ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପକଣ୍ଠ ମାଟିଖାଲ ସ୍ଥିତ ଆଇଆରଇ କମ୍ପାନୀର ମୃତ ଶ୍ରମିକଙ୍କ ହିତାଧିକାରୀଙ୍କୁ ନିଯୁକ୍ତି ଦାବି ସହ ପରିବାରବର୍ଗକୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଦାବି ଜୋର ଧରିଛି । ସୂଚନା ଯେ, ଆଇଆରଇ କମ୍ପାନୀରେ କାର୍ଯ୍ୟରତ ଥିବା ସମୟରେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କମ୍ପାନୀ ପରିସରରେ ନିଯୁକ୍ତି ନେଇ ବହୁବାର ମୃତ ଶ୍ରମିକଙ୍କ ପରିବାରବର୍ଗ ଆନ୍ଦୋଳନ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଉଚିତ୍ ନ୍ୟାୟ ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏ.ତୋଟାପଲ୍ଲୀ ସ୍ଥିତ ମା’ ବ୍ୟାଘ୍ରଦେବୀ ମନ୍ଦିର ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ଶାଖାର କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ପୌରହିତ୍ୟରେ ବୈଠକରେ ଆଇଆରଇ କମ୍ପାନୀର ମୃତ ଶ୍ରମିକଙ୍କ ପରିବାରବର୍ଗ ପକ୍ଷରୁ ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଉପସଭାପତି ଡମିନାଥ ସାହୁ, ଲାଇବ୍ରେରୀ ଓ ସେମିନାର ସଂପାଦକ ସୁରେଶ କୁମାର ପଟ୍ଟନାୟକ, ପୂର୍ବତନ ଓକିଲ ସଂଘର ସଭାପତି ରାମଚନ୍ଦ୍ର ବେହେରା, ଆଇନଜୀବୀ ଗଙ୍ଗାଧର ପଣ୍ଡା ଓ ଶିବ ପ୍ରସାଦ ସାହୁ ପ୍ରମୂଖ ଉପସ୍ଥିତ ମୃତ ଶ୍ରମିକଙ୍କ ଦାବି ସଂକ୍ରାନ୍ତରେ ପୂର୍ବରୁ ଥିବା ଦାବି ନେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୃତ ଶ୍ରମିକଙ୍କ ହିତାଧିକାରୀଙ୍କୁ କମ୍ପାନୀରେ ନିଯୁକ୍ତି ଓ ନ୍ୟାୟ ପ୍ରଦାନ ସକାଶେ ସଂଗ୍ରାମ ଜାରି ରହିବ ବୋଲି ଛତ୍ରପୁର ଓକିଲ ସଂଘର ସଭାପତି ଶ୍ରୀ ପାଢୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅବନୀକାନ୍ତ ସାହୁ, ନୃସିଂହ ଗୌଡ, ତପନ କୁମାର ପାତ୍ର, ଗଜେନ୍ଦ୍ର ନାୟକ, ଆଶିଷ ମହାପାତ୍ର, ସୋନୁ ଜାନି, ସୁଶାନ୍ତ ନାୟକ, ରଂଜିତ ବେହେରାଙ୍କ ସମେତ ବହୁ ମୃତ ସଦସ୍ୟଙ୍କ ପରିବାର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା