

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଜିଲ୍ଲା ବ୍ୟାପୀ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ଆଜି ସ୍ଥାନୀୟ ପୁଲିସ ପଡ଼ିଆଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ ଜିଲ୍ଲାରେ ଚଳିତ ବର୍ଷ ୩୮୯ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ତେଣୁ ସଡ଼କ ସୁରକ୍ଷା ନିମନ୍ତେ ପ୍ରତି ବିଦ୍ୟାଳୟରେ ୧୫ ମିନିଟ କ୍ଲାସ କରାଯାଉଛି । ତା ସହିତ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସଚେତନ କରାଯାଉଛି । ନିଜେ ସଚେତନ ହେଲେ ଲକ୍ଷ ଲକ୍ଷ ଲୋକଙ୍କୁ ସଚେତନ କରାଇପାରିବା । ସମସ୍ତେ ସଡ଼କ ସୁରକ୍ଷା ପାଇଁ ଆରଟିଓଙ୍କୁ ସହଯୋଗ କରିବାକୁ କହିଥିଲେ ।


ସେହିପରି ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ
କହିଥିଲେ ଯେ, ଅଭ୍ୟାସ ଗତ ଭାବେ ହେଲମେଟ ବ୍ୟବହାର କରିବା ଉଚିତ ହେବ ବୋଲି ନିଜେ ହେଲମେଟ ପିନ୍ଧି ଅନ୍ୟମାନଙ୍କୁ ମଧ୍ୟ ହେଲମେଟ ପିନ୍ଧିବା ନିମନ୍ତେ ସଚେତନ କରାଅ ।

ପରିବହନ ବିଭାଗର ଡେପୁଟି କମିଶନର (ଦକ୍ଷିଣାଂଚଳ) ବସନ୍ତ କୁମାର ବେହେରା ଯୋଗଦେଇ ବାଇକଗୁଡ଼ିକ ଯୁବପୀଢ଼ି ଚଳାଇବାବେଳେ ହେଲମେଟ ନଲଗାଇ କାନରେ ଇଅର ଫୋନ ଦେଇ ଦ୍ରୁତଗତିରେ ଗାଡ଼ି ଚଳାଇବାରୁ ଦୁର୍ଘଟଣାମାନ ଘଟୁଛି । ଏଣୁ ସମସ୍ତେ ଏଥିପ୍ରତି ସଚେତନ ହୁଅନ୍ତୁ । ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିବା ସହ ନିଜ ନିଜ ଅଭିଭାବକମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ ।

୧୮ ବର୍ଷରୁ କମ ପିଲାମାନେ ଗାଡ଼ି ଚଳାଇ ସ୍କୁଲ ଆସିଲେ ସ୍କୁଲ କର୍ତୃପକ୍ଷ ଯଦି ତାଙ୍କୁ ପ୍ରବେଶ କରାନ୍ତି, ତେବେ ତାଙ୍କୁ ଆର୍ଥିକ ଓ ଜେଲ ଦଣ୍ଡ ମିଳିବ । ତେଣୁ ସ୍କୁଲ କଲେଜ କର୍ତୃପକ୍ଷ ପିଲାଙ୍କୁ ଏଥିପ୍ରତି ସଚେତନ କରାନ୍ତୁ । ସେହିପରି ଗଂଜାମ ଏମଭିଆଇ ସମୀର କୁମାର ଦଳେଇ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ଗୁଣଗାନ କରିଥିଲେ । ଏହି ଅବସରରେ ଗଂଜାମ ଜିଲ୍ଲାପାଳ ଉପସ୍ଥିତ ଜନସାଧାରଣ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ଉପରେ ଶପଥ ପାଠ କରାଇଥିଲେ । ଏହାପରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ପ୍ରାରମ୍ଭରେ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡଠାରୁ ପୋଲିସ କର୍ମଚାରୀମାନେ ହାତରେ ପ୍ଲାକାର୍ଡ଼ ଧରି ସଡ଼କ ସୁରକ୍ଷା ଜୀବନ ରକ୍ଷାର ସଚେତନା ବାର୍ତ୍ତା ଦେଇ ଏକ ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା କରି ପୋଲିସ ପ୍ୟାରେଡ ପଡ଼ିଆଠାରେ ପହଞ୍ଚିଥିଲେ । ଏହି ସଚେତନତା ରାଲିକୁ ଗଞ୍ଜାମ ପୋଲିସ ଜିଲ୍ଲାର ଆସିଷ୍ଟାଂଟ କମାଣ୍ଡାଂଟ ଜିତେନ୍ଦ୍ର କୁମାର ଦେହୁରୀ, ଗଂଜାମ ପୋଲିସ ଜିଲ୍ଲାର ରିଜର୍ଭ ପୋଲିସ ଇନିସପେକ୍ଟର ସୁବଳ ସୋରେନ, ଛତ୍ରପୁର ଥାନାଧିକାରୀ ପ୍ରିୟସ ରଂଜନ ଛୋଟରାୟ, ଗଞ୍ଜାମ ଏମଭିଆଇ ସମୀର କୁମାର ଦଳେଇ ପତାକା ଦେଖାଇ ଶୁଭରମ୍ଭ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଛତ୍ରପୁର ଆଖପାଖ ଅଂଚଳର କଲେଜ, ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








