ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନେଇ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ କୃଷକ ସେଲ

ଭୁବନେଶ୍ୱର (ସମୃଦ୍ଧ ଓଡିଶା)  – ବିଜେଡି ଓ ବିଜେପି ସରକାରର ଚାଷୀମାରଣ ନୀତିର  ଦୃଢ଼ ପ୍ରତିବାଦ କରି, ଚାଷୀଙ୍କ ହକ୍ ପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ସହିତ ସାକ୍ଷାତ ଆଲୋଚନା କରି ଏକ ୬ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସରକାରର ଉଦାସୀନତା ଓ ଚାଷୀଙ୍କୁ ବାରମ୍ବାର ଅଣଦେଖା କରୁଥିବା ଯୋଗୁଁ ଚାଷୀକୂଳ ଘୋର ଦୁର୍ଦ୍ଦଶାର ସମ୍ମୁଖିନ । ଚାଷୀ ଉତ୍ପାଦନ ଖର୍ଚ୍ଚର ଉଚିତ୍ ମୂଲ୍ୟ ପାଉନାହିଁ । ପ୍ରାକୃତିକ ବିପର୍ଯ୍ୟୟରେ ବୀମା କ୍ଷତିପୂରଣ ପାଇବାରୁ ବଂଚିତ । ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁଯାୟୀ କୃଷି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କଲେନାହିଁ । ପ୍ରଧାନମନ୍ତ୍ରୀ ବଡ ବଡ ଶିଳ୍ପପତିଙ୍କୁ ହଜାର ହଜାର କୋଟି ଋଣ ଛାଡ କରୁଥିବା ବେଳେ ସାଧାରଣ ଚାଷୀ ଋଣଭାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ଚାଷୀ ତା’ର ହକ୍ ପାଇଁ ଦାବି କରୁଥିବା ବେଳେ ସରକାର ଅମାନୁଷିକ ଭାବେ ବଳ ପ୍ରୟୋଗ କରି ଚାଷୀର ସ୍ୱରକୁ ଚାପି ଦେଉଛନ୍ତି । କୌଣସି ପ୍ରକାର ଏହି ସରକାରର ଚାଷୀ ବିରୋଧି ନୀତିକୁ ବରଦାସ୍ତ କରାଯିବ ନାହିଁ । ସରକାର ତୁରନ୍ତ ସମସ୍ତ ଚାଷୀଙ୍କ ଠାରୁ କୃଷି ଋଣ ଛାଡ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୩ ହଜାର ଟଙ୍କା ବୃଦ୍ଧି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କ୍ୱିଂଟାଲ ପିଛା ୩୦୦ ଟଙ୍କା ବୋନସ୍ ପ୍ରଦାନ, ଫସଲରେ ଚକଡା ଓ ଗୁଣ୍ଡିପୋକର ଆଶୁ ପ୍ରତିକାର, ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ଅଂଚଳକୁ ତୁରନ୍ତ ମରୁଡି ଅଂଚଳ ଘୋଷଣା, ତିତ୍ଲିର ବନ୍ୟା ଓ ବାତ୍ୟାରେ ଫସଲ କ୍ଷତିଗ୍ରସ୍ତ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ ପ୍ରଭୃତି ଜିଲ୍ଲାଗୁଡିକରେ ଚାଷୀଙ୍କୁ ପ୍ରତି ଏକର ପିଛା ୨୦ ହଜାର ଟଙ୍କା କୃଷି ଇନ୍ପୁଟ ସବ୍ସିଡି ପ୍ରଦାନ, ଚାଷୀ ଆତ୍ମହତ୍ୟା ଘଟଣାର କାରଣ ଓ ଏହାର ସ୍ଥାୟୀ ନିରାକରଣ ବ୍ୟବସ୍ଥା ଏବଂ ପ୍ରତ୍ୟେକ ମୃତ ଚାଷୀଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୨୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ନିରଞ୍ଜନ ବେହେରା, ବୃନ୍ଦାବନ ଖଟେଇ, ସଦାନନ୍ଦ ଓଝା, ସ୍ୱପ୍ନେଶ୍ୱର ପୃଷ୍ଟି, ନନ୍ଦିଘେ।ଷ ମହାପାତ୍ର,ବିଶ୍ୱନାଥ ପାଣି, କାର୍ତିକ ଦାସ, ଗୋବିନ୍ଦ ପଟେଲ, ନିରଞ୍ଜନ ମହାନ୍ତ, ପ୍ରଦୀପ ସ୍ୱାଇଁ ଓ ରବିନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର