ଛତ୍ରପୁର ବିଧାୟକଙ୍କୁ ହଟାଇବା ପାଇଁ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମେଳି: ବଢ଼ିଲା ବିଜେଡି ସମସ୍ୟା…

ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଛତ୍ରପୁର ବିଧାୟକଙ୍କୁ ହଟାଇବା ପାଇଁ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ ମେଳି ବାନ୍ଧିଲେଣି । ଏନେଇ ଗତକାଲି ଛତ୍ରପୁର କ୍ଲବ ମହାନାଦପୁର ପଞ୍ଚାୟତ ବିରିପୁର ଗ୍ରାମର ଚଟେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀର ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ବନ୍ଧୁ ମିଳନ ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରଭାସି ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏଥିରେ ଛତ୍ରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଭଗବାନ  ବେହେରା, ଯୁବନେତା ବିମଳ ପଣ୍ଡା, ସାଂସଦଙ୍କ ବ୍ଲକ ପ୍ରତିନିଧି ଜଟିଆ ନାହାକ, ଗଞ୍ଜାମ ବ୍ଲକ ସାଂସଦ ପ୍ରତିନିଧି ଲକ୍ଷ୍ମୀଚରଣ ପାଢ଼ୀ, ଛତ୍ରପୁର ଏନଏସି ସାଂସଦ ପ୍ରତିନିଧି ଆୟୁବ ଖାନ, ବଟକୃଷ୍ଣ ପଣ୍ଡା, ନିବାସୀ ଗୌଡ଼, ସୁରେଶ ଦାସ, ଡି. ଲାଛନା ରାଓ ପ୍ରମୁଖ ଯୋଗ ଦେଇଥିଲେ । ନେତାମାନେ ତାଙ୍କ ବକ୍ତବ୍ୟରେ ପ୍ରିୟାଂଶୁ ହଟାଅ, ବିଜେଡି ବଞ୍ଚାଓ ସ୍ଲୋଗାନ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବର୍ତ୍ତମାନର ବିଧାୟକଙ୍କୁ ହଟାଇ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ନୂଆଁ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ସମସ୍ତ କର୍ମୀ ଶପଥ ନେବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ବିଧାୟକ ବିଜେଡିର ପୁରୁଣାକର୍ମୀଙ୍କୁ ଅଣଦେଖା କରୁଛନ୍ତି ବୋଲି କିଛି ନେତା ଅଭିଯୋଗ କରିବା ସହିତ କୌଣସି ବିକାଶମୂଳକ କାର୍ଯ୍ୟ କରିନାହାନ୍ତି । ଫଳରେ ଦଳର ଜାଣସମ୍ପର୍କ ପଦଯାତ୍ରା ସମୟରେ ଦଳୀୟ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ତେବେ ସଭାରେ ଅସନ୍ତୁଷ୍ଟ ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ତାଙ୍କ ଦ୍ୱାରା ବହୁ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ । ଏହିଭଳି କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତରେ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏହି ବାର୍ତ୍ତା ପହଞ୍ଚାଯିବ ବୋଲି ବୈଠକାରେ ମତ ପ୍ରକାଶ ପାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମନୋଜ ପାତ୍ର, ଅର୍ଜୁନ ନାହାକ, ପିଣ୍ଟୁ ପାଣିଗ୍ରାହୀ, ରବୀନ୍ଦ୍ର ରାଉଳ, ରାଜେନ୍ଦ୍ର ବେହେରା, ରାଜେନ୍ଦ୍ର ସେଠିଙ୍କ ସମେତ ଵାହନାଦପୁର ଓ ବଉଳଗାଁ ପଞ୍ଚାୟତର ବିଜେଡି କର୍ମୀ ଉପସ୍ଥିତ ଥିଲେ । ତେବେ ବନ୍ଧୁ ମିଳନରେ ଛତ୍ରପୁର ବ୍ଲକ ବିଜେଡିର କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିବାକୁ ମିଳିନଥିଲା । ଏଭଳି ବନ୍ଧୁ ମିଳନ ସମ୍ପର୍କରେ ଜିଲ୍ଲା ବିଜେଡି ସଂପାଦକ ମନୋଜ ପାଢ଼ୀଙ୍କ ସହ ମତାମତ ନେବାରୁ ସେ କହିଛନ୍ତି ଯେ ଛତ୍ରପୁର ବ୍ଲକରେ ବିଜେଡିର ବୈଠକ ହେବା ନେଇ କୌଣସି ସୂଚନା ନାହିଁ ବୋଲି କହିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା