


ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ରେଳ ବିଭାଗ ତରଫରୁ ଛତ୍ରପୁର କୋର୍ଟ ଷ୍ଟେସନ ନିକଟରେ ଗଳାପୋଲ ନିର୍ମାଣ କରାଯାଇଛି । ଏଥିରେ ୨୮ଟି ବକ୍ସ ରହିଛି । ଏହି ଗଳା ପୋଲ ନିର୍ମାଣ ପାଇଁ ସାଢେ ୧୧ ଟାରୁ ଅପରାହ୍ନ ସାଢେ ୬ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ କରାଯାଇଥିଲା । ଏଥିଯୋଗୁଁ ଏକାଧିକ ଟ୍ରେନ ବିଭିନ୍ନ ରେଳ ଷ୍ଟେସନରେ ଅଟକି ରହିଥିଲା । ୩ଟି ପାସେଞ୍ଜର ଟ୍ରେନ ବାତିଲ କରାଯାଇଥିଲା । ଗୁଣୁପୁର-ପୁରୀ ଟ୍ରେନ ପଲାସା ପର୍ଯ୍ୟନ୍ତ ଆସି ପୁଣି ସେଠାରୁ ଗୁଣୁପୁର ଅଭିମୁଖେ ଯାତ୍ରା କରିଥିଲା । କାମ ସାରିବା ପରେ କନ୍ୟାକୁମାରୀ ହାୱାଡା ଏକ୍ସପ୍ରେସ ଟ୍ରେନ ପ୍ରଥମେ ଚାଲିଥିଲା । ଏହି ଗଳା ପୋଲ ନିର୍ମାଣ ପରେ ଆପ୍ରୋଚ ରୋଡ଼, ଗାର୍ଡୱାଲ ସମେତ ଉକ୍ତ ସ୍ଥାନରେ ଆଲୋକୀକରଣ ରେଳ ବିଭାଗ ପକ୍ଷରୁ କରାଯିବ । ଆଗାମୀ ଦିନରେ ବଡ ଷ୍ଟେସନର ପ୍ଲାଟଫର୍ମ ସମ୍ପ୍ରସାରଣ ସହ ରେଳଟ୍ରାକ ସିଫଟିଙ୍ଗ ବାବଦରେ ୧୦ କୋଟି ଟଙ୍କା ମଂଜୁର କରାଯାଇଛି । ଏହାର କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି ସୂଚନା ଦିଆଯାଇଛି । ଛତ୍ରପୁର ରିକାପଲ୍ଲୀ ଓ କୋର୍ଟ ଷ୍ଟେସନରେ ହୋଇଥିବା ଗଳ ପୋଲ ପରେ ଏହାର ଆପ୍ରୋଚ ରୋଡ଼ କାର୍ଯ୍ୟ ସାରିଲେ ଏହି ଦୁଇ ରେଳ ଫଟକ ବନ୍ଦ କରାଯିବ । ଚାତ୍ରପୁରବାସୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ଛତ୍ରପୁର ନାଗରିକ କମିଟି ତରଫରୁ ବହୁବାର ଖୋର୍ଦ୍ଦା ଡିଆରଏମଙ୍କୁ ସାକ୍ଷତ କରି ଛତ୍ରପୁର ସହରରେ ୨ଟି ଗଳାପୋଲ ନିର୍ମାଣ ପାଇଁ ଦାବି କରାଯାଇଥିଲା । ଗଳାପୋଲ ନିର୍ମାଣ କାର୍ଯ୍ୟ ସମୟରେ ଖୋର୍ଦ୍ଦା ଡିଭିଜନ ଏଡିଆରଏମ ରାଜ କୁମାର, ଚି ବିଜ୍ର ଇଂଜିନିୟର କେ.ଜି.ଅଗ୍ରଵାଲ, ସିନିୟର ଡିଭିଜିନାଲ ଇଂଜିନିୟର ପ୍ରତିରାଜ ପାଣିଗ୍ରାହୀ, ସିନିୟର ଡ଼ିଏସଓ ଜି.ସି ନାୟକ, ସି.ଆର.ନାୟକ ସମେତ ରେଳ ବିଭାଗ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ସୁରକ୍ଷା ଦୃଷ୍ଟି ପୋଲିସ ସମେତ ଆରପିଏଫ ମୁତୟନ କରାଯାଇଥିଲା । ଦ୍ରୁତ ଗାମୀ ଟ୍ରେନ ରହଣି ଦାବି ନେଇ ପୁଣି ଡିଆରଏମଙ୍କୁ ଅବଗତ କରାଯିବ ବୋଲି ଛତ୍ରପୁର ବରିଷ୍ଠ ଆଇନଜୀବୀ ବି. ଶ୍ରୀନିବାସ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






