ଛତ୍ରପୁରରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁରରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗଂଜାମ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ଗତ ମଇ ମାସ ସୁଦ୍ଧା ୩୫୭ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ମଇ ମାସ ସୁଦ୍ଧା ୩୪୨ଟି ସଡକ ଦୁର୍ଘଟଣା ଘଟିଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଚୟ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି । ବେପୁରିଆ ଗାଡି ଚାଳନା, ଟ୍ରାଫିକ୍ ନୀୟମ ନମାନିବା, କମ୍ ବୟସର ପିଲାମାନେ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଇବା ଆଦି ଦୁର୍ଘଟଣାର ପ୍ରମୂଖ କାରଣ ହୋଇଛି ବୋଲି ଜଣାପଡିଥିବା କୁହାଯାଇଛି । ତେଣୁ ଜିଲ୍ଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ ବୋର୍ଡ ଲଗାଇବା ସହ ସିସି ଟିଭି ଲଗାଇବା ପାଇଁ ମାଲିକମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସିସି ଟିଭି ଫୁଟେଜକୁ ଆଧାର କରି ତାଙ୍କଠାରୁ ଜୋରିମାନା ରାଶି ଆଦାୟ କରାଯିବ । ବିଦ୍ୟାଳୟ ଖୋଲିଲା ମାତ୍ରେ ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବା କରୁଥିବା ବସ, ଅଟୋରିକ୍ସା ଗୁଡିକ ଠିକ୍ ଅଛି କି ନାହିଁ ତାହା ତନଖୀ କରିବା ସହ ଛାତ୍ରଛାତ୍ରୀଙ୍କ ବ୍ୟାଗଗୁଡିକ ଗାଡି ଭିତରେ ପଛପଟେ ରଖିବା ପାଇଁ କୁହାଯାଇଛି । ଛାତ୍ରଛାତ୍ରୀମାନେ ନିଜେ କିପରି ନିଜର ଯତ୍ନ ନେଇପାରିବେ ସେ ବିଷୟରେ ସେମାନଙ୍କୁ ସଚେତନ କରାଯିବା ସହ ଚିଠି ମାଧ୍ୟମରେ ହେଲମେଟ୍ ବ୍ୟବହାର ସଂପର୍କରେ ନିଜ ନିଜ ବାପା ମାଙ୍କୁ ଜଣାଇବେ । ଭାଙ୍ଗି ଯାଇଥିବା ରାସ୍ତା ଗୁଡିକର ମରାମତି ଓ ପୁନରୁଦ୍ଧାର କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥଗୁଡିକର ବୁଲାଣି ରାସ୍ତାରେ ଉତ୍ତଳ ଦର୍ପଣ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁର ଯିବା ରାସ୍ତାରେ ଥିବା ଲୁହା ବାରିକେଡିଂ ଗୁଡିକ ମରାମତି କରିବା, ଦାରିଂବାଡି ଘାଟି ରାସ୍ତାରେ ସଠିକ୍ ସଙ୍କେତଗୁଡିକ ଲଗାଇବା ପାଇଁ ନିର୍ଦ୍ଦେଶ ଦେବା ସହ ପ୍ରତ୍ୟେକ ଦୁର୍ଘଟଣାର କାରଣ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ରାଜପଥରେ ମଧ୍ୟ କ୍ୟାମେରା ଲଗାଇ ହେଲମେଟ୍ ନ ପିନ୍ଧି ଗାଡି ଚଳାଉଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ମୋଟରଯାନ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜାତୀୟ ରାଜପଥ କଡରେ ଥିବା ଦୋକାନଗୁଡିକୁ ହଟାଇବା ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗାଡି ଚାଳକମାନଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ଶିବିର ଆୟୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ବ୍ରହ୍ମପୁର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଆରକ୍ଷୀଅଧୀକ୍ଷକ ପିନାକ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଭଂଜନଗର  ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ସଡକ ସୁରକ୍ଷା କମିଟିର ସଦସ୍ୟ ବସନ୍ତ କୁମାର ମହାରଣା ଓ ଅନୀଲ କୁମାର ପାଢୀ, ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି)  ବ୍ରହ୍ମପୁର ଡିଭିଜନ-୧ ଓ ଡିଭିଜନ-୨ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ଭଂଜନଗର, ଗଂଜାମ ଜିଲ୍ଲା ଟ୍ରକ ଆସୋସିଏସନ ର ସଂପାଦକ ,ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା