ଜଙ୍ଗଲ ଅଧିକାର ଆଇନ-୨୦୦୬ର ଯଥାର୍ଥ କାର୍ଯ୍ୟକାରିତା ଦାବିରେ ସି.ଏସ୍.ଡି. ପକ୍ଷରୁ ବିଶାଳ ଗଣବିକ୍ଷୋଭ

 ଭୁବନେଶ୍ୱର- ଜଳ-ଜମି-ଜଙ୍ଗଲ ତଥା ଜୀବନ-ଜୀବିକାର ସୁରକ୍ଷା ପାଇଁ ଦେଶବ୍ୟାପୀ ସଂଘର୍ଷରତ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀମାନଙ୍କ ମିଳିତ ସଂଗ୍ରାମ ଫଳରେ ସେମାନଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ସ୍ୱୀକାର ଯୁଗ୍ମ ସଂଦୀୟ କମିଟିର ସୁପାରିଶ୍ କ୍ରମେ ତକ୍ରାଳୀନ କେନ୍ଦ୍ର ସରକାର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀଙ୍କର (ଜଙ୍ଗଲ ଅଧିକାର ମାନ୍ୟତା) ଆଇନ – ୨୦୦୬ ପ୍ରଣୟନ କରିଥିଲେ । ଏହି ଐତିହାସିକ ଆଇନ ପ୍ରଣୟନ କ୍ଷେତ୍ରରେ ପୂର୍ବର ଓ ବର୍ତମାନର କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କ ସହିତ ସମସ୍ତ ରାଜନୈତିକ ଦଳ ସହମତି ଦେଇଥିଲେ । କିନ୍ତୁ ବିଜେପି ନେତୃତ୍ୱାଧୀନ ଏନ୍.ଡି.ଏ. ସରକାର କ୍ଷମତାସୀନ ହେବାପରେ ଆଦିବାସୀ ଓ ଜଙ୍ଗଲବାସୀମାନଙ୍କ ବନ୍ଧୁ ବୋଲି ଢୋଲ ପିଟୁଥିବା ଏହି ସରକାର ଯେପରି ଭାବରେ ଆଦିବାସୀ ଓ ଜଙ୍ଗଲବାସୀମାନଙ୍କ ସ୍ୱାର୍ଥକୁ ହତ୍ୟାକରି ଦେଶୀ-ବିଦେଶୀ କମ୍ପାନୀ ଓ ପୁଞ୍ଜିପତିମାନଙ୍କ ସ୍ୱାର୍ଥରକ୍ଷା କରି ଚାଲିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ମର୍ଯ୍ୟାଦାର ସହ ବଂଚିବାର ଅଭିଯାନ (ସି.ଏସ୍.ଡି.) ପକ୍ଷରୁ ଅଭିଯୋଗ କରାଯାଇଛି । ସି.ଏସ୍.ଡି. ପକ୍ଷରୁ ଆଜି ସଂଗଠନର ରାଜ୍ୟ ଆବାହକ ଗୋପୀନାଥ ମାଝୀ ଓ ଅନ୍ୟାନ୍ୟ ନେତାମାନଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ରେଳଷ୍ଟେସନ୍ଠାରୁ ବାହାରି ଲୋୟର ପିଏମ୍ଜିଠାରେଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ । ସି.ଏସ୍.ଡି.ର ରାଜ୍ୟ ଆବାହକ ମଣ୍ଡଳୀର ସଦସ୍ୟ ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଦୀପ ସାହୁ, ପ୍ରଫୁଲ୍ଲ ସାମନ୍ତରା, ଆନ୍ନା କୁଜ୍ଜୁର, ସୁରେଶ ପାଣିଗ୍ରାହୀ, କାର୍ମୀ ବେସ୍ରା, ବାଲରାଜୁ ଗେମେଲ୍, ତି୍ରଲୋଚନ ପୁଞ୍ଜି, ରାଧାକାନ୍ତ ସେଠୀ, ଅକ୍ଷୟ ପାଣି, ସାଲ ମାରାଣ୍ଡି, ଲୋଚନ ବରିହା, ବିଜୟ ଉପାଧ୍ୟାୟ, ପ୍ରଦୀପ୍ତ ନାୟକ, କମଲ ସାଇମାଝୀ, ସନ୍ଦୀପ ପଟ୍ଟନାୟକ, ବିଜୟ ସ୍ୱାଇଁ, ବିରଂଚି ବରିହା ଓ ଅନ୍ୟମାନେ ଉଦ୍ବୋଧନ ଦେଇଥିଲେ । ସେମାନେ ଅଭିଯୋଗ କରିଛନ୍ତି ଯେ, ଭଲଦିନ ଆସିବ ବୋଲି ମିଛ ତଥା ଛଳନାପୂର୍ଣ୍ଣ ସ୍ଲୋଗାନ୍ ଦେଇ ପୁଞ୍ଜିପତିମାନଙ୍କ ଅର୍ଥରେ ଓ ସ୍ୱାର୍ଥରେ କ୍ଷମତାକୁ ଆସିବା ପରେ ମୋଦି ସରକାର ଓ ତାଙ୍କ ମନ୍ତ୍ରୀ ତଥା ଅମଲାତାନ୍ତ୍ରର ପ୍ରଥମ କାମ ହେଲା ଆଇନରେ କେଉଁଠି କ’ଣ ଫାଙ୍କ (ଗଳାବାଟ) ଅଛି, ଯାହାକୁ ବ୍ୟବହାର କରି ଦେଶୀ-ବିଦେଶୀ ପୁଞ୍ଜିପତି ଓ କର୍ପୋରେଟ୍ମାନଙ୍କ ହାତରେ ଆମ ପ୍ରାକୃତିକ ସଂଶାଧନକୁ ଖୋଲମଖୋଲା ଲୁଟ୍ କରିବାକୁ ସୁଯୋଗ ସୃଷ୍ଟି କରିବା ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯେତେବେଳେ ଜଙ୍ଗଲ ଅଧିକାର ଆଇନ – ୨୦୦୬ ଗାଁ’ର ସଭା ଗ୍ରାମସଭାକୁ କ୍ଷମତା ଦେଲା ଏବଂ ଏହାକୁ ଆଧାର କରି ନିୟମଗିରିରେ ଖଣି ଖନନ ହେବ କି ନାହିଁ – ସେହି ପ୍ରଶ୍ନ ଉପରେ ସୁପି୍ରମ କୋର୍ଟଙ୍କ ଐତିହାସିକ ନିର୍ଦ୍ଧେଶ ଅନୁଯାୟୀ “ଗ୍ରାମସଭା’ ଆୟୋଜନ କରାଯାଇଥିଲା । ବେଦାନ୍ତ କମ୍ପାନୀ ଏବଂ ଓଡ଼ିଶା ସରକାରଙ୍କ ସମସ୍ତ ଚକ୍ରାନ୍ତ ସତ୍ୱେ ସମସ୍ତ ଗ୍ରାମସଭା ଯେପରି ଖଣି ଖନନକୁ ପ୍ରତ୍ୟାଖ୍ୟାନ କଲେ, ତାହା ସରକାରୀ କଳ, ରାଜନୈତିକ ଦଳର ନେତା, ଖଣି ଦଲାଲ, କମ୍ପାନୀ ମାଫିଆ ତଥା ଶିଳ୍ପପତି ଓ କର୍ପୋରେଟ୍ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ତେଣୁ କୌଣସି ଭାବେ ସେମାନେ, ସେମାନଙ୍କ ରାସ୍ତାରୁ “ଗ୍ରାମସଭା’ କଂଟାକୁ ହଟାଇବା ପାଇଁ ମିଳିତ ଷଡ଼ଯନ୍ତ୍ରରେ ଲିପ୍ତ । ଜଙ୍ଗଲ ଅଧିକାର ଆଇନର ଧାରା ୩(୧)(କ) ଏବଂ ଧାରା-୫ ଅନୁଯାୟୀ ଗ୍ରାମସଭାକୁ ଜଙ୍ଗଲ ସମ୍ବଳର ସଂରକ୍ଷଣ, ସୁରକ୍ଷା, ପୁନଃସୃଷ୍ଟି ଓ ପରିଚାଳନା କରିବାର ଅଧିକାର ଓ କ୍ଷମତା ପ୍ରଦାନ କରିଥିବା ବେଳେ ତାହାକୁ ଉଲ୍ଲଂଘନ କରି କ୍ଷତି ଭରଣା ବନୀକରଣ ଆଇନ – ୨୦୧୬ କାମ୍ପା ଆଇନ୍ ସଂସଦରେ ଗୃହୀତ କରାଯାଇଛି ଓ ତାହାକୁ ନିର୍ବିଘ୍ନରେ କାର୍ଯ୍ୟକାରୀ କରିବାକୁ ଏବେ କ୍ଷତିଭରଣା ବନୀକରଣ ପାଣ୍ଠି ନିୟମାବଳୀ -୨୦୧୮କୁ ଲାଗୁ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହି ଜନବିରୋଧୀ, ଆଦିବାସୀ ବିରୋଧୀ ଆଇନ ବଳରେ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ ସଙ୍କୁଚିତ କରିଦେବା ଓ ପୁଞ୍ଜିପତି ତଥା ଶିଳ୍ପପତିମାନଙ୍କ ସ୍ୱାର୍ଥରେ ଜଙ୍ଗଲ ମଧ୍ୟରେ ଜୀବନ ଓ ଜୀବିକା ନିର୍ବାହ କରୁଥିବା ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କୁ ବିସ୍ଥାପିତ କରିବାର ନକ୍ସା ପ୍ରସ୍ତୁତ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ଲକ୍ଷାଧିକ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀମାନଙ୍କର ଜଙ୍ଗଲ ଅଧିକାର ଦାବିପତ୍ର ଗ୍ରାମସଭା ଦ୍ୱାରା ମଞ୍ଜୁର ହୋଇ ଉପଖଣ୍ଡସ୍ତରୀୟ କମିଟି ନିକଟରେ ପଡ଼ିଥିବା ବେଳେ ଅନ୍ୟ ପଟରେ ଆଇନକୁ ଉଲ୍ଲଂଘନ କରି ଜଙ୍ଗଲ ବିଭାଗର ଅଧିକାରୀମାନେ ସେମାନଙ୍କର ଚାଷ ଜମି ଓ ଗୋଷ୍ଠୀ ଜଙ୍ଗଲ ଅଂଚଳରେ ଜୋର ଜବରଦସ୍ତ ବୃକ୍ଷରୋପଣ କରୁଛନ୍ତି ।ଗ୍ରାମସଭାର ମୂଳ ଉଦ୍ଧେଶ୍ୟକୁ ବିରୋଧ କରୁଥିବା “ବନ ସଂରକ୍ଷଣ ସମିତି’ (ଭି.ଏସ୍.ଏସ୍.) ଗଠନ କରି ଜଙ୍ଗଲ ଅଧିକାର ଆଇନ ବିରୋଧୀ “ଆମ ଜଙ୍ଗଲ ଯୋଜନା’ ଭଳି ବିଭିନ୍ନ ଯୋଜନା ନାମରେ ଜନସାଧାରଣଙ୍କୁ ସେମାନଙ୍କ ନ୍ୟାୟସଙ୍ଗତ ଅଧିକାରରୁ ବଂଚିତ କରାଯାଉଛି ଏବଂ ଭାଗଭାଗ କରାଯାଉଛି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜାତୀୟ ଜଙ୍ଗଲ ନୀତି – ୨୦୧୮ରେ ମଧ୍ୟ ଦୁଇଟି ମୁଖ୍ୟ ଲକ୍ଷ୍ୟ ରହିଛି । ପ୍ରଥମଟି ହେଲା ଜଙ୍ଗଲ ଅଧିକାର ଆଇନ – ୨୦୦୬କୁ ଉଲ୍ଲଂଘନ କରି ଗୋଷ୍ଠୀ ଜଙ୍ଗଲ ମଧ୍ୟରେ ଜଙ୍ଗଲ ବିଭାଗର ଅଧିକାରକୁ “ବନ ସଂରକ୍ଷଣ ସମିତି’ ଜରିଆରେ ପୁନଃସ୍ଥାପିତ କରିବା ଓ ଦ୍ୱିତୀୟରେ ଜଙ୍ଗଲ ସମ୍ପଦ ଉପରେ ଘରୋଇ ସଂସ୍ଥାଗୁଡ଼ିକର ପ୍ରବେଶ ପାଇଁ ରାସ୍ତା ପରିଷ୍କାର କରିବା ବା କମ୍ପାନୀମାନଙ୍କର ସ୍ୱାର୍ଥ ପାଇଁ ଘରୋଇକରଣ ନାମରେ ଜଙ୍ଗଲ ସମ୍ପଦକୁ ସେମାନଙ୍କ ହାତରେ ଟେକିଦେବା । ମୋଟ ଉପରେ କହିଲେ ଜାତୀୟ ଜଙ୍ଗଲ ନୀତି – ୨୦୧୮ରେ ଯେଉଁସବୁ ପରିକଳ୍ପନା କରାଯାଇଛି, ସେଗୁଡ଼ିକୁ ବିଶ୍ଳେଷଣ କଲେ ଜଙ୍ଗଲ ମନ୍ତ୍ରଣାଳୟ ଓ ବିଭାଗ ଉପନିବେଶବାଦୀ ଚିନ୍ତାଧାରାରେ କର୍ପୋରେଟ୍ ସାମ୍ରାଜ୍ୟର ସୁରକ୍ଷା ପାଇଁ ତପôର ବୋଲି ବୁଝାପଡ଼ୁଛି ।ଏହି ପରିପ୍ରେକ୍ଷୀରେ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ ସ୍ୱାର୍ଥ ବିରୋଧୀ ଜାତୀୟ ଜଙ୍ଗଲ ନୀତି ଓ କାମ୍ପା ଆଇନ ପ୍ରତ୍ୟାହାର ଓ ଜଙ୍ଗଲ ଅଧିକାର ଆଇନ – ୨୦୦୬ର ଯଥାର୍ଥ କାର୍ଯ୍ୟକାରିତା ଦାବିରେ ମର୍ଯ୍ୟାଦାର ସହ ବଂଚିବାର ଅଭିଯାନ ଓଡ଼ିଶା ବିଧାନସଭା ସମ୍ମୁଖରେ ଏହିପରି ଗଣ ପ୍ରତିବାଦ ମାଧ୍ୟମରେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀମାନଙ୍କର ଅଧିକାର ଓ ସ୍ୱରକୁ ଶକ୍ତିଶାଳୀ କରିବ ଓ ଆଗାମୀ ନିର୍ବାଚନରେ ସରକାରଙ୍କ ଜନବିରୋଧୀ ପଦକ୍ଷେପ ବିରୋଧରେ ଜନମତ ସୃଷ୍ଟି କରିବ ବୋଲି ଘୋଷଣା କରିଛି ।ବିକ୍ଷୋଭକାରୀମାନେ ପରିବେଶ ବିରୋଧୀ ଓ ଜନବିରୋଧୀ “କ୍ଷତିଭରଣା ବନୀକରଣ ଆଇନ -୨୦୧୬’କୁ ଅବିଳମ୍ବେ ରଦ୍ଧ କରିବା, ଜନବିରୋଧୀ ତଥା ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ ସ୍ୱାର୍ଥବିରୋଧୀ “ଜାତୀୟ ଜଙ୍ଗଲ ନୀତି- ୨୦୧୮’ ଅବିଳମ୍ବେ ପ୍ରତ୍ୟାହାର କରିବା, ଗ୍ରାମସଭାର ନିଷ୍ପତି ଅନୁଯାୟୀ ଯଥାଶୀଘ୍ର “ଗୋଷ୍ଠୀ ଜଙ୍ଗଲ ସମ୍ବଳ’ ଅଧିକାରକୁ ମାନ୍ୟତା ପ୍ରଦାନ କରିବା, ଜଙ୍ଗଲ ଅଧିକାର – ୨୦୦୬ର ବିରୋଧୀ “ବନ ସଂରକ୍ଷଣ ସମିତି’ ଗୁଡ଼ିକୁ ଅବିଳମ୍ବେ ଭଙ୍ଗ କରିବା, ରାଜସ୍ୱ ଓ ସର୍ବସାଧାରଣ ଜମିରେ କ୍ଷତିଭରଣା ବନୀକରଣ ନିମନ୍ତେ “ଜମି ବ୍ୟାଙ୍କ ଗଠନ ନିର୍ଦ୍ଧେଶାବଳୀ’ (କୁ ତୁରନ୍ତ ପ୍ରତ୍ୟାହାର କରିବା, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କ ଦଖଲ ଜମିରେ ବେଆଇନ ବୃକ୍ଷରୋପଣ ଅବିଳମ୍ବେ ବନ୍ଦ କରିବା, ଜଙ୍ଗଲ ଗ୍ରାମ ଓ ବସତିକୁ ରାଜସ୍ୱ ଗ୍ରାମରେ ପରିବର୍ତନ କରିବାକୁ ତୁରନ୍ତ ପଦକ୍ଷେପ ନେବା, “ଯବାନଙ୍କ ପାଇଁ ସଂରକ୍ଷିତ’ ଜଙ୍ଗଲ କିସମ ଜମିରେ କରାଯାଇଥିବା ଦାବିକୁ ଖାରଜ ନକରି ତୁରନ୍ତ (ବ୍ୟକ୍ତିଗତ) ସ୍ୱୀକୃତି ପ୍ରଦାନ କରିବା, ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ (ଶିମିଳିପାଳ, ସାତକୋଶିଆ, ଚନ୍ଦକା ଆଜି)ରୁ ଗ୍ରାମସଭାର ବିନା ଅନୁମତିରେ ଉଚ୍ଛେଦ ବନ୍ଦ କରାଯାଉ ଓ ଆଦିମ ଜନଜାତିମାନଙ୍କୁ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ ଉପରେ ଅଧିକାର ପ୍ରଦାନ ପାଇଁ ଦାବି କରିଥିଲେ ।