ଚାଷୀଙ୍କୁ ଧାନ ବିକ୍ରିର ଅର୍ଥ ଯୋଗାଇ ଦେବା ପାଇଁ ଶତାଧିକ ଚାଷୀଙ୍କ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ…

ଛତ୍ରପୁର (ସମୃଦ୍ଧ ଓଡିଶା) ହିଂଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ଠୁରୁବୁରାଇ ଗ୍ରାମପଞ୍ଚାୟତର ଚାଷୀମାନଙ୍କ ଧାନ ବିକ୍ରୟ ଟଙ୍କା ମିଲର ଏକ ବର୍ଷ ଧରି ଦେଇନଥିବା ନେଇ ଗତକାଲି ଶତାଧିକ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସେମାନଙ୍କ ଅଭିଯୋଗ ଯେ ଗତ ୧୫.୧୨.୨୦୧୭ ମସିହାରେ ଠୁରୁବୁରାଇ ଗ୍ରାମର ଲକ୍ଷ୍ମୀନୃସିଂହ ରାଇସ ମିଲର ମାଲିକ କୁନୁ ସ୍ୱାଇଁ ସେମାନଙ୍କ ଅମଳ କରିଥିବା ଧାନଗୁଡ଼ିକ ନେଇ ଥିବାବେଳେ ଏ ପର୍ଯ୍ୟନ୍ତ ବିକ୍ରୟ ରାଶି ମିଳିନାହିଁ । ଯାହା ଫଳରେ ସେମାନେ ଶେରଗଡ଼ ବିଡିଓ, ବ୍ଲକ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଗଂଜାମ ଜିଲ୍ଲାପାଳଙ୍କୁ କହିଥିଲେ ସୁଦ୍ଧା ସେମାନଙ୍କ ଅଭିଯୋଗ କାର୍ଯ୍ୟକାରୀ ହୋଇନାହିଁ । ଏ ନେଇ ଗ୍ରାମର ଚାଷୀମାନେ ମିଲରଙ୍କୁ ସେମାନଙ୍କ ପାଉଣା ମାଗିବାକୁ ଗଲେ ସେ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଚାଷୀମାନଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଦାବି କରିଛନ୍ତି । ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀମାନଙ୍କୁ କହିଥିଲେ ଯେ ଆପଣମାନେ ମଣ୍ଡି ଦ୍ୱାରା ମିଲରଙ୍କୁ ଧାନ ବିକ୍ରି କରିନାହାନ୍ତି, ତେଣୁ ଆମେ ଆପଣମାନଙ୍କ ପାଇଁ କିଛି କରିପାରିବୁୁ ନାହିଁ ବରଂ ମିଲର ପାଇଥିବା ସରକାରଙ୍କ ଅର୍ଥକୁ ଆମେ ଅଟକାଇ ପାରିବୁ । ଏ ନେଇ ମିଲରଙ୍କୁ ତାଗିଦ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା