ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ଉପାନ୍ତ ଜଳେଶ୍ୱର ବ୍ଲକରେ ଥିବା ସମବାୟ ସମିତି ଚାଷୀଙ୍କ ଠାରୁ ସିଧାସଳଖ ସହାୟକ ମୂଲ୍ୟରେ ଧାନ କିଣିଥାଏ । ଫଳରେ ଚାଷୀ ଅଭାବୀ ବିକ୍ରିରୁ ରକ୍ଷା ପାଇଥାନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମେ ମାସ ୧୦ତାରିଖରୁ ଧାନ କ୍ରୟ ଲାଗି ନିର୍ଦ୍ଦେଶ ଥିବା ବେଳେ ହାରାହାରି ଭାବେ ପ୍ରାୟ ୧୫ ତାରିଖରୁ ଧାନକିଣା ଆରମ୍ଭ ହୋଇଛି । ମାତ୍ର ମିଲର ଓ ସେବାସମବାୟ ସମିତିର ସଲାସୁତରାରେ ଅଳ୍ପ କେତେକ ନିର୍ଦ୍ଦିଷ୍ଟ ଚାଷୀଙ୍କ ଠାରୁ ଧାନ କ୍ରୟ ହୋଇଥିବା ବେଳେ ବହୁ ଟୋକନ୍ ପାଇଥିବା ଚାଷୀ ସେମାନଙ୍କର ଧାନ ବିକ୍ରି କରିନପାରି ମଣ୍ଡିରେ ପକାଇ ରଖିଛନ୍ତି । ଆମ୍ବଳିଅଠା ସେବା ସମବାୟ ସମିତିରେ ଧାନ କିଣା ଯାଉନଥିବା ଅଭିଯୋଗ ହୋଇଛି । ଏପରିକି କେତେକ ଚାଷୀଙ୍କର ଟୋକନ୍ ଲେପ୍ସ୍ ହୋଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ରବିବାର ମଧ୍ୟାହ୍ନରେ ବହୁ ଚାଷୀ ଏକତ୍ରିତ ହୋଇ ଆନ୍ଦୋଳନ କରିବା ସହିତ ମଣ୍ଡିରେ ଥିବା ଧାନ ଗୋଦାମ୍କୁ ଚାବି ପକାଇ ଦେଇଛନ୍ତି । ଏ ସମ୍ପର୍କରେ ସିଏସ୍ଓ, ବାଲେଶ୍ୱର, ଏମ୍ଆଇ, ଜଳେଶ୍ୱର, ବିଡିଓ ଓ ସେକ୍ରେଟେରୀଙ୍କୁ ଦାବିପଦ୍ର ଦେବା ସହିତ ସେମାନଙ୍କର ଧାନ କ୍ରୟ ନ ହେଲେ ଆସନ୍ତା ଦିନରେ ଅନଶନ କରିବା ସହିତ ଧାନମଣ୍ଡି ଖୋଲିବାକୁ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ନାଏବ ସରପଂଚ ଅବନୀ କୁମାର ପାତ୍ରଙ୍କ ନେତୃତ୍ୱରେ ଚୈତନ୍ୟ ସେନାପତି, ଅଶୋକ କୁମାର ଜେନା, ପ୍ରଦୀପ ମହାନ୍ତି, ଗୁରୁପ୍ରସାଦ ସେନାପତି, କମଳାକାନ୍ତ ଜେନା, ଅକ୍ଷୟ ଜେନା, ମନୋଜ ଭୂୟାଁ, ସୁନୀଲ ଜେନା, ସତ୍ୟଶିବ ସେନାପତି, ଭବତୋଷ ଜେନା, ଅମିତ ଜେନା ପ୍ରମୁଖ ବହୁ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।