ଗୋଷାଣିନୂଆଗାଁ ପୋଲିସକୁ ଏକ ବଡ଼ଧରଣର ସଫଳତା:୫ ଜଣ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଷାଣିନୂଆଗାଁ ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି । ଗତ ବୁଧବାର ଦିନ ଏକ ବଡଧରଣର ଡ଼କାୟତି ଯୋଜନାକୁ ରୋକିବାରେ ସଫଳ ହୋଇପାରିଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପେଟ୍ରୋଲିଂ ଏବଂ ଅପରାଧିଙ୍କ ବିରୋଧରେ ସ୍ୱତନ୍ତ୍ର ଡ଼୍ରାଇଭ ଚାଲିଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ଗୋଷାଣିନୂଆଗାଁ ଏସଆଇ ଜ୍ୟୋତିରଞ୍ଜନ ବେହେରା ଥାନା ଟିମ୍ ସହ ୧୬ ନମ୍ବର ଜାତୀୟ ରାଜପଥରେ ରାତିରେ ପେଟ୍ରୋଲିଂ କରିବା ସମୟରେ ଏକ ଡ଼କାୟତ ଦଳ ସଂପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇ ଗୋଷାଣିନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନ୍ ଙ୍କୁ ସୂଚନା ଦେଇଥିଲେ । ଥାନା ଅଧିକାରୀଙ୍କ ନେତୃତ୍ୱରେ ଟିମ୍ ଚଢଉ କରି ହଳଦିଆପଦର ଫ୍ଲାଇ ଓଭରବ୍ରିଜ୍ ଠାରେ ୫ଜଣ ଡ଼କାୟତ ଏକ ମଦ ଦୋକାନରୁ ଡ଼କାୟତି ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ଟିମ୍ ସେମାନଙ୍କୁ ଧରିଥିଲେ । ଘଟଣା ସ୍ଥଳରୁ ୫ ଡ଼କାୟତ ତଥା ବଡ଼ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ନଗର ଅଂଚଳର ଭବାନୀ ଶଙ୍କର ପାଢୀ, ଉକ୍ରଳ ସିନେମା ହଲ୍ ଅଂଚଳର ସୁଜିତ କୁମାର ସାହୁ, ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁରର ପ୍ରଶାନ୍ତ କୁମାର ସାହୁ, ଶରତ ସାହୁ, ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଏକ ପିସ୍ତଲ, ଦୁଇ ରାଉଣ୍ଡ୍ ଜୀବନ୍ତ ଗୁଳି, ଦୁଇଟି ଅଫୁଟା ବୋମା, ତିନୋଟି ଖଣ୍ଡା, ମୋବାଇଲ୍ ଫୋନ୍ ସମେତ ନଗଦ ୪୮୦ ଟଙ୍କା ଜବତ କରାଯାଇଛି । ଏମାନଙ୍କ ନାମରେ ବ୍ରହ୍ମପୁରର ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡ଼ିଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ୍ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ଗୋଷାଣିନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନ୍, ଏସଆଇ ଜ୍ୟୋତି ରଞ୍ଜନ ବେହେରାଙ୍କ ଉପସ୍ଥିତିରେ ସୂଚନା ଦେଇଛନ୍ତି । ସେହିଭଳି ଅନ୍ୟ ଏକ ମାମଲାରେ ବୁଧବାର ସନ୍ଧ୍ୟାରେ ପେଟ୍ରୋଲିଂ ସମୟରେ ଷ୍ଟେସନ୍ ରୋଡ୍ ରୁ ଗୋଷାଣିନୂଆଗାଁ ଅଭିମୁଖେ ୯୬ ବୋତଲ ବିଦେଶୀ ମଦ ନେଇ ଯାଉଥିବା ସମୟରେ ଦୁଇ ଯୁବକ ଟୁନା ନାୟକ ଓ ଦିପୁ ଦାସଙ୍କୁ ଗୋଷାଣିନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଏଭଳି ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବ ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା