ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଅସ୍ୱଭାବିକ ଭାବେ ବଢୁଛି ଶଙ୍କରଙ୍କ ଗାଲ:ସରକାରୀ ସହାୟତା ନିମନ୍ତେ ଦାବୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଅଧିନସ୍ଥ ବିଜେ ପଦ୍ମନାଭପୁର ତଥା ଲାଡିଗାଁ ଗ୍ରାମର ଶଙ୍କର ନାଇକ(୨୭)ଙ୍କ ଗାଲ ଏବେ ଅସ୍ୱଭାବିକ ଭାବେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ଚିକିତ୍ସା ପାଇଁ ଅର୍ଥ ଏବଂ ବାଧକତା ସାଜିଥିବାରୁ ପ୍ରଶାସନିକ ତଥା ସରକାରୀ ସହାୟତା ପାଇଁ ଗୁହାରୀ କରିଥିବା ଜଣାପଡିଛି । ସୂଚନା ଅନୂଯାୟୀ ୩ ଭାଇ ଭଉଣୀ ଏବଂ ପତ୍ନୀ ଓ ଛୁଆଙ୍କୁ ନେଇ ଶଙ୍କରଙ୍କ ପରିବାର । ନିହାତି ଗରୀବ ଶ୍ରେଣୀର ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର୍ ଭାବେ କାର୍ଯ୍ୟ କରି ପରିବାର ଭରଣ ପୋଷଣ କରୁଛନ୍ତି । ଗତ ୨୦୧୫ ମସିହାରୁ ଚାରି ବର୍ଷ ହେଲା ଶଙ୍କରଙ୍କ ଗାଲରେ ଏକ ମାଂସ ପିଣ୍ଡୁଳା ଅସ୍ୱଭାବିକ ଭାବେ ବୃଦ୍ଧି ପାଇଛି । ଏଥିପାଇଁ ସେ ବହୁ କଷ୍ଟ ପାଉଥିବା ବେଳେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବ୍ରହ୍ମପୁର ଏମକେସିଜି ଯାଇ ବହୁ ପରୀକ୍ଷା ନିରୀକ୍ଷା କରି ଫେରିସାରିଛନ୍ତି ସେ । ଦିନକ ମଜୁରୀ ଛୁଟି କରିଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଯାଉଥିବା ବେଳେ ସମ୍ପ୍ରତ୍ତି ଯନ୍ତ୍ରଣା ଦିନକୁ ଦିନ ବଢୁଥିବା କହିଛନ୍ତି ଶଙ୍କର । ଅସ୍ତ୍ରୋପଚାର କରିଲେ ଏହାର ସ୍ଥାୟୀ ପ୍ରତିକାର ହୋଇଯିବ ବୋଲି ଡାକ୍ତର କହୁଥିବା ବେଳେ ଅସ୍ତ୍ରୋପଚାର ସମେତ ଔଷଧିୟ ଔପଚାର ଆଦି ମିଶି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବାକୁ ମିଳିଛି । ଶଙ୍କରଙ୍କ ପକ୍ଷେ ଏତେ ଅର୍ଥ ଖର୍ଚ୍ଚାନ୍ତ କରି ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏବଂ ଚିକିତ୍ସା କରିବା ଅସମ୍ଭବ ହେଉଥିବା ବେଳେ ଭାଗ୍ୟକୁ ଆଦରି ସେଭଳି ନିରାଶ ହୋଇ ରହିଥିବା କହିଛନ୍ତି । ଅନ୍ୟପଟେ ଋଣ କରି ଅସ୍ତ୍ରୋପଚାର ଆଦି କରିବାକୁ ଚିନ୍ତା କରୁଥିବା ବେଳେ ପରିବାରର ବୋଝ ତଥା ଗୁଜରାଣ ମେଣ୍ଟାଇବାକୁ ନେଇ ସେ ବ୍ୟଥିତ ହୋଇଯାଉଥିବା ପ୍ରକାଶ କରିଛନ୍ତି । ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି । ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ତଥା ରାଜ୍ୟ ଚିକିତ୍ସା ପାଣ୍ଠିରୁ ସରକାରୀ ସହାୟତା ଯୋଗାଇଦେଇ ଶଙ୍କରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଅସ୍ତ୍ରୋପଚାର କରି ଯନ୍ତ୍ରଣାରୁ ମୁକ୍ତି କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା