

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠି, ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ, ଜିଲ୍ଲା ମୁଖ୍ୟାଳୟ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ, ଚିକିତ୍ସାଳୟରେ କଣ୍ଟ୍ରୋଲ ରୁମ ରହିବ । ଏହି ପ୍ରସ୍ତୁତିର ସମସ୍ତ ଭାଗିଦାରମାନେ ଆକ୍ସନ ପ୍ଲାନ/କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ କରିବେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଳାଭାବ ଅଞ୍ଚଳକୁ ଚିହ୍ନଟ କରାଯିବା ସହିତ ପିଇବା ପାଣିର ବ୍ୟବସ୍ଥା କରାଯିବ । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ସଚେତନତା ଅଭିଯାନ କରାଯିବ । ଶିକ୍ଷାନୁଷ୍ଠାନ ଗୁଡିକର ସମୟ ପରିବର୍ତ୍ତନ ମଧ୍ୟ କରାଯିବ । ଦିନ ମଜୁରିଆ ମାନଙ୍କୁ ପୂର୍ବାହ୍ନ ୧୧ ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରିବାକୁ ବାରଣ କରାଯିବ । ଜିଲ୍ଲାର ସମସ୍ତ ଅଞ୍ଚଳରେ ଡାକ୍ତରୀ ସୁବିଧାର ବ୍ୟବସ୍ଥା କରାଯିବ । ପଶୁ ପକ୍ଷୀଙ୍କ ପାଇଁ ଗ୍ରାମ ପଞ୍ଚାୟତ ଗୁଡିକରେ ଚୁଆ, ଚହଲା, ପୋଖରୀ, ନାଳ ନିର୍ମାଣ କରାଯିବ । ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବସ ଓ ସିନେମା ହଲ ଗୁଡିକର ସମୟ ପରିବର୍ତ୍ତନ କରାଯିବ ଯାହାଫଳରେ ରୌଦ୍ର ତାପରୁ ଲୋକମାନଙ୍କୁ ରକ୍ଷା କରାଯାଇପାରିବ । ଅଂଶୁଘାତ ଜନିତ ମୃତ୍ୟୁ ମାମଲା ଗୁଡିକ ୩୬ ଘଣ୍ଟା ମଧ୍ୟରେ ଅନୁସନ୍ଧାନ କରାଯାଇ ସହାୟତା ରାଶି ପ୍ରଦାନ କରାଯିବ ।ସାଉଥକୋକୁ ଅବିରତ ବିଜୁଳି ଯୋଗାଣ ଜାରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ୨୦୧୯ ପ୍ରସ୍ତୁତ କରାଯିବ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରନା ପଣ୍ଡା
