“ଚାରା ରୋପଣଠାରୁ ପଲିଥିନ ବଣ୍ଟନ, ସିଞ୍ଚାଇ ଯୋଜନାଠାରୁ ସଡ଼କ ନିର୍ମାଣ, ସବୁଠି ଦୁର୍ନୀତି,ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି ଓଡ଼ିଶା ସରକାର:ରାଜ୍ୟ ସରକାରଙ୍କୁ ଏମିତି ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି

ଝାରସୁଗୁଡ଼ା : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡ଼ା ଏବଂ ତାଳଚେର ସମାବେଶରୁ ମୋଦି ସିଧାସଳଖ ନବୀନଙ୍କ ନାଁ ନେଇ ହମ୍‌ଲା କରିଛନ୍ତି।“ଚାରା ରୋପଣଠାରୁ ପଲିଥିନ ବଣ୍ଟନ। ସିଞ୍ଚାଇ ଯୋଜନାଠାରୁ ସଡ଼କ ନିର୍ମାଣ। ସବୁଠି ଦୁର୍ନୀତି। ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି ଓଡ଼ିଶା ସରକାର। ଏଠି ପିସି ନଦେଲେ କାମ ହେଉନି। ଗରିବ ଲୋକ ପିସି ଦେଇପାରୁ ନଥିବାରୁ ସେମାନେ ପଛରେ ରହି ଯାଉଛନ୍ତି”, ଓଡ଼ିଶା ଆସି ରାଜ୍ୟ ସରକାରଙ୍କୁ ଏମିତି ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି।ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ ଶିଳାନ୍ୟାସ ଏବଂ ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ କରିବା ପରେ ମୋଦି ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ। ତାଳଚେର ବକ୍ସି ଜଗବନ୍ଧୁ ଷ୍ଟାଡିୟମ ଏବଂ ଝାରସୁଗୁଡ଼ା ବିଟିଏମ୍ ଗ୍ରାଉଣ୍ଡରେ ମୋଦି ଉଦବୋଧନ ଦେଇ ଓଡ଼ିଶା ସରକାରଙ୍କୁ ବାଣ ମାରିଛନ୍ତି। କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାକୁ ମିଳୁଥିଲା ୮୨ ହଜାର କୋଟି ଟଙ୍କା। ହେଲେ ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ର ଅନୁଦାନ ବୃଦ୍ଧି ପାଇଛି। ଗତ ୪ ବର୍ଷ ଭିତରେ ଓଡ଼ିଶାକୁ କେନ୍ଦ୍ର ସରକାର ୨ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାର ବିକାଶ ପାଇଁ ଏହି ଟଙ୍କା ଦେଇଥିଲେ କେନ୍ଦ୍ର ସରକାର। ମାତ୍ର ଏହି ଟଙ୍କା କୁଆଡ଼େ ଗଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି। କେନ୍ଦ୍ର ଦେଉଥିବା ଟଙ୍କାକୁ ଓଡ଼ିଶା ସରକାର ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇ ପାରୁ ନାହାନ୍ତି ବୋଲି ମୋଦି କହିଛନ୍ତି। “ଓଡ଼ିଶାରେ ପିସି ନଦେଲେ କିଛି କାମ ହଉନି। ଫଳରେ ଓଡ଼ିଶାର ଲୋକମାନେ ବିକାଶମୂଳକ ଯୋଜନାରୁ ଲାଭ ଉଠାଇପାରୁ ନାହାନ୍ତି। ଶୌଚାଳୟ ନିର୍ମାଣରେ ପିସି କାରବାର ଚାଲୁଥିବା ବେଳେ ଚାଷୀଙ୍କୁ ସହାୟତା ଦେବା ପାଇଁ ବି ପିସି କାରବାର ହେଉଛି”, କହିଛନ୍ତି ମୋଦି।ମୋଦି ଆହୁରି କହିଛନ୍ତି ଯେ ଯୁବକମାନଙ୍କ ପାଇଁ କେନ୍ଦ୍ର ସରକାର ସ୍କିଲ୍ଡ ଇଣ୍ଡିଆ ଯୋଜନା କରିଛନ୍ତି। ଓଡ଼ିଶାର ଯୁବକମାନେ ଏହାର ଫାଇଦା ନେଇପାରୁ ନାହାନ୍ତି। ଏଥିପାଇଁ ଓଡ଼ିଶା ସରକାରଙ୍କ ଦାୟୀ।ତାଳଚେର ସମାବେଶରେ ମୋଦି ରାଜ୍ୟ ସରକାରଙ୍କ ୧ ଟଙ୍କିଆ ଚାଉଳ ଯୋଜନାକୁ ଟାର୍ଗେଟ କରିଥିଲେ। ଏହି ଯୋଜନା କାର୍ଯ୍ୟକାରୀ କରି ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଇଥିବା ମୋଦି କହିଛନ୍ତି।ମେଦି କହିଥିଲେ, “ରାଜ୍ୟ ସରକାର ଯେଉଁ ୧ ଟଙ୍କିଆ ଚାଉଳ ଦେଉଛନ୍ତି। ସେଥିରେ କେନ୍ଦ୍ର ୨୫ରୁ ୩୦ ଟଙ୍କା ଦେଉଛି। ଏଥିପାଇଁ ପ୍ରତି ମାସରେ କେନ୍ଦ୍ର ଓଡ଼ିଶାକୁ ୪୫୦ କୋଟି ଟଙ୍କା ଦେଉଛି। ହେଲେ ରାଜ୍ୟ ସରକାର ନିଜ ଯୋଜନା କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।”ଓଡ଼ିଶାରେ ମାତୃ ଶିଶୁ ମୃତ୍ୟୁହାର ଏବଂ ଅପପୁଷ୍ଟି ସ୍ଥିତି ଗମ୍ଭୀର। ଏହାକୁ ନେଇ ଓଡ଼ିଶାବାସୀ ଚିନ୍ତାରେ। ହେଲେ ରାଜ୍ୟ ସରକାର ଏଥିପାଇଁ କ’ଣ କରିଛନ୍ତି ତାହା ସ୍ପଷ୍ଟ କରିବା ଦରକାର। ଗରିବ ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଓଡ଼ିଶା ସରକାର ଏହାକୁ ଗ୍ରହଣ କରୁ ନାହାନ୍ତି। ଗରୀବ ରୋଗୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଓଡ଼ିଶା ଏହାକୁ ଗ୍ରହଣ ନକରିବା ଦୁର୍ଭାଗ୍ୟର ବିଷୟ।ମୋଦି କହିଥିଲେ ଯେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ନୂଆ ନୂଆ ଯୋଜନା କରୁଛନ୍ତି। ଓଡ଼ିଶାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଯୋଡ଼ିବା ପାଇଁ ବିମାନ ବନ୍ଦର ନିର୍ମାଣ କରିଛନ୍ତି। ଏବେ ଦୀର୍ଘ ବର୍ଷ ପରେ ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଫଳରେ ଝାରସୁଗୁଡ଼ା ଏୟାରପୋର୍ଟରୁ ଲୋକେ ଭୁବନେଶ୍ୱର, ରାଞ୍ଚି ଏବଂ ରାୟପୁରକୁ ସୁବିଧାରେ ଯାତ୍ରା କରିବେ।ଝାରସୁଗୁଡ଼ା ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ପୂର୍ବର କଂଗ୍ରେସ ସରକାର ଆନ୍ତରିକତା ପ୍ରକାଶ କରୁ ନଥିଲେ। ହେଲେ ବିଜେପି ସରକାର ଏହାକୁ ଆନ୍ତରିକତାର ସହ ନେଇ ଲୋକାର୍ପିତ କରିଛନ୍ତି।ଓଡ଼ିଶାରେ ଆଉ ୩ଟି ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଚାଲିଛି। କୋରାପୁଟ, ସୁନ୍ଦରଗଡ଼ ଏବଂ କଳାହାଣ୍ଡିରେ ଖୁବ୍‌ଶୀଘ୍ର ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହି ତିନୋଟି ନୂଆ ଏୟାରପୋର୍ଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶା ଦ୍ରୁତ ବିକାଶ ପଥରେ ଆଗେଇବ। ପୂର୍ବର କଂଗ୍ରେସ ସରକାର ଯାହା କରି ନଥିଲେ ତାହା ବିଜେପି ସରକାର ମାତ୍ର ୫ ବର୍ଷରେ କରି ଦେଖାଇଛନ୍ତି। ଓଡ଼ିଶାରେ ରେଳ ଏବଂ ସଡ଼କ ପଥର ବିକାଶ ହୋଇଛି। ଝାରସୁଗୁଡ଼ା, ସବଡେଗା ଭିତରେ ନୂଆ ରେଳ ଲାଇନ ଲୋକାର୍ପଣ ହୋଇଛି। ଏହି ରେଳଲାଇନରେ ଏବେ କୋଇଲା ପରିବହନ କରାଯିବ। କିନ୍ତୁ ଆଗାମୀ ଦିନରେ ଏହି ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ଯୋଜନା ରହିଛି। ଏହାସହ ଓଡ଼ିଶାର ଜାତୀୟ ରାଜପଥ ଏବଂ ଗାଁରେ ପକ୍କା ସଡ଼କ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଛନ୍ତି। ଓଡ଼ିଶା ପାଇଁ କେନ୍ଦ୍ର ସରକାର ଯେତିକି ଚିନ୍ତା କରୁଛନ୍ତି ତାହା ଏଠାକାର ସରକାର ସେତିକି କରୁ ନାହାନ୍ତି। ପୂର୍ବ ଭାରତ ସମେତ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ଯୋଜନା କରୁଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାକୁ କହୁଛନ୍ତି। କିନ୍ତୁ ଏହା ଲୋକଙ୍କ ପାଖରେ ପହଞ୍ଚୁନି। ସ୍ୱଚ୍ଛତା ମିଶନରେ ଅନ୍ୟ ରାଜ୍ୟ ଆଗକୁ ଯାଇଥିବା ବେଳେ ଓଡ଼ିଶା ସରକାର ଏଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। କେବଳ ସ୍ୱଚ୍ଛତା ନୁହେଁ, ସବୁ କ୍ଷେତ୍ରରେ ଓଡ଼ିଶା ସରକାର ଫେଲ୍ ବୋଲି କହିଛନ୍ତି ମୋଦି।