ଚିଟଫଣ୍ଡ ମାଧ୍ୟମରେ ବିଜେଡି ସରକାର ଓଡିଶାବାସୀଙ୍କୁ ଲୁଟିଛନ୍ତି:ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚିଟଫଣ୍ଡ ମାଧ୍ୟମରେ ବିଜେଡି ସରକାର ଓଡିଶାବାସୀଙ୍କୁ ଲୁଟିଛନ୍ତି । କେବଳ ଓଡିଶା ନୁହେଁ ଗରୀବ ଓଡିଆ ମାନଙ୍କୁ ସୁରଟରେ ଲୁଟି ଅଧିକ ସୁଧ ପାଇବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ହଡପ କରିଛନ୍ତି । ଚିଟଫଣ୍ଡର ଲୁଟେରାମାନେ ଶାସକ ଦଳର ମୁଖ୍ୟ କାର୍ପଟଦାର ସାଜିଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଶାସକ ଦଳର ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ରାଜ୍ୟର ଅନେକ ଚିଟଫଣ୍ଡ ସଂସ୍ଥାକୁ ପ୍ରମୋଟ କରିଛନ୍ତି । ସିବିଆଇ ଜାଲରେ ଶାସକ ଦଳର ବିଧାୟକ, ସାଂସଦ ଜେଲ୍ ଯାଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଯୋଗାଇଛନ୍ତି । ଅନ୍ୟପଟେ ୨ ବର୍ଷ ତଳେ ଲୋକଦେଖାଣିଆ ଭାବେ ତଦନ୍ତ ନାଁରେ ଗରୀବ ଲୋକଙ୍କ ଚିଟଫଣ୍ଡ ପଇସା ଫେରସ୍ତ ପାଇଁ ଜଷ୍ଟିସ ଏମ ଏମ ଦାସ କମିଶନ ବସାଇଥିଲେ । ବର୍ତମାନ ସୁଦ୍ଧା ୧୩ ଲକ୍ଷ ୫୦ ହାଜାର ସତ୍ୟପାଠ ଦାଖଲ ପରେ ବି ଜଣଙ୍କ ଆକାଉଂଟକୁ ଟଙ୍କାଟିଏ ବି ଆସିଲା ନାହିଁ । ଗତ ନିର୍ବାଚନ ସମୟରେ ମୁମ୍ବାଇର ଏକ ଚିଟଫଣ୍ଡ ସଂସ୍ଥା ବିଜେଡି ଦଳୀୟ ପାଣ୍ଠିକୁ ନିର୍ବାଚନ ଖର୍ଚ୍ଚ ପାଇଁ ଅର୍ଥ ଦେଇଥିଲା । ମିଥ୍ୟା ସତ୍ୟପାଠ ଦେଇଥିବା ନବୀନ ବାବୁଙ୍କ ଭାଗ୍ୟ ଏବେ ନିର୍ବାଚନ କମିଶନଙ୍କ ପାଖରେ ଝୁଲୁଛି । ନିରପେକ୍ଷ ବିଚାର ହେଲେ ନବୀନ ବାବୁ ୩ ବର୍ଷ ପାଇଁ ନିର୍ବାଚନ ଲଢି ପାରିବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଶାସକ ବିଜେଡି ଚିଟଫଣ୍ଡ ମାଧ୍ୟମରେ କୋଟି କୋଟି ଟଙ୍କା ହଡପ କରିବା ପରେ ରାଜ୍ୟସରକାର ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କଥା କହି କ୍ଷତିଗ୍ରସ୍ତକାରୀ ମାନଙ୍କୁ କମିଶନ ଆଳରେ ଟଙ୍କା ଫେରାଇବା ଭେଳକି ଦେଖାଇ ଚାଲିଛନ୍ତି । ରାଜ୍ୟସରକାର ଆଉ ଭୂଆଁ ନବୁଲାଇ ୨୦ ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତୁରନ୍ତ ପଇସା ଫେରସ୍ତ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢ ଦାବି କରିଛନ୍ତି । ସିବିଆଇ ପ୍ରସଙ୍ଗରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ସିବିଆଇ ସଂସ୍ଥାର ଗାରିମା ରକ୍ଷା କରିବାକୁ ହେଲେ ବଳିଷ୍ଠ ନିଷ୍ପତି ନେବାକୁ ପଡିଥାଏ । କିନ୍ତୁ ଶାସକ ବିଜେଡିର ଯୁବ ବାହିନୀ ମୁଖ୍ୟ ଅରୂପ ପଟ୍ଟନାୟକ ସିବିଆଇ ଉପରେ ପ୍ରଶ୍ନ ଉଠାଇବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ର୍ଦୁଭାଗ୍ୟଜନକ । ମୁମ୍ବାଇର ପୂର୍ବତନ କମିଶନର ଅରୂପ ପଟ୍ଟନାୟକଙ୍କ ସଂପର୍କ ଅଣ୍ଡରୱାଲଡ ଡନ୍ ମାନଙ୍କ ସହ ରହିଥିବାର ଅଭିଯୋଗ ରହିଛି । ମୁଖ୍ୟମନ୍ତ୍ରୀ ମୁମ୍ବାଇର ଗୁଣ୍ଡାଙ୍କୁୁ ଆଣି ଗୁଣ୍ଡାବାହିନୀର ମୁଖ୍ୟ କରି ନିର୍ବାଚନ ପୂର୍ବରୁ ଆତଙ୍କ ଖେଳାଇ ଚାଲିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ଆଲୋକ ବର୍ମା ଏବଂ ଆସ୍ଥାନାଙ୍କ ପ୍ରସଙ୍ଗରେ କୌଣସି ପ୍ରକାରରର ବେନିୟମ କାର୍ଯ୍ୟ ହୋଇଛି ବୋଲି କହିଲେ ନାହିଁ । ଦୁଇ ଦିନ ପୂର୍ବରୁ ବିଜେଡି ସାଂସଦଙ୍କ ମାଲିକାନାରେ ଚାଲିଥିବା ଏକ ଘରୋଇ ଟିଭି ଚ୍ୟାନେଲକୁ ଶ୍ରୀ ପଟ୍ଟନାୟକ, ଆଲୋକ ବର୍ମା ଜଣେ ସଚ୍ଚୋଟ ଅଫିସର କହି ୨୦୧୪ରେ ସିବିଆଇ ନିର୍ଦ୍ଦେଶକ ପାଇଁ ନିଜ ନାଁ ଯିବା ବୟାନରୁ ଜଣାପଡୁଛି କି, ଶାସକ ବିଜେଡି ଲୋକଙ୍କୁ ଭୂଆଁ ବୁଲାଇ ସିବିଆଇକୁ ଅପମାନିତ କରିବା ପାଇଁ ବିଦ୍ଧିବଦ୍ଧ ଷଡଯନ୍ତ୍ର ଚଲାଇଛି । ବିରି ମାଡ ଦେଖି କୋଳଥ ଚୋପା ସୂତ୍ରରେ ସିବିଆଇ ଭୟରେ ମୁଖ୍ୟମନ୍ତ୍ରୀ ଅରୂପ ବାବୁଙ୍କ ଜରିଆରେ ଆତ୍ମରକ୍ଷାର ବଳୟ ଆଗରୁ ସୃଷ୍ଟି କରିବା ପାଇଁ ବୃଥା ପ୍ରୟାସ କରୁଛନ୍ତି । ଚିଟଫଣ୍ଡର ଛୋଟ ଦାନବ ମୁଖ୍ୟମନ୍ତ୍ରୀଙ୍କ ନିବାସର ମୁଖ୍ୟ କର୍ତା । ତାଙ୍କ ଦସ୍ତଖତରେ ଚିଟଫଣ୍ଡରେ ସଂପୃକ୍ତି ଯୋଗୁଁ ଜେଲ ଯିବା ପରେ ବାଙ୍କୀ ବିଧାୟକ ଦଳରୁ ନିଲମ୍ବନ ହୋଇଥିବା କଥା ସାରା ଓଡିଶାବାସୀ ଜାଣନ୍ତି । ଏ ସରୋଜ ସାହୁ ଚରିତ୍ର କାହାର ପ୍ରତିନିଧୀ ବୋଲି ଶ୍ରୀ ଆଚାର୍ଯ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉତର ଚାହିଁଥିଲେ । ଅରୂପ ପଟ୍ଟନାୟକ ସିବିଆଇ ନିର୍ଦ୍ଦେଶକ ହୋଇଥିଲେ ପୂରା ଭାରତକୁ ଲୁଟି ଦେଇଥାନ୍ତେ । ମୁମ୍ବାଇ କମିଶନର ଭାବେ ଶ୍ରୀ ପଟ୍ଟନାୟକ ପୂରା ମୁମ୍ବାଇକୁ ଲୁଟି ଏବେ ଓଡିଶାକୁ ଲୁଟିବା ପାଇଁ ଆସିଛନ୍ତି । ଏହା କଣ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ବୋଲି ଶ୍ରା ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ଏ ସବୁ ପ୍ରଶ୍ନର ଜବାବ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଦେବା ପାଇଁ ବାଧ୍ୟ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢ ତେଚାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର