
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ପ୍ରଶାସନକୁ ଅଧିକ ଗତିଶୀଳ, ସମୟାନୁବର୍ତ୍ତିତା, ସ୍ୱଚ୍ଛ ଓ ଦକ୍ଷତାପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ୫ଟି ଓ ମୋ ସରକାର ବ୍ୟବସ୍ଥା ପ୍ରଣୟନ କରିଛନ୍ତି । କିନ୍ତୁ ରାଜ୍ୟ ଶିକ୍ଷା ବିଭାଗର କେତେକ ଜିଲ୍ଲା ଶିକ୍ଷାଧିକାରୀ ଉଦ୍ଦେଶ୍ୟ ମୂଳକ ଓ ମନ୍ଦ ଉଦ୍ଦେଶ୍ୟ ରଖି କିଭଳି ସରକାରୀ ଆଦେଶକୁ ବାଏଁ ବାଏଁ ଉଡେଇ ଦଉଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ଏବେ କେତେକ ଜିଲ୍ଲା ଶିକ୍ଷାଧିକାରୀଙ୍କ କ୍ଷେତ୍ରରେ ଦେଖା ଦେଇଛି । ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା ୨୫୭୧୪ ତା ୨୯.୭.୨୦୧୬ରିଖରେ ବିଜ୍ଞପ୍ତି କ୍ରମରେ ରାଜ୍ୟର ଶିକ୍ଷା ଅଧିକାରୀ ସମୁହଙ୍କୁ ଏକ ନିର୍ଦ୍ଦେଶାବଳୀ ପଠାଇ ଅନୁରୋଧ କରିଥିଲେ ଯେ ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ଗୁଡିକରେ କାର୍ଯ୍ୟ କରୁଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ୬ବର୍ଷ ପରେ ସ୍ଥାୟୀ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଫେବୃୟାରୀ ମାସ ୧୫ ତାରିଖ ମଧ୍ୟରେ ଏବଂ ସ୍କ୍ରିନିଂ କମିଟି ଦ୍ୱାରା ଯାଞ୍ଚ କରି ସ୍ଥାୟୀକରଣ ପ୍ରସ୍ତାବ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରୁ ଅନୁମୋଦନ ନିମନ୍ତେ ପଠାଇବେ । କିନ୍ତୁ ଦୁଃଖର କଥା ସରକାର ଆଦେଶକୁ ଫୁ କଲେ କେତେକ ଜିଲ୍ଲା ଶିକ୍ଷା ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ତଥା ମନ୍ଦ ଉଦ୍ଦେଶ୍ୟ ରଖି ଫେବୃୟାରୀ ଶେଷ ହେବାକୁ ବସିଥିବା ବେଳେ ଅଦ୍ୟାବଧି ପ୍ରସ୍ତାବ ପଠାଉ ନାହାନ୍ତି । ଯାହା ଫଳରେ ହଜାର ହଜାର ଶିକ୍ଷକ ଶିକ୍ଷୟତ୍ରୀ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି ଅଭିଯୋଗ କରିଛନ୍ତି ଯେ, କେତେକ ଜିଲ୍ଲାର ଡି.ଇ.ଓ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ବିଳମ୍ବ ଓ ତୃଟି ପାଇଁ ୨୦୧୮ ମସିହାରେ ସ୍ଥାୟୀ ଦେବାକୁ ଥିବା ୨୦୧୨ ମସିହାରେ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ହୋଇପାରିଲେ ନୀହିଁ । ପାଇଲଟି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ଗଣଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗରୁ ଅର୍ଥ ବିଭାଗ ମଧ୍ୟରେ ଦୋଳି ଖେଳୁଛି । ସେହିପରି ୨୦୧୩ ମସିହାରେ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଥାୟୀ କରିବା ପ୍ରସ୍ତାବ କେତେକ ଜିଲ୍ଲା ଯଥା- ଦେବଗଡ଼, ରାୟଗଡା, ସୁନ୍ଦରଗଡ଼, କଟକ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ବଲାଙ୍ଗୀର, ଢେଙ୍କାନାଳ, ମୟୁରଭଞ୍ଜ, କଳାହାଣ୍ଡି ଓ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ ମାନେ ପ୍ରସ୍ତାବ ପଠାଇ ସାରିଥିବା ବେଳେ ଅବଶିଷ୍ଟ ଜିଲ୍ଲା ଏହାକୁ ଜାଣିଶୁଣି ପକେଇ ରଖୁଛନ୍ତି । ଏହି ପ୍ରସ୍ତାବ ନ ପଠାଇ ଡେରି କରିବା ମୂଳରେ ଅନେକ ଅସାଧୁ ଓ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କର୍ମଚାରୀ ନେତା ପ୍ରଭାତ ମହାନ୍ତି ଅଭିଯୋଗ କରିଛନ୍ତି । ସଂପୃକ୍ତ ଡିଇଓ ମାନେ ଯଥାଶୀଘ୍ର ସ୍ଥାୟୀ ପ୍ରସ୍ତାବ ନ ପଠେଇଲେ ଓ ଧାର୍ଯ୍ୟ ସମୟ ସୁଦ୍ଧା ୬ ବର୍ଷ ଅବଧି ଶେଷ କରିଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ସ୍ଥାୟୀ ନକଲେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବୀ କରାଯିବ ବୋଲି ପ୍ରଭାତ ମହାନ୍ତି ଜଣାଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ