ଛତ୍ରପୁର ସହରର ବିକାଶ ମୂଳକ କାର୍ଯ୍ୟ ଓ ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ଓକିଲ ସଂଘ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହରର ବିକାଶ କାର୍ଯ୍ୟ କରିବା ଓ ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ ଗତକାଲି ଛତ୍ରପୁର ଓକିଲ ସଂଘ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ବିଭିନ୍ନ ଆଲୋଚନା କରିଥିବା ଜଣାପଡିଛି । ଏହାସହ ଓକିଲ ସଂଘକୁ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ସମର୍ଥନ କରି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୈଖିକ ଆଲୋଚନା କରିଥିବା ସୂଚନା ମିଳିଛି । ଏହି ଆଲୋଚନାରେ ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାକୁ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବା, ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବା, ଲୋୟର ବସଷ୍ଟାଣ୍ଡକୁ ଘରୋଇ କରିବା ଏବଂ ସିଟିବସ୍ ଗୁଡିକ ଚଳାଚଳ କରିବା ପ୍ରମୁଖ ପ୍ରସଙ୍ଗ ରହିଥିବା ଜଣାପଡିଛି । ଏହି ସମସ୍ତ ଆଲୋଚନା ପରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ଯାହା ପଦକ୍ଷେପ ନେବା କଥା ତାହା ନେଉଛି ଏବଂ ଭୁବନେଶ୍ୱର ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ଏହାପରେ ଏହାର ବର୍ତ୍ତମାନ ସ୍ଥିତି କିପରି ରହିଛି ସେ ସଂକ୍ରାନ୍ତରେ ଜଣାଇବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାସହ ରାଜ୍ୟରେ ଡାକ୍ତରଙ୍କ ଘୋର ସମସ୍ୟା ରହିଛି । ଏହି ସଂକ୍ରାନ୍ତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେହିପରି ଲୋୟର ବସଷ୍ଟାଣ୍ଡକୁ ବସ୍ ଚଳାଚଳ ପାଇଁ ଏକ ତ୍ରିପାକ୍ଷିକ ବୈଠକର ଆୟୋଜନ କରି ଆଲୋଚନା କରିବା ପରେ ଏହାର ସମାଧାନ ହୋଇପାରିବ ବୋଲି ଓକିଲ ସଂଘର ସଦସ୍ୟମାନଙ୍କୁ ଜିଲ୍ଲାପାଳ କହିଛନ୍ତି । ଏହି ଆଲୋଚନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରୀୟ ରଂଜନ ପୃଷ୍ଟି, ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡି, ନାଗରିକ କମିଟିର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ସଂପାଦକ ସୁଧୀର ସାହୁ, ବଡ ବଜାର ବଣିକ ସଂଘର ସଭାପତି ପ୍ରଫୁଲ ସେନାପତି, ସଂପାଦକ ସତ୍ୟନାରାୟଣ ସେନାପତି, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଆଇନଜିବୀ ପ୍ରଦୀପ କୁମାର ପାଢୀ, ବି.ଶ୍ରୀନିବାସ, ଶିବ ପ୍ରସାଦ ସାହୁ ଓ ସୁରେଶ ପଟ୍ଟନାୟକ, ରାଜେନ୍ଦ୍ର ସେନାପତି, ତୁଷାରକାନ୍ତ ପାଣ୍ଡି, ବୁଲୁ ବେହେରା, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା