ଚୋରା ବାଲି ବୋଝେଇ ଟ୍ରାକ୍ଟର ପୋଖରୀ ମଧ୍ୟକୁ ପଶିଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବାଲି ଚୋରାଚାଲାଣକୁ ବନ୍ଦ କରିବାଲାଗି ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ତାହା ରୋକା ଯାଇପାରୁ ନାହିଁ । ଏନ୍‌ଜିଟିର ଚାପ ପରେ ଜିଲା ପ୍ରଶାସନର କଡା ନିର୍ଦ୍ଦେଶ ଯୋଗୁଁ ଜଳେଶ୍ୱର ତହସିଲ ପକ୍ଷରୁ ବେଶ୍ ଧରପଗଡ ଆରମ୍ଭ କରାଯାଇଛି । ଫଳରେ ବାଲି ମାଫିଆମାନେ ତହସିଲ କର୍ମଚାରୀ ମାନଙ୍କୁ ଚପାଇ ମାରି ଦେବାକୁ ମଧ୍ୟ ଉଦ୍ୟମ କରୁଥିବା ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଆଜି ରବିବାର ଥିବାରୁ ତହସିଲ କର୍ମଚାରୀମାନେ ଛୁଟିରେ ରହିଥିବା ଜାଣି କେତେକ ବାଲି ମାଫିଆ ଦକ୍ଷିଣ ପ୍ରହରାଜପୁର ଅଂଚଳରୁ ବେଆଇନ୍ ‌ଭାବେ ନଦୀରୁ ବାଲି ଉତ୍ତୋଳନ କରି ଦେଉଳା ଅଂଚଳକୁ ପରିବହନ କରୁଥିବା ବେଳେ ଜଳେଶ୍ୱର ତହସିଲର ଏନ୍‌ଫୋର୍ସମେଣ୍ଟ ଟିମ୍ ଗୋଡାଇଥିଲେ । ଡ୍ରାଇଭର ଜାଣିପାରି ଦ୍ରୁତଗତିରେ ଟ୍ରାକ୍ଟରଟିକୁ ନେଇ ଖସି ପଳାଇବାକୁ ଚେଷ୍ଟା କଲାବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ । ଲକ୍ଷ୍ମଣନାଥ ଷ୍ଟେସନ ନିକଟ ଦେଉଳା ଗ୍ରାମର ଏକ ପୋଖରୀ ମଧ୍ୟରେ ଟ୍ରାକ୍ଟରଟି ପଶି ଯାଇଥିବା ବେଳେ ଡ୍ରାଇଭର ଡେଇଁ ଖସି ପଳାଇ ଯାଇଥିଲା । ଏହି ନମ୍ବର ବିହିନ ଟ୍ରାକ୍ଟରଟି ମାଳିପାଳ ଗ୍ରାମର ସୁଜିତ୍ ଘୋଷଙ୍କର ବୋଲି ଜଣାପଡିଛି । ଏହି ଟ୍ରାକ୍ଟରଟିକୁ ପୋଲିସ୍ ପକ୍ଷରୁ ଜବତ୍ କରାଯାଇଥିବା ଜଣାଯାଇଛି ।