ଛୁରା ମାଡରେ ବାପ ପୁଅ ଗୁରୁତର ଆହତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଥାନା ଦକ୍ଷିଣପୁର ଗ୍ରାମରେ ମଙ୍ଗଳବାର ସକାଳେ ପୂର୍ବଶତୃତାକୁ କେନ୍ଦ୍ର କରି ଛୁରା ମାଡ ହୋଇଥିବା ଅଭିଯୋଗ ହୋଇଛି । ଛୁରା ମାଡରେ ବାପା ଜି.ଯୋଗେନ୍ଦ୍ର ରେଡ୍ଡି(୫୦) ଏବଂ ପୁଅ ରାଜେଶ (୨୫) ଗୁରୁତର ଆହତ ହୋଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକା ଚିକିତ୍ସା ଲାଗି ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଯୋଗେନ୍ଦ୍ରଙ୍କ ଘର ଛାତ ଢଳେଇ କାର୍ଯ୍ୟ ଚାଲିଥିବା ବେଳେ କୌଣସି ବିଷୟକୁ କେନ୍ଦ୍ର କରି ସେହିଗ୍ରାମର ପି.ଜାଗିଲି ରେଡ୍ଡି ଉତ୍କ୍ଷିପ୍ତ ହୋଇ ଏକ ଛୁରୀ ନେଇ ଯୋଗେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଛୁରୀଡି ଯୋଗେନ୍ଦ୍ରଙ୍କ ପେଟରେ ବାଜିଥିଲା । ବାପା ଯୋଗେନ୍ଦ୍ରଙ୍କୁ ବଞ୍ଚାଇବା ପାଇଁ ପୁଅ ରାଜେଶ ଯିବା ସମୟରେ ଜାଗିଲିଙ୍କ ପତ୍ନୀ ଅନୀତା ରେଡ୍ଡି ଏକ ଭୁଜାଲି ନେଇ ରାଜେଶଙ୍କୁ ଆକ୍ରମଣ କରିଥିଲେ । ଫଳରେ ରାଜେଶ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଗ୍ରାମବାସୀ ଉଦ୍ଧାର କରି ଉଭୟ ବାପା ପୁଅଙ୍କୁ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରିଥିଲେ । ଖବରପାଇ ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏତଲା ହେଲେ ତଦନୁଯାୟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା