ଛତ୍ରପୁର (ସମୃଦ୍ଧ ଓଡିଶା) ଚାରି ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ରରେ ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ -(୧) ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ଗଞ୍ଜାମରେ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବନ୍ଦ କରାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ।
(୨) ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାର କରିବା ।
(୩) ଭିତ୍ତିଭୂମି ନଥିବା ତଥା ବିନା ସିଓଆର୍ ଏବଂ ଏନ୍ଓସିରେ ଚାଲିଥିବା ବେସରକାରୀ ସ୍କୁଲ ଚିହ୍ନଟ କରି ବନ୍ଦ କରିବା ।
(୪) ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ଚିହ୍ନଟ କରି ଚାକିରିରୁ ବହିଷ୍କାର କରିବା ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ । ଯଦି ୨୦ରୁ ସାମାନ୍ୟ ଅଧିକ ପିଲା ଥିବେ ଓ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ହେବ । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଥା କହିଲେ ୫୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ତାହାକୁ ବନ୍ଦ କରିବା ବା ଅନ୍ୟ ସ୍କୁଲ ସହ ମିଶ୍ରଣ ପ୍ରସ୍ତାବ ରହିଛି । ଏହିକ୍ରମରେ ଗଂଜାମ ଜିଲ୍ଲାରେ ପ୍ରାୟ ୪୩୩ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି । ତେବେ ଏଠାରେ ଗୋଟିଏ କଥା ଲକ୍ଷ୍ୟ କରାଯାଏ ଗତ ୫ ବର୍ଷ ମଧ୍ୟରେ ୧୬୫ ସ୍କୁଲ ବନ୍ଦ ହୋଇଥିବାବେଳେ ଚଳିତ ବର୍ଷ ୪୩୩ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଗଂଜାମ ଜିଲ୍ଲାରେ ଜନ ଅସନ୍ତୋଷ ତେଜିବାରେ ଲାଗିଲାଣି । ସରକାରୀ ସ୍କୁଲରେ ପିଲା କାହିଁକି କମୁଛନ୍ତି ତାହାର ତର୍ଜମା ନ କରି ସରକାର ସ୍କୁଲ ବନ୍ଦକୁ ପ୍ରତ୍ସୋହନ ଦେବା ଦୁର୍ଭାଗ୍ୟଜନକ । କେତେକ ସ୍କୁଲରେ କେବଳ ଗୋଟିଏ ଶିକ୍ଷକ ଥିବାବେଳେ ବିଷୟ ଭିତ୍ତିକ ଶିକ୍ଷକ ଅଭାବ ରହୁଛନ୍ତି । ଯଦି ଉକ୍ତ ଶିକ୍ଷକଙ୍କ ଦେହ ଖରାପ ହୁଏ ତେବେ ପିଲାମାନଙ୍କ ପାଠପଢ଼ା ଠପ୍ । ଏପଟେ ଯଦି ଜଣେ ଶିକ୍ଷକ ସରକାରୀ କାର୍ଯ୍ୟ, ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ କରନ୍ତି ତେବେ ପିଲାଙ୍କ ପାଠପଢ଼ା ବାଧା ହେବା ନିଶ୍ଚୟ । ତେଣୁ ପିଲା କମିବାର ମୁଖ୍ୟ କାରଣ ଶିକ୍ଷକ ଅଭାବ । ଅନ୍ୟ କେତେକ କଥାକୁ ଦେଖିଲେ କିଛି ବେସରକାରୀ ବିଦ୍ୟାଳୟର ଭିତ୍ତିଭୂମି ନଥିବା, ଏନ୍ଓସି ଓ ସିଓଆର୍ ନଥିବା ସତ୍ତ୍ୱେ ସେମାନେ ଅଭିଭାବକମାନଙ୍କୁ ଆକୃଷ୍ଟ କରି ସେମାନଙ୍କ ପିଲାଛୁଆକୁ ସେମାନଙ୍କ ସ୍କୁଲରେ ପଢ଼ାଇବାକୁ ଏକରକମ ଚେଷ୍ଟିତ ଥାଆନ୍ତି । ଅଭିଭାବକମାନେ ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷକ ଅଭାବକୁ ଦେଖି ସେମାନଙ୍କ ପିଲାଙ୍କୁ ବେସରକାରୀ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହୁଅନ୍ତି । କେତେକ ସ୍କୁଲର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ କେଉଁଠି ଶୌଚାଳୟ ନାହିଁ, କେଉଁଠି ପାନୀୟ ଜଳର ସୁବିଧା ନାହିଁ, କେତେକ ସ୍ଥାନରେ ବିଦ୍ୟୁତ ସଂଯୋଗ ନାହିଁ । ଏହିଭଳି ବିଭିନ୍ନ ଅଂଚଳରେ ବିଭିନ୍ନ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ସରକାର ଏହି ସମସ୍ୟାଗୁଡ଼ିକୁ ସମାଧାନ ନ କରି କେବଳ ପିଲା ଅଭାବର ଆଳ ଦେଖାଇ ସ୍କୁଲ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ । ଏପଟେ କେତେକ ଅଭିଭାବକ ନିଜର ଆର୍ଥିକ ଅବସ୍ଥା ଖରାପ କାରଣରୁ ସେମାନଙ୍କ ପିଲାଛୁଆଙ୍କୁ ବେସରକାରୀ ବିଦ୍ୟାଳୟରେ ପଢ଼ାଇପାରିବେ ନାହିଁ । ଏପଟେ ସରକାରୀ ସ୍କୁଲ ବନ୍ଦ ହୋଇଯାଇଥିବ । ବିଚରା ଦଳିତ, ଆଦିବାସୀ, ଆର୍ଥିକ ଅନଗ୍ରସର ପିଲାଟିର ପାଠପଢ଼ାରେ ଡ଼ୋରି ବନ୍ଧା ହେବ । ବନ୍ଦ ହେବାକୁ ଥିବା ବିଦ୍ୟାଳୟଗୁଡ଼ିକରେ ଚଳିତ ବର୍ଷ ନାମ ଲେଖା ହେବ ନାହିଁ । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଆନ୍ଦୋଳନ ତେଜିବାରେ ଲାଗିଲାଣି । ସବୁ ବ୍ଲକ୍ର ଅଭିଭାବକଙ୍କ କହିବା କଥା ପିଲାମାନେ ଦୂର ସ୍କୁଲକୁ ଗଲେ ମୁଖ୍ୟରାସ୍ତା ପାର ହୋଇ ଯିବାକୁ ହେବ । ଏ ମଧ୍ୟରେ ଯଦି ପିଲାଙ୍କ କୌଣସି ଅସୁବିଧା ହେବ ତେବେ ସରକାର କ’ଣ ଦାୟୀ ରହିବେ । ଅନ୍ୟପକ୍ଷରେ ଗତ ୨୦୧୬ ଡ଼ିସେମ୍ବର ମାସରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞାପନ ବାହାରିନି । ବର୍ତ୍ତମାନ ପ୍ରାୟ ୬୦ରୁ ୭୦ ହଜାର ଶିକ୍ଷକ ଆଶାୟୀ ଯେଉଁମାନେ ସି.ଟି. ବି.ଇଡ଼ି. ଏବଂ ଓଟିଇଟି ପାସ୍ କରି ବେକାର ହୋଇ ଘରେ ବସିଛନ୍ତି । ପାଠ ପଢ଼ିବାକୁ ବହୁ ଟଙ୍କା ବାକି କରିଛନ୍ତି । ସେମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରକୁ ଚାଲିଯାଇଛି । ଏଭଳି ସ୍କୁଲ ବନ୍ଦ ହେବା ଯୋଗୁଁ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେବ । ବେକାରୀ ସଂଖ୍ୟା ମଧ୍ୟ ବଢ଼ିବ । ଶିକ୍ଷକ ନିଯୁକ୍ତି ନେଇ ମଧ୍ୟ ବହୁବାର ଆଶାୟୀ ମାନେ ଲୋୟର ପିଏମ୍ଜିରେ ଧାରଣା ଦେଇସାରିଲେଣି । ଏପଟେ ଜିଲ୍ଲାରେ ଭିତ୍ତିଭୂମି ନଥାଇ ଛତୁ ଫୁଟିଲା ଭଳି ବେସରକାରୀ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଉଛି । ଏହି ବିଦ୍ୟାଳୟଗୁଡ଼ିକ ଜନସାଧାରଣଙ୍କୁ ଆର୍ଥିକ ଶୋଷଣ କରିବାରେ ଲାଗିଛନ୍ତି । ନିରୀହ ଗରିବ, ଆଦିବାସୀ, ଖଟିଖିଆ, ଶ୍ରମିକ ତଥା ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକେ ବେସରକାରୀ ସ୍କୁଲରେ ନିଜ ପିଲାଙ୍କୁ ପଢ଼ାଇ ନପାରି ଅପାଠୁଆ କରିବେ ଏବଂ ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ । ସ୍କୁଲ ବନ୍ଦର ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ହାଇକୋର୍ଟରେ ମଧ୍ୟ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କିଛି ଶିକ୍ଷକ ନକଲି ସାର୍ଟିଫିକେଟ୍ ପ୍ରଦାନ କରି ମଧ୍ୟ ଚାକିରି କରୁଛନ୍ତି । ସେମାନଙ୍କ ଯୋଗୁଁ ଶିକ୍ଷାର ମାନ ନିମ୍ନଗାମୀ ହେଉଛି । ତେଣୁ ସେମାନଙ୍କୁ ଚିହ୍ନଟ କରି ଚାକିରିରୁ ବହିଷ୍କାର କରିବାକୁ ମଧ୍ୟ ସଂଘ ଦାବି କରିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ଏମ୍. ବାଲ୍ରାଜୁ, ସଂପାଦକ ଗୋପାଳ କୃଷ୍ଣ ବିଷୋୟୀ, ଉପସଭାପତି ବଳରାମ ବେହେରା, ନନ୍ଦିନୀ ପ୍ରଧାନ, ଅତିରିକ୍ତ ସଂପାଦକ ଏମ୍ .ସୁଚିତ୍ରାରାଣୀ ଦାଶ, ଅଂଚଳ ସେଠୀ, କୋଷାଧ୍ୟକ୍ଷ ବଳରାମ ପ୍ରଧାନ, ମିଡ଼ିଆ ସେଂଯୋଜକ ଅରୁଣ କୁମାର ପଟ୍ଟନାୟକ, ମିଡ଼ିଆ ମୁଖପାତ୍ର ହରମୋହନ ଖାଡ଼ଙ୍ଗା, ଜିଲ୍ଲା ସଂଯୋଜକ ଅରବିନ୍ଦ ମହାରଣା, ବିମଳ ସାହୁ, ଶିବାନନ୍ଦ ସାହୁ, ଡି ବିଦ୍ୟାସାଗର, କିଶାନ ସେଠୀ, ଟୁୁକୁନା ସେଠୀ, ଜଗନ୍ନାଥ ଚୌଧୁରୀ ପ୍ରମୁଖ କୋର କମିଟିର ବହୁ ସଦସ୍ୟଙ୍କ ସହ ଆଶାୟୀ ଭାଗ ନେଇଥିଲେ । ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବା ପରେ ସେ କହିବା ପ୍ରକାର ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କୁ ଗିରି ରୋଡ଼୍ଙ୍କୁ ମଧ୍ୟ ସଂଘର କର୍ମକର୍ତ୍ତାମାନେ ଦାବିପତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା