

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ସଞ୍ଜୟ ମେମୋରିଆଲ ବୈଷୟିକ ଅନୁଷ୍ଠାନର ସମ୍ମିଳନୀ ଗୃହ ଠାରେ ଚନ୍ଦ୍ରକଳ୍ପେଶ୍ୱର ନିର୍ମାଣ ଶ୍ରମିକ ସଂଘ ତରଫରୁ ମଙ୍ଗଳବାର ଦିନ ଶ୍ରମିକମାନଙ୍କ ବିଭିନ୍ନ ଅସୁବିଧା ନେଇ ସଂଘର ସଭାପତି ଡ଼. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରମିକମାନଙ୍କୁ ସରକାରଙ୍କ ଠାରୁ ମିଳୁଥିବା ପ୍ରାପ୍ୟ ୧୫୦୦ ଟଙ୍କା ବହୁ ଶ୍ରମିକଙ୍କୁ ମିଳି ନ ଥିବା ନେଇ ଆଲୋଚନା ହୋଇଥିଲା । ଶହେ ଜଣ ଶ୍ରମିକମାନଙ୍କ ପଞ୍ଜିକୃତ ନାମ ରଙ୍ଗେଇଲୁଣ୍ଡା ବ୍ଲକରେ ଥିବା ସ୍ଥଳେ ସେମାନଙ୍କ ନାମ କନିସି ବ୍ଲକରେ ଉଲ୍ଲେଖ ଥିବା ସଂଘର ସମ୍ପାଦକ ଦମ୍ବୁରୁ ରଣା କହିଥିଲେ । ସ୍ଥାନୀୟ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏହି ବିଷୟ ଦୃଷ୍ଟିକୁ ଅଣାଯାଇଥିଲେ ମଧ୍ୟ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ଅଦ୍ୟାବଧି ପାଇନାହାନ୍ତି । ଯାହାଦ୍ୱାରା ସେମାନଙ୍କ ପରିବାର ବର୍ତ୍ତମାନ କରୋନା ସମୟରେ ଭୋକ ଉପବାସରେ ରହିଛନ୍ତି । ସେମାନଙ୍କ ନାର୍ଯ୍ୟ ପ୍ରାପ୍ତ ତୁରନ୍ତ ଦେବା ପାଇଁ ସଭାପତି ଡ଼. ଭଗବାନ ଗନ୍ତାୟତ ଓ ସମସ୍ତ ସଭ୍ୟ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ଏହି ବୈଠକରେ ଶ୍ରମିକ ସଭ୍ୟ ପୁରୁଷୋତ୍ତମ ବେହେରା, ବଳରାମ ଗୌଡ଼, ଶିବ ମହାରଣା, ମନୋରଞ୍ଜନ ଗୌଡ଼, କୃଷ୍ଣ ସେଠି, ମିଟୁ ସେଠି, ବାସୁଦେବ ନାୟକ, ମୁନା ଡାକୁଆ, ଉଦୟନାଥ ସାହୁ, ଗୋପାଳ ସାହୁ, ବିଶ୍ୱନାଥ ଦୋରା ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଡ଼. ଗନ୍ତାୟତ ଶ୍ରମିକମାନଙ୍କୁ ଏସଏମଆଇଟି ତରଫରୁ ବସ୍ତ୍ର ବଣ୍ଟନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


