ଘୋଷଣା ହେଲା ଦାମଙ୍କ ବିଜୁ ସମତାକ୍ରାନ୍ତି ଦଳ :ବହୁ ରାଜନେତା ଯୋଗଦେବା ସମ୍ଭାବନା…

ଭୁବନେଶ୍ବର(ସମୃଦ୍ଧ ଓଡିଶା )ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ ଆଜି ନିଜର ନୂଆ ଦଳର ଘୋଷଣା କରିଛନ୍ତି। ଦଳର ନାଁ ରହିଛି ବିଜୁ ସମତାକ୍ରାନ୍ତି ଦଳ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସହ ମିଶି ଏହି ଦଳ ଘୋଷଣା କରାଯାଇଛି। ଘୋଷଣା ସମୟରେ ଶ୍ରୀ ତ୍ରିପାଠୀ, ପୂର୍ବତନ ବିଧାୟକ ଯଜ୍ଞେଶ୍ବର ବାବୁ, ସଭାପତି ପ୍ରଶାନ୍ତ ମିଶ୍ର, ଯୁବ ସମତା ସଭାପତି ସାରଦା ପ୍ରସନ୍ନ ସ୍ବାଇଁ ଓ ପ୍ରଭାସ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ। ଦୁର୍ନୀତିମୁକ୍ତ ଶାସନ ସହିତ ଓଡ଼ିଆ ଜାତିର ସ୍ବାଭିମାନ ଓ ସ୍ବାର୍ଥ ହାସଲ କରିବା ଲକ୍ଷ୍ୟ ନେଇ ଦଳ ଗଠନ କରାଯାଇଥିବା ଡା.ରାଉତ କରିଛନ୍ତି। ଦଳର କୌଣସି ପଦପଦବିରେ ନ ରହି ପ୍ରଚାର କମିଟି ଅଧ୍ୟକ୍ଷଭାବେ ଡା.ରାଉତ ଦାୟିତ୍ବ ତୁଲାଇବେ ବୋଲି ଦଳ ପକ୍ଷରୁ ଘୋଷଣା ହୋଇଛି।ଆଜି ସାମ୍ବାଦିକ ସମ୍ମିଳନୀରେ ଡା.ରାଉତ କହିଲେ, ଆଗାମୀ ଦିନରେ ବିଜୁ ସମତାକ୍ରାନ୍ତି ଦଳରେ ଓଡ଼ିଶା ପ୍ରଗତି ଦଳ, ପବ୍ଲିକ ପଲିଟିକାଲ ପାର୍ଟି, ଅବସରପ୍ରାପ୍ତ ପୁଲିସ ପ୍ରଶାସକ ପ୍ରକାଶ ମିଶ୍ର ଓ ପ୍ରସନ୍ନ ମିଶ୍ର ସାମିଲ ହେବାର ସ୍ବୀକୃତି ଦେଇଛନ୍ତି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଆଲୋଚନା ଜାରି ରହିଛି। ଶ୍ରୀ ପଣ୍ଡା କିଛିଦିନ ସମୟ ମାଗିଛନ୍ତି, ହେଲେ ଦଳରେ ମିଶିବା ନେଇ ସ୍ପଷ୍ଟଭାବେ ମନା କରି ନାହାନ୍ତି। ଏପରିକି ଶାସକ ଦଳର ଅନେକ ଅସନ୍ତୁଷ୍ଟ ବିଧାୟକ ବିଜୁ ସମତାକ୍ରାନ୍ତି ଦଳରେ ଯୋଗ ଦେବାକୁ ଇଚ୍ଛୁକ। ୨୦୧୪ ନିର୍ବାଚନରେ ସମତାକ୍ରାନ୍ତି ଦଳର ରହିଥିବା ନିର୍ବାଚନୀ ଇସ୍ତାହାର ବିଜୁ ସମତାକ୍ରାନ୍ତି ଦଳର ଚିନ୍ତାଧାରା ସହିତ ପ୍ରାୟତଃ ସମାନ। ଏକ ରାଜନୈତିକ ଦଳ ଗଠନ ପାଇଁ ଯେଉଁ ପ୍ରକ୍ରିୟା ଆବଶ୍ୟକ ଆଗାମୀ ଦିନରେ ନିର୍ବାଚନ କମିସନଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।ରାଜନୈତିକ ଦଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡା.ରାଉତ କଡ଼ା ସମାଲୋଚନା କରିଥିଲେ। ବିଜୁବାବୁ ଓଡ଼ିଆମାନଙ୍କ ସ୍ବାଭିମାନ ପାଇଁ ଲଢ଼େଇ କରୁଥିଲେ। ହେଲେ ଆଜି କ୍ଷମତାରେ ରହିବା ପାଇଁ ଲଢ଼େଇ ଚାଲିଛି ବୋଲି ଡା.ରାଉତ କହିଛନ୍ତି।ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଲେ, ରାଜ୍ୟରେ ବିଜେଡି ସରକାର ପିସି ଖିଆ ସରକାରେ ପରିଣତ ହୋଇଛି। ଆସନ୍ତା ଡିସେମ୍ବର ମାସରେ ଦଳର ବୈଠକ ବସିବା ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।ଅନ୍ୟପକ୍ଷରେ ଡାକ୍ତର ରାଉତଙ୍କୁ ଆରମ୍ଭରୁ ଝଟକା ଲାଗିଛି। କାରଣ, ନୂଆ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’ରେ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବା ପାଇଁ ତାଙ୍କର ଏବେ କୌଣସି ଯୋଜନା ନାହିଁ ବୋଲି ରାଜ୍ୟର ପୂର୍ବତନ ପୁଲିସ ଡିଜି ତଥା ଆଇପିଏସ ପ୍ରକାଶ ମିଶ୍ର ଗଣମାଧ୍ୟମକୁ କହିଛନ୍ତି। େସ କହିଛନ୍ତି, ସେ ଏବେ ସରକାରୀ ଚାକରିରୁ ଅବସର େନଇ ଖୁସିରେ ଜୀବନ ବିତାଉଛନ୍ତି। ଡାକ୍ତର ରାଉତ ତାଙ୍କ ସହ ଏହି ଦଳ ଗଠନ ସମ୍ପର୍କରେ କଥା ହୋଇଥିଲେ ଓ ଏଥିପାଇଁ ସେ ତାଙ୍କୁ ଶୁଭକାମନା ଜଣାଇଥିଲେ। ମାତ୍ର ତାହା ଅର୍ଥ ନୁହେଁ ଯେ, ସେ ଦଳରେ ସାମିଲ ହେବାକୁ ସମ୍ମତି ଜଣାଇଥିଲେ। ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କ ବିେରାଧରେ ମଧ୍ୟ ଡାକ୍ତର ରାଉତ ଗଣମାଧ୍ୟମରେ ଅତ୍ୟନ୍ତ କଟୁ ମନ୍ତବ୍ୟ େଦଇଥିଲେ। ଏହାପରେ ବୈଜୟନ୍ତ ଏହି ନୂଆ ଦଳରେ ମିଶିବା ସମ୍ଭାବନା କ୍ଷୀଣ େବାଲି କୁହାଯାଉଛି।ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ନୂଆ ଦଳର ନାଁ ‘ବିଜୁ ସମତା କ୍ରାନ୍ତି ଦଳ’  ପୂର୍ବରୁ ଥିବା ସମତା କ୍ରାନ୍ତି ଦଳ ଏହି ନୂଆ ଦଳରେ ବିଲୟ ହୋଇଛି। ଖୁବଶୀଘ୍ର ଆଉ ଦୁଇଟି ଦଳ ଯଥା ଓଡ଼ିଶା ପ୍ରଗତି ଦଳ ଓ ପବ୍ଲିକ ପଲିଟିକାଲ ପାର୍ଟିର ଓଡ଼ିଶା ଶାଖା ମଧ୍ୟ ଏହି ନୂଆ ଦଳରେ ବିଲୀନ ହେବେ ବୋଲି ଡାକ୍ତର ରାଉତ ଘୋଷଣା କରିଛନ୍ତି।ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତ କହିଛନ୍ତି ଯେ ସମତା କ୍ରାନ୍ତି ଦଳ ପୂର୍ବରୁ ରହିଛି ଓ ଏହାର ନିର୍ବାଚନୀ ଇସ୍ତାହାରକୁ ତାଙ୍କ ନେତୃତ୍ୱରେ ଗଠନ ହୋଇଥିବା ନୂଆ ଦଳ ‘ବିଜୁ ସମତା କ୍ରାନ୍ତି ଦଳ’ ମଧ୍ୟ ସ୍ୱୀକାର କରିବ। ଦୁର୍ନୀତି ବିରୋଧରେ ଲଢ଼େଇ କରିବା ସହ ରାଜ୍ୟବାସୀଙ୍କୁ ସ୍ୱଚ୍ଛ,ଦୁର୍ନୀତିମୁକ୍ତ ଓ ଶାନ୍ତିପୂର୍ଣ୍ଣ ଶାସନ ଦେବା ପାଇଁ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାର ବିରୋଧରେ ଏହି ଦଳ କାର୍ଯ୍ୟ କରିବ। ସମଭାବାପନ୍ନ ନେତାମାନଙ୍କୁ ନେଇ ଏହି ଆଞ୍ଚଳିକ ଦଳ ଗଠନ କରାଯିବ। ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଏହି ଦଳ ପାଥେୟ କରି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବ।

ରାଜ୍ୟର ଖଣି ଲୁଟଠୁ ଆରମ୍ଭ କରି ମହିଳା ସୁରକ୍ଷା,ଚାଷୀ ଆତ୍ମହତ୍ୟା, ନାବାଳିକା ଦୁଷ୍କର୍ମ ଆଦି ପ୍ରସଙ୍ଗ ଉଠାଇବା ସହ ଦୁର୍ନୀତି ବିରୋଧରେ ନୂଆ ଦଳ ସଂଗ୍ରାମ ଜାରି ରଖିବ। ତାଙ୍କ ଦ୍ୱାରା ଗଠିତ ନୂଆ ଦଳରେ ପୂର୍ବତନ ପୁଲିସ ଡିଜି ତଥା ଆଇପିଏସ ପ୍ରକାଶ ମିଶ୍ର ଓ ତାଙ୍କ ଭାଇ ଅବସରପ୍ରାପ୍ତ ଆଇଏଏସ ପ୍ରସନ୍ନ ମିଶ୍ର ମଧ୍ୟ ସାମିଲ ହେବେ ବୋଲି ଡାକ୍ତର ରାଉତ ଘୋଷଣା କରିଛନ୍ତି। ବିଜେଡିରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା ହୋଇଛି ଓ ଦଳରେ ସାମିଲ ହେବା ପାଇଁ ସେ ଅଧିକ କିଛି ସମୟ ଲୋଡ଼ିଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି।ସେହିପରି ସମତା କ୍ରାନ୍ତି ଦଳର ସଭାପତି ବ୍ରଜ କିଶୋର ତ୍ର୍ରିପାଠୀ ଓ ସମତାକ୍ରାନ୍ତି ଦଳର ମହାସଚିବ ଯଜ୍ଞେଶ୍ଵର ବାବୁ ଏହି ଅବସରରେ କହିଥିଲେ ଯେ, ଡାକ୍ତର ରାଉତଙ୍କ ନେତୃତ୍ୱରେ ବିଜୁ ସମତାକ୍ରାନ୍ତି ଦଳ କାର୍ଯ୍ୟ କରିବ। ସମତାକ୍ରାନ୍ତି ଦଳର ବୈଠକ ବସି ଡାକ୍ତର ରାଉତଙ୍କ ନେତୃତ୍ୱରେ କାର୍ଯ୍ୟ କରିବା ପାଇଁ ସହମତି ହୋଇଛି। ଡାକ୍ତର ରାଉତ ଏବେ ଏହି ନୂଆ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ରହିବେ। ନିର୍ବାଚନ କମିଶନଙ୍କ ନିକଟରେ ନୂଆ ଦଳ ଗଠନକୁ ନେଇ ଆବେଦନ ହୋଇଛି। ସେଠାରୁ ପଞ୍ଜିକରଣ ଅନୁମତି ମିଳିବା ପରେ ଦଳ ତା’ର ପରବର୍ତ୍ତୀ କାର୍ଯ୍ୟପନ୍ଥା ଘୋଷଣା କରିବ। ଦଳ ଏବେ ରାଜ୍ୟର ସମସ୍ତ ଭାଗରେ ନିଜର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଛି। ନବୀନ ପଟ୍ଟନାୟକ ସରକାରର ବିଭିନ୍ନ ଦୁର୍ନୀତିକୁ ଏହି ଦୁଇ ନେତା ଭର୍ତ୍ସନା କରିବା ସହ ଆଗାମୀ ଦିନରେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ବହୁତ ନେତା ନୂଆ ଦଳରେ ସାମିଲ ହେବେ ବୋଲି କହିଥିଲେ।ଏହି ଦଳ ଆଗାମୀ ନିର୍ବାଚନରେ ସମସ୍ତ ଆସନରେ ନିଜର ପ୍ରାର୍ଥୀ ଦେବ। ଡିସେମ୍ବର ଶେଷ ସୁଦ୍ଧା ଦଳ ଏକ ବ୍ୟାପକ ରୂପ ନେବ। ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରିଙ୍କ ନାତି ଭିଭି ଅମରନାଥ ଗିରି ମଧ୍ୟ ଏହି ନୂଆ ଦଳରେ ସାମିଲ ହେବାକୁ ସମ୍ମତି ଦେଇ ନିଜର ଜଣେ ପ୍ରତିନିଧିଙ୍କୁ ପଠାଇଥିବା ଯଜ୍ଞେଶ୍ଵର କହିଛନ୍ତି।

ବହୁ ପୁରୁଖା ନେତା ଆସିବେ

ନୂଆ ଦଳ ଘୋଷଣା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଦାମ କହିଛନ୍ତି “ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟ ରାଜନୈତିକ ଦଳରୁ ବହୁ ନେତା ଆମ ଦଳରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଚାର ବିମର୍ଶ ପରେ ସେମାନଙ୍କୁ ଦଳରେ ସାମିଲ କରାଯିବ। କିନ୍ତୁ ବର୍ତ୍ତମାନ ପକ୍ଷରେ ସେମାନଙ୍କ ନାଁ ପ୍ରକାଶ କରିବା ଠିକ୍‌ ହେବନାହିଁ। ଏହାଛଡ଼ା ଯେଉଁମାନେ ବିଜୁ ପଟ୍ଟନାୟକଙ୍କ ସହିତ କାମ କରିଛନ୍ତି ଓ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତ। ସେମାନେ ଦଳରେ ସାମିଲ ହେବା ନେଇ ମାନସିକ ସ୍ତରରେ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ନାଁ ଘୋଷଣା କରିବା ଠିକ୍‌ ନୁହେଁ।”

ରିପୋର୍ଟ : ଶରତ ବେହେରା