍ର କାର୍ତ୍ତିକ ମାସ ଶେଷ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଭକ୍ତ ଓ ହବିଷ୍ୟାଳୀମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମାସସାରା ବ୍ରତ ପାଳନ କରିଥିବା ବେଳେ ଗତକାଲି ଏଠାରେ ଦାନପୁଣ୍ୟ କରିଥିଲେ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ୍ ମୁତୟନ ହୋଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା




