୧୯୮୨ରେ ଦିଲ୍ଲୀରେ ଅନୁଷ୍ଠିତ ଏସିଆନ୍ ଗେମସ୍ ପରିପ୍ରେକ୍ଷୀରେ ଭାରତକୁ ଟିଭି ଆସିଲା, ତା’ପରେ କିଏ କେମିତି ଗୋଟେ ଅଧେ ଛୋଟ କଳାଧଳା ଟିଭି କିଣିଲେ, ତାକୁ ମଧ୍ୟ ଦେଖିବାକୁ ଧାଡ଼ି ଲାଗିଲା, ରୀତିମତ ଯାତ୍ରା, କୋଉଠି ବେଶୀ ଗହଳି ହୋଇଥିଲେ ଜାଣିବ ଟିଭି ଲାଗିଛି । ପୁଣି ସେତେବେଳେ ଏତେ ଚାନେଲ ନଥିଲା, ଡିଟିଏଚ୍ ନଥିଲା କି ପ୍ରସାରଣ କମ୍ପାନୀ ନଥିଲେ । ଛାତ ଉପରେ କିମ୍ବା ଖୋଲା ସ୍ଥାନରେ ଖାଡ଼ି ଆଣ୍ଟେନା ଲଗାଇବାକୁ ପଡୁଥିଲା, ସେଥିରେ ମଧ୍ୟ ବଡ଼ କଷ୍ଟରେ ଚିତ୍ର ଆସୁଥାଏ, ଡିଷ୍ଟର୍ଵ ହେଉଥାଏ ବହୁତ ପ୍ରଥମେ ୧୯୮୭ ମସିହାରେ ଆମର ଗୋଟିଏ କୋଣାର୍କ କଳାଧଳା ବଡ଼ ଟିଭି କିଣା ହୋଇଥିଲା, ପ୍ରଥମେ ପ୍ରଥମେ କିଛି ଦେଖାଯାଉ ନଥାଏ, ତଥାପି ଦେଖିବାକୁ ଘରେ ଲୋକଙ୍କର ଭିଡ଼ କାହିଁରେ କ’ଣ ! ମନେପଡୁଛି ଥରେ ଜଣେ ବୟସ୍କ ବ୍ୟକ୍ତି ଆସିଲେ, କହିଲେ ମୁଁ ଟିକିଏ ଟିଭି ଦେଖିବି, ମୁଁ କହିଲି କିଛି ତ ଆସୁନି, କ’ଣ ଦେଖିବେ, ଖାଲି ଝିଲି ଝିଲି ଦେଖାଯାଉଛି ଏବଂ ସେଁ ସାଁ ଶଦ୍ଦ ଶୁଭୁଛି, ସିଏ କହିଲେ ମୁଁ ସେଇ ଝିଲି ଝିଲି ଦେଖିବି । ଅଗତ୍ୟା ମୁଁ ତାଙ୍କୁ ଘର ଭିତରକୁ ଡ଼ାକି ଟିଭି ଲଗାଇ ଦେଲି, ସିଏ ସେଇ ଝିଲି ଝିଲି ଦେଖି ଖୁସି ହୋଇ ଚାଲିଗଲେ । ଆମର, ଓଡ଼ିଆମାନଙ୍କର ଏମିତି ଏକ ମାନସିକତାକୁ ଅସ୍ତ୍ର କରିଛନ୍ତି ସମସ୍ତେ, ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ । ଅର୍ଥାତ୍ ଜଗନ୍ନାଥପ୍ରାଣ ଓଡ଼ିଆର ଦୁର୍ବଳତା ବା ମାନସିକତା, କାରଣ ମହାପ୍ରଭୁ ଜଗନ୍ନାଥ ଆମର ଗତି, ସ୍ଥିତି, ଲୟ ସବୁ । ଏନ୍ତୁଡିଠୁ ଜୁଇ, ସବୁବେଳେ, ସବୁଠି, ପ୍ରତି ମୁହୂର୍ତ୍ତରେ ପ୍ରଭୁ ଜଗନ୍ନାଥ ଆମର ଲୋଡା ପଡ଼ନ୍ତି, ମାନେ ଜଗନ୍ନାଥ ଆମର ମାତା, ପିତା, ଜ୍ଞାତି, କୁଟୁମ୍ବ, ବନ୍ଧୁବାନ୍ଧବ, ସଖା, ସହୋଦର, କୁଟୁମ୍ବ, ମୁରଵୀ, ଅଭିଭାବକ, ଜାତିଭାଇ, ଇଷାଣ ସଵୁ କିଛି, ତାଙ୍କ ବିନା ଓଡ଼ିଆର ପବନ ହଲେନା । ଆମ ଭଲମନ୍ଦ, ବିପଦ ଆପଦ, ସୁଖଦୁଃଖ ସବୁଥିରେ ଲୋଡା ପଡ଼ନ୍ତି କଳା ସାଆନ୍ତେ, ଖାଲି ଓଡ଼ିଆ ତ ନୁହଁନ୍ତି, ବଙ୍ଗାଳୀ, ପୁଣି ସବୁ ସୀମାସରହଦ ଡେଇଁ ଏବେ ସେ ଲୋଡାପଡିଲେଣି ବିଶ୍ବର କୋଣ ଅନୁକୋଣରେ । ଏମିତି ଯେଉଁ ପ୍ରାଣର ଠାକୁର ଜଗନ୍ନାଥ, ତାଙ୍କୁ କିନ୍ତୁ ଇଛା କଲେ ଦେଖିହୁଏ ନାହିଁ, ମନୁଷ୍ୟ ଇଛା କଲେ ହେବନି, ସିଏ ଆମକୁ ଦେଖାଦେବାକୁ ଇଛା କଲେ ଯାଇ ହେବ, ତାଙ୍କ ଡୋରୀ ଲାଗିଲେ ତେଣିକି ଆଉ ଚିନ୍ତା ନାହିଁ, ଯେମିତି ହେଲେ ଦର୍ଶନ ହେବ ହିଁ ହେବ । ସିଏ ଇଛା ନକଲେ ଆମେ ଯେତେ ଚେଷ୍ଟା କଲେ, ବାଡ଼େଇ ଛାଟି ହେଲେ ମୂଲ୍ୟ ନାହିଁ, ସେଇଠିକି ଯାଇ ଫେରି ଆସିବା ସାର, ଦର୍ଶନ ଟିକେ ମିଳିବ ନାହିଁ । ଅବଶ୍ୟ ସେଥିପାଇଁ ଭାବ ଦରକାର, କାରଣ ସିଏ ପରା ଭାବର ଠାକୁର, “ଭାବକୁ ନିକଟ ସେ ଯେ ଅଭାବକୁ ଦୂର, ଭାବବିନୋଦିଆ ସେଇ କଳାଠାକୁର । “ଆମେ ତାଙ୍କୁ ଛାଡିପାରିବୁନି କି ଧରି ରଖିପାରିବୁନି, ଏଇ ଯୋଉ ମାନସିକତା, ପ୍ରଗଳଭତା ଏହାର ଫାଇଦା ନେଉଛନ୍ତି ସମସ୍ତେ ! ଆଛା କହିଲେ ଦେଖି, କୋଉ ଓଡ଼ିଆର ଇଛା ନଥାଏ ସେ କଳାବଦନ, ସେ ଚକାନୟନ, ସେ ରଙ୍ଗାଅଧର, ସେ ବଳିଆରଭୁଜ ଦେଖି ନୟନ ମନ ପ୍ରାଣ ତୃପ୍ତ ବା ସାର୍ଥକ କରିବାକୁ, ସେ କଳାବାମନଙ୍କୁ ଟିକେ “ମନଭରି”, “ଆଖି ପୂରେଇ”ଦେଖିବାକୁ ? ଗତ ୨୬ ଡିସେମ୍ବର ୨୦୨୨ ଶ୍ରୀମନ୍ଦିର ବାଇଶି ପାହାଚରେ ୮ଜଣ ସ୍କୁଲ ଛାତ୍ରୀ ବେହୋସ୍ ହୋଇଥିବା ଏଇମିତି ଏକ ମାନସିକତାର ଫଳ । ମୟୂରଭଞ୍ଜ, ରାସଗୋବିନ୍ଦପୁର ହୃଦାନନ୍ଦ ହାଇସ୍କୁଲର ୭୦ଜଣ ଛାତ୍ରଛାତ୍ରୀ ଖ୍ରୀଷ୍ଟମାସ ଅବସରରେ ପୁରୀ ପିକନିକରେ ଆସିଥିଲେ, ଦିନ ୨.୦୦ରେ ଖାଇ ସାରିବା ପରେ ସେମାନେ ସମୁଦ୍ରକୂଳରେ ବୁଲିଥିଲେ । ତା’ପରେ ଜଗନ୍ନାଥ ଦର୍ଶନ ନିମନ୍ତେ ବାରିକେଡରେ ଠିଆ ହୋଇଥିଲେ । ୨୪ ତାରିଖଠାରୁ ନବବର୍ଷ ଉପଲକ୍ଷେ ପ୍ରଵଳ ଭିଡ଼ ଆରମ୍ଭ ହୋଇ ସାରିଥିଲା, ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨କି.ମି.ପ୍ରଚଣ୍ଡ ଖରା ଓ ପ୍ରବଳ ଭିଡ଼ରେ ଠିଆ ହୋଇ ସେମାନେ ଆକ୍ତାମାକ୍ତା ହୋଇଯାଇଥିବେ।୩/୪ଘଣ୍ଟା ଗରମରେ/ଭିଡ଼ରେ ଠିଆ ହୋଇ ଶ୍ରୀମନ୍ଦିରରେ ପ୍ରବେଶ କଲା ପରେ ବାଇଶି ପାହାଚରେ ପ୍ରଥମେ ୬ଜଣ ଓ ପରେ ୩ଜଣ ଏମିତି ୯ଜଣ ଛାତ୍ରୀ ବେହୋସ୍ ହୋଇଗଲେ, ସମସ୍ତେ, ନବମ/ଦଶମ ଶ୍ରେଣୀର । ସେଦିନ ପ୍ରବଳ ଭିଡ଼ ହୋଇଥିଲା, ସାଧାରଣ ନୂଆବର୍ଷ ଭିଡ ସାଙ୍ଗକୁ ପୁରୀରେ ବିଜେଡି ପାଳୁଥିବା, ୨୫ତମ ଜନ୍ମ-ବାର୍ଷିକୀ ଜନିତ ଗହଳି ଏଥିରେ ମିଶି ଗଲା, ଏଥିରେ ତ ଭିଡ଼ ହେବ ହିଁ ହେବ । ପିଲାମାନେ କେତେ ସମୟ ସମ୍ଭାଳିପାରିବେ ? ସେଥିରେ ସେମାନେ କହିବା କଥା ବାଇଶି ପାହାଚ ଉପରେ ଠେଲାପେଲା ହୋଇଗଲା, ଏମାନେ ସମ୍ଭାଳିନପାରି ବେହୋସ୍ ହୋଇଗଲେ ରାତି ୮.୦୦ସମୟରେ । ତୁରନ୍ତ ସେମାନଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଶ୍ରୀମନ୍ଦିର କର୍ମଚାରୀ ଓ ପୋଲିସ ସହାୟତାରେ ସ୍ଥାନୀୟ ହସ୍ପିଟାଲକୁ ନିଆଗଲା ଓ ତ୍ୱରିତ ଚିକିତ୍ସା ଆରମ୍ଭ ହେଲା, ଫଳରେ ସମସ୍ତେ ସୁସ୍ଥ ଅଛନ୍ତି । ଏହାପରେ ଜଗାଦର୍ଶନ ନିମନ୍ତେ ପିଲା ଓ ବୟସ୍କମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଲାଇନ ହେବାର ଘୋଷଣା କରାଯାଇଛି, “ନିର୍ବାଣ ଦୀପେ କିମୁ ତୈଳ ଦାନମ୍, ଚୌର ଗତେ ବା କିମୁ ସାଵଧାନମ୍ ।” ଶ୍ରୀମନ୍ଦିରର ଏ ଘଟଣା ନୂଆ ନୁହେଁ, ଏମିତି ଅନେକ ଘଟଣା ଅତୀତରେ ହୋଇଛି, ହେଉଛି, ହେଉଥିବ ମଧ୍ୟ, ଯେତେଦିନ ପର୍ଯ୍ୟନ୍ତ ଆମର ଏହିପରି ତ୍ରୁଟିପୂର୍ଣ୍ଣ ବାରିକେଡ ଓ ଦର୍ଶନ ବ୍ୟବସ୍ଥା ଥିବ।କାରଣ ଖ୍ରୀଷ୍ଟମାସ ଏବଂ ନବବର୍ଷ ପାଇଁ ପ୍ରବଳ ଗହଳି ଏକଥା କ’ଣ ପ୍ରଶାସନକୁ ଅଜଣା, ମରିଚିକୋଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବାରିକେଡରେ ଉପଯୁକ୍ତ ଛାଇ ପଵନ/ପାନୀୟଜଳ କିଛିର ସୁବିଧା ନାହିଁ, ଉପରୋକ୍ତ ଘଟଣାପରେ ଏକଥା ସାମ୍ବାଦିକ ଓ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଖ୍ରୀଷ୍ଟମାସ ପୂର୍ବଦିନ ୨୪ତାରିଖରେ ମୁଁ ମଧ୍ୟ ସପରିବାର ପୁରୀ ଯାଇଥିଲି ଜଗାଦର୍ଶନ ସକାଶେ । ପୂର୍ଵରାତିରୁ ନୂତନ ବାରିକେଡ ତିଆରି ହୋଇଥିଲା, ଆମେ ସକାଳ ୬.୩୦ରେ ପହଞ୍ଚିବା ବେଳକୁ ପ୍ରବଳଭିଡ଼, ଆମ ବାରିକେଡ୍ ଧର୍ମକୁ ଆଖି ଠାରଭଳି, ଏଠି ଖଣ୍ଡେ ସେଠି ଖଣ୍ଡେ ସବୁଦିନିଆ ବାରିକେଡ୍ ସିଂହଦ୍ଵାର ସମ୍ମୁଖରେ କିଛି- ବାଟ, ମନ୍ଦିର ଭିତରେ ବାଇଶିପାହାଚ ଟପିବାପରେ ଭିତରବେଢାରେ ୨୦ଫୁଟ ଖଣ୍ଡେ ଷ୍ଟିଲ ବାରିକେଡ୍, ତା’ପରେ ଗର୍ଭଗୃହରେ ପଶିଗଲେ କିଛିନାହିଁ, ଯେତେ ଠେଲାପେଲା, ଧସ୍ତାଧସ୍ତି ହୋଇପାରିବ, ଆମେ ତ ଭିତରକୁ ଛାଡିଦେଲୁ, ତା’ପରେ ଦାୟିତ୍ଵ ତମର (ଭକ୍ତମାନଙ୍କର, ଯାହା ହେଲେ ବି କର୍ତ୍ତୃପକ୍ଷ ଦାୟୀ ନୁହଁନ୍ତି) । ଆମେ ଗଲାଦିନ ୭.୦୦ରୁ ସେପଟେ, କଳ୍ପବଟ ପଟେ, ଶ୍ରୀମନ୍ଦିର ଭୋଗ ଅଫିସଠୁ ଧାଡ଼ି ବାଇଶି ପାହାଚ ପର ଗୁମୁଟ ଦେଇ ଷ୍ଟିଲ ବାରି- କେଡ୍ ପର୍ଯ୍ୟନ୍ତ ଲମ୍ବିଥାଏ । ବାରିକେଡ୍ ଗେଟ୍ ବନ୍ଦ, ନୀତି ଚାଲିଥିବାରୁ ମନ୍ଦିର ଭିତରକୁମନା ପ୍ରାୟ ଏକଘଣ୍ଟା ଠିଆ ହେଲା ପରେ ବାରିକେଡ ଖୋଲିଲା ମଝିରେ ବ୍ରେକ ହୋଇ ଗର୍ଭଗୃହରେ ପଶିବାବେଳକୁ ୮.୨୦ମି. । ଭିତରର ଅବସ୍ଥା ଅବର୍ଣ୍ଣନୀୟ, ଖାଲି ପେଲାଠେଲା, ଧକାଧକି, ମରାମରି, ଏମିତି ଚାଲିଥିବ, ବାହାରକାଠ ସମ୍ମୁଖରେ ଅସମ୍ଭାଳ ଭିଡ଼, ସମସ୍ତେ ଚାହାଁନ୍ତି ଚକା ଆଖି ଉପରେ ଟିକେ ନଜର ପକାଇଦେବେ, ମାଛି ପଡ଼ିଲେ ନବଖଣ୍ଡ ପରିସ୍ଥିତି, ତେଣିକି ଫାଳେ ଅଧେ ଦର୍ଶନ ମିଳିଲେ ଆଛା ନ ମିଳିଲେ ଆଛା, କ’ଣ ନା ଜଗାଦର୍ଶନକୁ ଯାଇଥିଲୁ, ହଲପ୍ କରି କହିଲେ ଏ ଗହଳିରେ ଜଗନ୍ନାଥଙ୍କର ଗୋଟେ ଆଖି ବଡ଼ଠାକୁରଙ୍କ ଗୋଟେ ଆଖି ଓ ମାତା ସୁଭଦ୍ରାଙ୍କ ଦର୍ଶନ ମାତ୍ର ମିଳୁଛି, ଅଧିକର ପ୍ରଶ୍ନ ନାହିଁ । ତଥାପି ଓଡ଼ିଆ ଖୁସି, “ଭୋକେ ଓଡ଼ିଆ ନିଦ ଯାଏ”ସବୁବେଳେ ଏ ଜାତିଟା ଅଳ୍ପରେ ସନ୍ତୁଷ୍ଟ ! ପ୍ରତ୍ୟେକ ଚାହାଁନ୍ତି ଆଗରେ ଯିବେ, ଦର୍ଶନ କରିବେ,ପଛରେ କିଏ ଅଛି ନ ଅଛି,ସେକଥା ଚୁଲିକୁଯାଉ, ଆମ ଦର୍ଶନ ହେଲେ ଗଲା, ଏଇ ମାନସିକତା ଯୋଗୁଁ ଏଭଳି ପରିସ୍ଥିତି ।ଏମିତି ଆଉଥରେ୨୦୨୨ କାର୍ତ୍ତିକ ମାସରେ ଯାଇଥିଲୁ,ସମ୍ପୂର୍ଣ୍ଣ ଏକା ଅବସ୍ଥା । ଏତେ ଆଡ଼େ ବଡ଼ ବଡ଼ ତୀର୍ଥ କ୍ଷେତ୍ର ଅଛି, ଅନେକ ଆଡ଼େ ବୁଲିଛି, ଏଭଳି ମନୁଷ୍ୟକୃତ ଅବହେଳା ବିରଳ । ଯଦି ଦୈବାତ୍ (ଚକାଡୋଳା ନ କରନ୍ତୁ ସେମିତି କିଛି ନ ହେଉ) ସେ ଗହଳିରେ ପିଲା/ବୁଢ଼ା/ବୁଢ଼ୀ କିଏ ତଳେ ପଡିଗଲେ, ଆଉ ଆଦାୟ ନାହିଁ, ସିଧା ପଞ୍ଚତ୍ୱ ପ୍ରାପ୍ତି ! ସେଇଠି ଜଣା ପଡିଯିବ ଏ ଅଧା ଖଣ୍ଡିଆ, ମାଗି ଆଣିଲା ତିଅଣ ପରି ବାରିକେଡର ମୂଲ୍ୟ କ’ଣ ! ମାତ୍ର ସେତେବେଳେ କତ୍ତୃପକ୍ଷ ଦେହରୁ ଛଡାଇଦେବେ, ଆମେ ତ ବାରିକେଡ୍ କରି ଛାଡିଥିଲୁ ! ଅନ୍ୟ ଅନେକ ବିଖ୍ୟାତ ତୀର୍ଥସ୍ଥାନରେ ବାରିକେଡ୍ ପୂରା ମୁଖ୍ୟ ବିଗ୍ରହଙ୍କ ପର୍ଯ୍ୟନ୍ତ, ଉଦାହରଣ, ଅନ୍ୟତମ ଚାରିଧାମ, ଦ୍ଵାରକାର ଦ୍ଵାରୀକାଧୀଶ ମନ୍ଦିର । ଯଦି ଆମର ଗର୍ଭଗୃହ ରେ ବାରିକେଡ୍ କରିବାର ସୁବିଧା ନାହିଁ, ତେବେ ମଧ୍ୟ ବିକଳ୍ପ ଅଛି, ଏକାଥରେ ହଜାର ଯାତ୍ରୀଙ୍କୁ ଭିତରକୁ ନଛାଡି ୨୦୦ ଭକ୍ତଙ୍କୁ ଥରକେ ଭିତରକୁ ଛାଡ଼ିଲେ କିଛି ଅସୁବିଧା ହୁଅନ୍ତାନି, ସମସ୍ତେ ସୁବିଧାରେ ଅଳ୍ପ ସମୟରେ ଦର୍ଶନ କରିପାରନ୍ତେ । କିନ୍ତୁ ୨୦୦ ସ୍ଥାନରେ ଯଦି ପ୍ରିୟା ପ୍ରୀତିକରି ଅଧିକ ଛାଡ଼ିବ, ବିଶୃଙ୍ଖଳା ହେବା ନିଶ୍ଚିତ । ଏଥିପାଇଁ ମାନବିକ କାର୍ଯ୍ୟ ସମ୍ଭବ ନ ହେଲେ ଡିଜିଟାଲ ପ୍ରଣାଳୀର ଆଶ୍ରୟ ନିଆଯାଇପାରେ, ସିଏ ତ ଆଉ ପ୍ରିୟିପ୍ରୀତି କରିବନି ! ସମୟ ପରିଚାଳନା ମଧ୍ୟ ସେଇ ଡିଜିଟାଲ ଦ୍ଵାର ହେଉ ବା ପ୍ରଣାଳୀ ହେଉ ସିଏ ବୁଝିବ, ଯେମିତି ଦକ୍ଷିଣରେ ଅତିବେଶୀରେ ଠାକୁରଙ୍କୁ ମିନିଟିଏ ଦେଖିପାରିବ, ନଚେତ୍ ଆମର ଏଠି ୨/୩ ମିନିଟ ସମୟ ଦିଆଯାଇପାରେ, ଏମିତି ହେଲେ ସବୁ ଶୃଙ୍ଖଳିତ ହୋଇପାରିବ ବୋଲି ମୋର ବ୍ୟକ୍ତିଗତ ମତ । ଠିକ୍ ସେମିତି ସିଂହଦ୍ଵାରରେ ମଧ୍ୟ ଗହଳିକୁ ନଜରରେ ରଖି ସୀମିତ ସଂଖ୍ୟାରେ ଭିତରକୁ ଛାଡ଼ିଥିଲେ ଡିସେମ୍ବର ୨୬ର ଘଟଣା ଘଟିନଥାନ୍ତା । ଘଟଣାପରେ ତଦନ୍ତ କରାଇବା, ତଦନ୍ତ କମିଶନ ବସାଇବା ଏସବୁ ଅର୍ଥହୀନ ଓ କାଳକ୍ଷେପଣ । ଏକଦା ଜଣେ ପ୍ରସିଦ୍ଧ ଚିକିତ୍ସକ କହୁଥିଲେ, ରୋଗର ଚିକିତ୍ସା ଅପେକ୍ଷା ନିରାକରଣ ଊପାୟ ଉପାଦେୟ, ତା’ ଅପେକ୍ଷା ସଠିକ୍ ନିଦାନ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ସେଇଭଳି ଆମେ ଯଦି ଏଇ ଉପରୋକ୍ତ ସମସ୍ୟାର ସଠିକ ନିଦାନ ବା ସମାଧାନର ଉପାୟ ପାଇଯିବା ତେବେ ଚିକିତ୍ସାର ଆବଶ୍ୟକତା ପଡ଼ିବନି, ନିରାକରଣରେ ହିଁ ସବୁ ଠିକ୍ ହୋଇଯିବ, ମାତ୍ର ଏଥିପାଇଁ ଆନ୍ତରିକ/ନିରନ୍ତର ପ୍ରଚେଷ୍ଟା ଏକାନ୍ତ ଜରୁରୀ । ଶ୍ରୀମନ୍ଦିରରେ ଦର୍ଶନ ସକାଶେ ଅନେକ କଟକଣା ଥିଲେ ମଧ୍ୟ ସୁବିଧାବାଦୀ ଗୋଷ୍ଠୀ କାଳେ କାଳେ ଅଛନ୍ତି । ରାଜନୈତିକ ନେତା, ଉଚ୍ଚ ପ୍ରଶାସନିକ ଅଧିକାରୀ, ବିଚାରପତି ଏମାନଙ୍କ ବ୍ୟତିରେକେ ବିଭିନ୍ନ ପ୍ରକାରେ ଅଗ୍ରାଧୀକାର ନେବା ଗୋଷ୍ଠୀ ଅନେକ ଅଛନ୍ତି, ମାତ୍ର ସାଧାରଣ ଲୋକଟିଏ କଥା କେହି ଚିନ୍ତା କରୁଛି କି ? ଯେତେବେଳେ ଧର୍ମାନୁଷ୍ଠାନର ଲକ୍ଷ ହେବା ଉଚିତ୍ “ସର୍ବେ ଭବନ୍ତୁ ସୁଖୀନଃ”, ଅର୍ଥାତ୍ ସାଧାରଣ ଲୋକ ମଧ୍ୟ ଭଲରେ ରହନ୍ତୁ, ଏଠାରେ ହେବ ସୁବିଧାରେ ଦର୍ଶନ କରି ମନଖୁସିରେ ଫେରନ୍ତୁ, ଯାହା ସୁଦୂର ପରାହତ ! ଧରନ୍ତୁ ବର୍ତ୍ତମାନର ଆଳୁ(ସବୁଦିନିଆ ଅତ୍ୟାବଶ୍ୟକ ପରିବା)ଦର ଟ୧୫/-ରୁ ଟ୧୦୦/- ହୋଇଗଲା, ଦିନେ କେବେ ବଜାର ମାଡ଼ି ନଥିବା, ନେତା, ମନ୍ତ୍ରୀ, ଉଚ୍ଚାଧିକାରୀଙ୍କର ଯାଏ କେତେ ଆସେ କେତେ, ସାଧାରଣ ଲୋକ ପରିଣାମ ଭୋଗିବେ, ନିୟମ କହୁଛି “ଡେଙ୍ଗା ମୁଣ୍ଡରେ ଠେଙ୍ଗା” । ସେମିତି ଶ୍ରୀମନ୍ଦିରରେ ଦର୍ଶନରେ ସାଧାରଣ ଲୋକଟିଏ ଯେ ଏତେଅସୁବିଧାର ସମ୍ମୁଖୀନ ହେଉଛି, ଏକଥା ଆଇନ ତିଆରି କରୁଥିବା, ନୀତି ପ୍ରଣୟନ କରୁଥିବା ମନ୍ତ୍ରୀ, ନେତା, ଉଚ୍ଚାଧିକାରୀ ଜାଣିବେ କେମିତି, ତାଙ୍କ ପାଇଁ ତ କେତେ କ’ଣ ଅପେକ୍ଷା କରିଛି, ବିନା ଇଙ୍ଗିତରେ ! ଏସବୁ କଥାକୁ ବିଚାର କରି ଜନକଲ୍ୟାଣକାରୀ ସରକାର ଯେତେ ଶୀଘ୍ର ଶ୍ରୀମନ୍ଦିର ଦର୍ଶନବ୍ୟବସ୍ଥାର ସଂସ୍କାର କରିବେ ସେତେ ଭଲ, କାରଣ ଏମିତି ବିଭିନ୍ନ କାରଣ ହେତୁ ସାଧାରଣ ଜନତାଙ୍କ ମନରେ ବାରମ୍ବାର ଦର୍ଶନଦିଗରେ କୁଣ୍ଠା ପ୍ରକାଶ ପାଇଲାଣି ।ସତକହିଲେ ସେବେ ଯେମିତିବାରମ୍ବାର ଶ୍ରୀମନ୍ଦିର ଯିବାକୁ, ବାରବାର ଜଗାକୁ ଦର୍ଶନ ନିମନ୍ତେ ମନ ଉଚ୍ଚାଟ ହେଉଥିଲା, ଏମିତି ସବୁ କଟକଣା ପରେ ମନ ଭାଙ୍ଗିଯାଇନି ! “ପାଦ ଯୋଡିକ ଥାଇ ବୋଇଲେ ମୁଁ କ୍ଷେତ୍ର ଯିବି, ମନ ମୋର ଥାଇ କହିଲା, ବାରିକେଡକୁ
ନିଘା ରଖିଥିବି, ହାତ ଯୋଡ଼ିକ ଥାଇ କହିଲେ ଗର୍ଭଗୃହରେ ଠେଲାପେଲାରେ ନପଶିଵି ।”
ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯