

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ତମାଖୁ, ଗୁଟ୍ଖା ଓ ଖଇନି କାରବାର ଉପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଚଢଉ ଜାରି ରଖାଯାଇଛି । ବିଗତ ଦିନରେ ବ୍ରହ୍ମପୁର, କୁକୁଡାଖଣ୍ଡି, ହିଞ୍ଜିଳି, ଆସିକା, ଶେରଗଡ ଆଦି ବିଭିନ୍ନ ଅଞ୍ଚଳରେ ବେଆଇନ୍ ଗୁଟ୍ଖା ଓ ଖଇନି କାରବାର ଉପରେ ଚଢଉ କରି ଲକ୍ଷ ଲକ୍ଷ ଟଙ୍କା ଗୁଟ୍ଖା ଓ ଖଇନି ଜବତ କରାଯାଇଥିଲା । ଏହି କ୍ରମରେ ଆଜି ଚମାଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀ ଛକ ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗୁଟ୍ଖା ଓ ଖଇନି ଜବତ କରାଯାଇଛି । ଆଜି ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଚମାଖଣ୍ଡି ଓ ଗୋପାଳପୁର ଥାନା ପୋଲିସ ପକ୍ଷରୁ ଉକ୍ତ ଘର ଉପରେ ଚଢଉ କରାଯାଇଥିଲା । ମାଣ୍ଡିଆପଲ୍ଲୀ ଛକରେ ଜଣେ ବ୍ୟକ୍ତିଙ୍କ ଭଡା ଘରେ ବେଆଇନ ଭାବେ ପ୍ରଚୁର ପରିମାଣର ଗୁଟ୍ଖା ଓ ଖଇନି କାରବାର ଚାଲିଥିବା ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଚମାଖଣ୍ଡି ଥାନା ଅଧିକାରୀ ସୁତାଂଶୁ ଶେଖର ମାନ୍ଧତା, ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହାପାତ୍ର ଓ ଭଞ୍ଜବିହାର ଫାଣ୍ଡି ଅଧିକାରୀ ଇ.ଶଙ୍କର ରାଓଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା । ଚଢଉ ବେଳେ ଉକ୍ତ ଘର ଭିତରେ ପ୍ରାୟ ଲକ୍ଷାଧିକ ଟଙ୍କା ଗୁଟ୍ଖା ଓ ଖଇନି ପ୍ୟାକେଟ୍କୁ ପୋଲିସ ଜବତ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜବତ ହୋଇଥିବା ଗୁଟ୍ଖା ଓ ଖଇନି କାରବାର ପଛରେ କାହାରି ହାତ ରହିଛି ସେ ସଂକ୍ରାନ୍ତରେ ପୋଲିସ ସ୍ପଷ୍ଟ କରିନାହିଁ । ପ୍ରାଥମିକ ତଦନ୍ତରୁ କେବେଳ ୨୩୪ ପ୍ୟାକେଟ୍ ଗୁଟ୍ଖା ଜବତ ହୋଇଥିବା ଏବଂ ଘଟଣାର ଖୋଳତାଡ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
