



ଭୁବନେଶ୍ୱର(ସମୃଦ୍ଧଓଡିଶା)ମା’ କଟକ ଚଣ୍ଡୀ ମନ୍ଦିରର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିର ପରିସରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା I ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଥିବାରୁ ଆଗାମୀ ଦିନରେ ମନ୍ଦିର ପରିଚାଳନା କମିଟି ଏବଂ ସେବାୟତ ମାନଙ୍କ ସହ ଆଲୋଚନା କରି ସମସ୍ତ ବକେୟା କାର୍ଯ୍ୟକୁ ଆସନ୍ତା ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି I ମା’ କଟକ ଚଣ୍ଡୀ ମନ୍ଦିର ସହର ତଥା ଓଡ଼ିଶା ବାସୀଙ୍କ ଭାବାବେଗ ସହିତ ଜଡିତ ଥିବାରୁ ଉନ୍ନୟନ ପ୍ରକଳ୍ପକୁ ଯେତେ ସମ୍ଭବ ସୁନ୍ଦର ଓ ଆକର୍ଷଣୀୟ କରିହେବ ସେଥିନେଇ ପ୍ରୟାସ କରିବା ପାଇଁ ମନ୍ତ୍ରୀ ଦାୟିତ୍ୱରେ ଥିବା ଇଞ୍ଜିନିୟର ଓ କାମକରୁଥିବା ଏଜେନସି କୁ ପରାମର୍ଶ ଦେଇଥିଲେ I ଏଥିସହିତ ଏହାକୁ ଆମ ଐତିହ୍ୟ ସହ ଜଡିତ ପୁରାତନ ମନ୍ଦିର ରୂପରେଖ ଦେବା ଏବଂ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ I ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ବାରବାଟି ବିଧାୟିକା ସୋଫିୟା ଫିରଦୋସ୍, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ନିଆଳି ବିଧାୟକ ଛବି ମଲ୍ଲିକ, ଜିଲ୍ଲାପାଳ ଦତ୍ତାତ୍ରୟ ବାହୁସାହେବ ସିନ୍ଦେ, ଓବିସିସି ଏମଡି ସମୀର ହୋତା, ଚିଫ ଇଞ୍ଜିନିୟର ରୋଡ଼-୨ ଧ୍ୟାନଚାନ୍ଦ ନାୟକ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ମନ୍ଦିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ I
ରିପୋର୍ଟ : ରଜତ ମହାପାତ୍ର ଓ ସୁଜିତ ରଞ୍ଜନ ସ୍ୱାଇଁ, ଲୋକସମ୍ପର୍କ ଅଧିକାରୀ