ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବାଣୀ ଏବଂ ବିଚାର ଆଜି ମଧ୍ୟ ଏ ସମାଜ ପାଇଁ ଅପରିହାର୍ଯ୍ୟ ବୋଲି ବିଶିଷ୍ଟ ବେଷଜବିତ୍ ତଥା ସମାଜସେବୀ ଡ଼ା. ପ୍ରଫୁଲ ଚନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି । ବ୍ରହ୍ମପୁର ଠାରୁ ୪୫ କିମି ଦୂର ଜକର ଗ୍ରାମପଞ୍ଚାୟତରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ଼ା. ସାହୁ କହିଲେ ଯୁବ ସମାଜ କ୍ଷମତା ପଛରେ ନ ଗୋଡ଼ାଇ ରାଷ୍ଟ୍ର ଓ ଦେଶ ନିର୍ମାଣ ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ସୋଭିଏତ ରୁଷର ତାସକେନ ଠାରେ ସବୁ ରାସ୍ତା ଗଳିରେ ଶାସ୍ତ୍ରୀଙ୍କ କଥା ଉଲ୍ଲେଖ ରହିଥିବା କଥା ପ୍ରକାଶ କରିଥିଲେ । ଆଜି ମଧ୍ୟ ପୃଥିବୀରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ଆନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଉଛି । ଶାନ୍ତିଦୂର ଲାଲବାହାଦୁର ଓ ଗାନ୍ଧୀଙ୍କ ବିଚାର ଆଜି ମଧ୍ୟ ଅପରିହାର୍ଯ୍ୟ ହୋଇଛି । ସୂଚନାଥାଉକି, ମହାତ୍ମା ଗାନ୍ଧୀଓଡ଼ିଶାକୁ ୮ ଥର ଗସ୍ତରେ ଆସିଥିବା ବେଳେ ଗଞ୍ଜାମ ଜିଲାକୁ ୧୯୨୧, ୧୯୨୭ ଓ ୧୯୪୬ ମସିହାରେ ତିନିଥର ଗସ୍ତ କରିଥିଲେ ବୋଲି ସମ୍ମାନିତ ଅତିଥି ଶ୍ରୀ ରଥ ପ୍ରକାଶ କରି ଓଡ଼ିଶା ପାଇଁ ଗାନ୍ଧୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଥିଲା ବୋଲି କହିଥିଲେ । ସେ ଓଡ଼ିଶାର ଦାରିଦ୍ର୍ୟତା ଦେଖିବା ପରେ ସେ ନିଜର ପୋଷାକ ମଧ୍ୟ ପରିବର୍ତ୍ତନ କରି ଦେଇଥିଲେ । ସ୍ଥାନୀୟ ସରପଞ୍ଚ ତଥା ଶିକ୍ଷାବିତ୍ ଚୈତନ୍ୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ପଣ୍ଡିତ ଗଣେଶ ପ୍ରସାଦ ପଣ୍ଡା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅବସରପ୍ରାପ୍ତ ପ୍ରଫେସର ଡ଼. ଡ଼ମ୍ବରୁଧର ସାହୁ, ସାମ୍ବାଦିକ ୟୁନିଅନ ସଭାପତି ତଥା ନବୀନର ସମ୍ପାଦକ ରବି ରଥ, ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସଂସ୍ଥାର ଅଧିକାରୀ ମନମୋହନ ପାଢ଼ୀ, ଗଡ଼ଗୋବିନ୍ଦପୁର ସରପଞ୍ଚ ହରିବନ୍ଧୁ ରେଡ଼ି, ଡ଼ା. ସିଦ୍ଧାର୍ଥ ଶତପଥୀ, ସାହିତି୍ୟକ କପିଳ ଚନ୍ଦ୍ର ମହାନ୍ତି, ସମାଜସେବୀ ଜଗନ୍ନାଥ ପାଢ଼ୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଛବି ବେହେରା ପ୍ରମୁଖ ଉଦବୋଧନ ଦେଇ ମହାତ୍ମାଗାନ୍ଧୀଙ୍କ ଜୀବନୀ ଓ ଦର୍ଶନ ଉପରେ ବ୍ୟାପକ ଆଲୋଚନା କରି ଜାତିର ପିତା ଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାର ଆୟୋଜକ ତଥା ଆବାହକ କପିଳେଶ୍ୱର ପାଢ଼ୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ରଘୁନାଥପ୍ରଧାନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ବାବାଜୀ ଭୀମସେନ ବିଦ୍ୟାପୀଠର ଛାତ୍ର ଦୁର୍ଗା ପ୍ରସାଦ ପ୍ରଧାନ ଗାନ୍ଧିଙ୍କ ବେଶରେ ସଜ୍ଜିତ ହୋଇ ସମସ୍ତଙ୍କ ମନ ମୋହିଥିଲେ । ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କଦ୍ୱାରା ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଜାତୀୟ ସଂଗୀତ ଓ ଗାନ୍ଧୀ ଭଜନ ଗାନ କରାଯାଇଥିଲା । ଶେଷରେ ରଘୁନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା