ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ସ୍ଥିତ ଘୋଡାହାଡ ଜଳଭଣ୍ଡାରରେ ୧୧୫.୫୦ ମିଟର ପାଣି ରହିଥିବା ଜଣାପଡିଛି । ଆଗକୁ ପ୍ରାକୃତିକ ସାମୁଦ୍ରିକ ଝଡ ଫଣିର ପ୍ରାକ୍ ସୂଚନା ପାଇ ବିଭାଗୀୟ କର୍ତ୍ତୃପକ୍ଷ ସତର୍କ ହୋଇ ହିଥିବା ବେଳେ ଜଳଭଣ୍ଡାରରେ ପାଣିକୁ ନିୟନ୍ତ୍ରଣରେ ରଖାଯାଇଥିବା ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି । ସେହିପରି ରାଜ୍ୟ ଜଳସମ୍ପଦ ବିଭାଗରୁ ଆସିବା ନିର୍ଦ୍ଦେଶାନାମା ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସମ୍ପ୍ରତ୍ତି ଚାଷ ବେଉଷା କାର୍ଯ୍ୟ ପାଇଁ ସେତେଟା ଜଳସେଚନର ଆବଶ୍ୟକତା ନଥିବାରୁ କେନାଲରେ ପାଣି ଛଡାଯିବା ବନ୍ଦ ରଖାଯାଇଥିବା ବିଭାଗୀୟ ଦପ୍ତରରୁ ପ୍ରକାଶ ପାଇଛି । ଅନ୍ୟ ପକ୍ଷରୁ ଚାଷ ବେଉଷଣ କାର୍ଯ୍ୟ ବାଦେ ମଧ୍ୟ ଲୋକେ ଘୋଡାହାଡ ଡ୍ୟାମ୍ର ଜଳ ଉପରେ ୧୯ ଖଣ୍ଡରୁ ଉଦ୍ଧ୍ୱର୍ ଗ୍ରାମର ଗ୍ରାମବାସୀ ବିଶେଷ କରି ଜଳ ପାଇଁ ଘୋଡାହାଡ ଡ୍ୟାମ୍ କେନାଲ ଉପରେ ନିର୍ଭର ଶୀଳ । ସମ୍ପ୍ରତ୍ତି କେନାଲରେ ପାଣି ଛଡାଯିବା ବନ୍ଦ ରଖାଯାଇଥିବାରୁ ଉକ୍ତ ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି । ସମ୍ପ୍ରତ୍ତି ମଦନମୋହନପୁର ଏବଂ ପଦ୍ମନାଭପୁର ସମେତ ବିଭିନ୍ନ ଗ୍ରାମବାସୀ ମାନେ ମଧ୍ୟ ଜଳସମ୍ପଦ ବିଭାଗ ଏବଂ ଦିଗପହଣ୍ଡି ତହସିଲଦାରଙ୍କୁ ଜନପ୍ରତିନିଧିମାନଙ୍କ ମାଧ୍ୟମରେ ଡ୍ୟାମ୍ରୁ କେନାଲ ଜରିଆରେ ପାଣି ଛଡାଯିବାକୁ ଦାବୀ କରି ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହା ପରେ ଘୋଡାହାଡ ଜଳସେଚନ ପାଣିପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଏକ ପ୍ରସ୍ତାବ ପତ୍ର ଗୃହୀତ କରାଯାଇ ମଇ ୧ କିମ୍ବା ୨ ତାରିଖରୁ ସ୍ୱଳ୍ପ ଦିନ ପାଇଁ କେନାଲ ଜରିଆରେ ପାଣି ଛଡାଯିବ ବୋଲି ସମ୍ପାଦକ ରମେଶଚନ୍ଦ୍ର ପାତ୍ର କହିଛନ୍ତି । ପ୍ରକାଶଯେ, ଘୋଡାହାଡ ଜଳଭଣ୍ଡାରରୁ ଉତ୍ତର ଏବଂ ଦକ୍ଷିଣ ଦୁଇଟି ମୁଖ୍ୟ କେନାଲରେ ପାଣି ଛଡାଯାଉଥିବା ବେଳେ ୧୦ ହଜାର ହେକ୍ଟର ଚାଷ ଜମି ଜଳସେଚନ ହେଉଛି । ସେଥିରୁ ୭ ହଜାର ୮୮୮ ହେକ୍ଟର ଚାଷ ଜମିରୁ କର ମିଳୁଛି । ଦତନୁଯାୟୀ ପାଣି ପଞ୍ଚାୟତ କମିଟି ମାନଙ୍କ ପକ୍ଷରୁ ପରିଚାଳନା କରାଯାଇ ପାଣି ବ୍ୟବହାର କରୁଥିବା ଜଣାପଡିଛି । ହେଲେ ସମ୍ପ୍ରତ୍ତି ଗ୍ରୀଷ୍ମ ପ୍ରବାହ ଯୋଗୁଁ ସବୁଠି ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ଅଭିଯୋଗ ହୋଇଛି । ଡ୍ୟାମ୍ର ତଳମୁଣ୍ଡରେ କେନାଲ ପାଶ୍ୱର୍ରେ ରହିଥିବା ଗୋଲଣ୍ଡା, ପେଣ୍ଡୁରାବାଡି, ବାଲିଘାଇ, ସେବକ ଟିକରପଡା, ଚକାତେନ୍ତୁଳି, କଇଠଖଣ୍ଡି, ଦ୍ୱାରଗାଁ, ନନ୍ଦଗାଁ, ଭୁଷୁଣ୍ଡା ଗ୍ରାମବାସୀ ଦୈନିକ ବ୍ୟବହାର କାର୍ଯ୍ୟରେ ଜଳ ପାଇଁ କେନାଲ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇଥିବା ବେଳେ ସମ୍ପ୍ରତ୍ତି କେନାଲରେ ଡ୍ୟାମରୁ ପାଣି ଆସୁନଥିବା ହେତୁ ସେମାନେ ଏବେ ପାଣି ପାଇଁ ନାନା ସମସ୍ୟାରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ଗାଧୋଇବା ସେମାନଙ୍କୁ ପାଣି ପିଇବା ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ସବୁ ବନ୍ଦ ହୋଇଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ପ୍ରସ୍ତାବ ଗୃହୀତ କରାଯାଇ କେନାଲରେ ପାଣି ଛଡାଯିବ ବୋଲି ଜାଣିବାକୁ ମିଳିଛି । ଅନ୍ୟ ପକ୍ଷରେ କେନାଲ ଶୁଖିଯାଇଥିବାରୁ କେନାଲ ଅପରିଷ୍କାର ହୋଇ ପଡି ରହିଥିବା ଦେଖିବାକୁ ମିଳିଛି । ଆବର୍ଜନା ଓ ଘାସରେ କୋନାଲ ଭରପୁର ହୋଇ ରହିଥିବା ବେଳେ ଜଳାଭାବକୁ ଦୂରୀକରଣ ପାଇଁ କେନାଲରେ ପାଣି ଛଡାଯିବା ପରେ ଖରିଫ୍ ଚାଷ ପୂର୍ବରୁ କେନାଲ ସବୁ ସଫେଇ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା