ଭୂବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗ ଆସନ୍ତା ୨୦ ତାରିଖରୁ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ବର୍ତ୍ତମାନ ଏହି ଭୟାଭୟ ପରିସ୍ଥିତିରେ କରୋନା ସହ ଲଢିବାରେ ସରକାରଙ୍କୁ ସହଯୋଗ କରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ସରକାର କରୋନା ଯୋଦ୍ଧା ଘୋଷଣା କରିବା ସହ ବିମାରେ ମଧ୍ୟ ସାମିଲ୍ କରିଛନ୍ତି । କିନ୍ତୁ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ପରିଗଣିତ କରିଥିଲେ ବି ସରକାରୀ ବିମାରେ ଅନ୍ତର୍ଭୁକ୍ତ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଯାହା ଆମ ପରି ଅସହାୟ ଅତି କମ୍ ଦରମା ପାଉଥିବା ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ମାନସିକ ଆଘାତ ଦେଇଛି ଏବଂ କରୋନା ଯୋଦ୍ଧା ଭାବରେ ଲଢିବାର ଉତ୍ସାହକୁ କମେଇ ଦେଇଛି ଵୋଲି ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି । ଏହାସହ ସଂଘ ପକ୍ଷରୁ କିଛି ଦାବି ଉପସ୍ଥାପନ କରାଯାଇଛି । ସେଗୁଡିକ ହେଲା – ସାରା ଓଡିଶାରେ ସରକାର ମାତ୍ର ୬୦ଟି ପରୀକ୍ଷା ଖାତା ମୂଲ୍ୟାୟନ ସେଣ୍ଟର୍ କରିଛନ୍ତି, ଯାହା ବର୍ତ୍ତମାନର ଏହି ପରିସ୍ଥିତିରେ ପର୍ଯ୍ୟାପ୍ତ ନୁହଁ । ଗୋଟିଏ ସେଣ୍ଟର୍ ରେ ଏତେ ସଂଖ୍ୟକ ନିରୀକ୍ଷକ ଯୋଗ ଦେଲେ କରୋନା ସଂକ୍ରମଣକୁ ରୋକା ଯାଇ ପାରିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଯେହେତୁ ସାମାଜିକ ଦୂରତାକୁ ଠିକ୍ ଭାବରେ ପାଳନ କରି ହେଵ ନାହିଁ । ତେଣୁ ପରୀକ୍ଷା ଖାତା ମୂଲ୍ୟାୟନ ସେଣ୍ଟର୍ ସଂଖ୍ୟା ଅତିକମରେ ସାରା ଓଡିଶା ପାଇଁ ୧୨୦ଟି କରାଯାଉ ଏବଂ ଗୋଟିଏ ବିଷୟକୁ ଅଲଗା ଅଲଗା ପର୍ଯ୍ୟାୟ କ୍ରମେ ମୂଲ୍ୟାୟନ କରାଯାଇ ସାରିଲା ପରେ ଆଉ ଏକ ବିଷୟକୁ ପୁଣି ସେହି ନିୟମରେ ମୂଲ୍ୟାୟନ କରାଯାଉ । ସମସ୍ତ ପରୀକ୍ଷା ଖାତା ମୂଲ୍ୟାୟନ ସେଣ୍ଟରରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଉ । ମାଟ୍ରିକ୍ ଖାତା ମୂଲ୍ୟାୟନ କରିବାକୁ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ “ସ୍ୱତନ୍ତ୍ର କିଟ୍ସ୍” ଯଥା ମାସ୍କ୍, ଗ୍ଲୋବ୍ସ୍ ଏବଂ ସାନିଟାଇଜର୍ ପ୍ରଦାନ କରାଯାଉ । ନିକଟରେ ମାତୃତ୍ୱ ଲାଭ କରିଥିବା ତଥା ମାତୃତ୍ୱ ଲାଭ କରିବାକୁ ଯାଉଥିବା ଏବଂ ଶାରୀରିକ ଅସୁସ୍ଥ ଥିବା ଶିକ୍ଷୟିତ୍ରୀଙ୍କୁ ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନରୁ ବାଦ୍ ଦିଆଯାଉ । ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ କରିବାକୁ ଥିବା ତଥା କରୋନା ମୁକାବିଲାରେ ସାମିଲ୍ ହୋଇଥିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରି ସମସ୍ତଙ୍କୁ ସରକାରୀ ବିମାରେ ଅର୍ନ୍ତଭୁକ୍ତ କରିବାକୁ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସଭାପତି ଶୁଭ୍ରଜିତ୍ ପ୍ରତିହାରୀ, ସଂପାଦକ ନିରୋଦ ରଥ, କୋଷାଧ୍ୟକ୍ଷ ନବଜ୍ୟୋତି ମହାପାତ୍ର, କାର୍ଯ୍ୟକାରୀ ସଂପାଦକ ବିଶ୍ୱଜିତ୍ ବିଶ୍ଵାଳ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା, ଦେବାଶିଷ ନାୟକ, ଅଜୟ କୁମାର ସାହୁ, ସୌମ୍ୟରଞ୍ଜନ ମଲ୍ଲିକ୍, ସୌମ୍ୟରଞ୍ଜନ ପ୍ରଧାନ, ମନୋହର ଦାସ୍, ପ୍ରତାପ୍ ସାମଲ୍, ଶିବଶଙ୍କର ସାମଲ୍, ରାଜେନ୍ଦ୍ର ମଲ୍ଲିକ୍, ଶୁଭସୁନ୍ଦର ପଣ୍ଡା ଏବଂ ଚନ୍ଦ୍ରକାନ୍ତ ଜେନା ଆଦି ପ୍ରମୁଖ ଦାବି କରିଥିବା କାର୍ଯ୍ୟକାରୀ ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ ଜଣାଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ