ଛତ୍ରପୁର ବିରାଟ ଜନସମାବେଶ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବା ପୂର୍ବରୁ ପେଣ୍ଡାଲ ଖାଲି…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଗଞ୍ଜାମ ଗସ୍ତରେ ଆସି ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ଏନଏସି, ଗଞ୍ଜାମ ଏନଏସି ଓ ରମ୍ଭା ଏନଏସିରେ ରୋଡ଼ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ବେହେରା ଏବଂ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ ଭିକ୍ଷା କରିଛନ୍ତି । ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ ସରିଲା ବେଳକୁ ରାତି ୮ତା ବାଜିଥିଲା । ସେପଟେ ଛତ୍ରପୁର ଷ୍ଟାଡିୟମଠାରେ ଦେବାକୁ ଥିବା ସଭାରେ ଶତାଧିକ ମହିଳା ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଅପେକ୍ଷା କରି ରହିଥିଲେ । କିନ୍ତୁ ବିଳମ୍ବ ଯୋଗୁଁ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ରାତି ୯ଟା ବେଳେ ଛତ୍ରପୁର ସହରରେ ରୋଡ଼ ସୋ କରିଥିଲେ । ଜାତୀୟ ରାଜପଥ-୧୬ରୁ ଛତ୍ରପୁର ଡିଆରଡିଏ ଛକ ଦେଇ ସହରକୁ ପ୍ରବେଶ କରି ଅପର ବସଷ୍ଟାଣ୍ଡ, ବଡ ରେଡ୍ଡିକା ସାହି ଜଗସନ, ମାଝି ବଜାର, ରିକାପଲ୍ଲୀ, ଲୋୟର ବସଷ୍ଟାଣ୍ଡ ଓ ନେତାଜୀ ଛକ ଦେଇ କଲେଜ ଛକ ପର୍ଯ୍ୟନ୍ତ ରୋଡ଼ ସୋ ହୋଇଥିଲା । ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷ ଅମିତା ସାହୁ ବିଜେଡି ଛାତ୍ର ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅତ୍ୟାଧୁନିକ ବସ ଉପରୁ ହିଁ ଛତ୍ରପୁର ଅପର ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ । ସେହିପରି ଗଞ୍ଜାମର ଦାମୋଦର ପୁର ଛକ ଏବଂ ରମ୍ଭାର ପାନ୍ଥ ନିବାସ ଛକରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା