ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡିଶାର ବ୍ୟବସାୟୀ ପେଣ୍ଠସ୍ଥଳୀ ବ୍ରହ୍ମପୁର ପରେ ୨୪ ଘଣ୍ଟିଆ ଗମନା ଗମନ ଦୃଷ୍ଟିରୁ ଦିଗପହଣ୍ଡି ସହର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ । ଦୈନିକ ସହରରେ ବିଭିନ୍ନ ପ୍ରକାର ବ୍ୟବସାୟିକ କାରବାର ହେଉଥିବା ବେଳେ ସ୍ୱଚ୍ଛତା ପ୍ରତି କେହି ଗୁରୁତ୍ୱାରୋପ ଦେଉନଥିବା ଦେଖିବାକୁ ମିଳିଛି । ବିଶେଷ କରି ବଡବଡ ବ୍ୟବସାୟୀମାନେ ସେମାନଙ୍କ ଏକ୍ସପାଏରୀ ସାମଗ୍ରୀ ସବୁକୁ ବାଓ ୱେଷ୍ଟେଜ୍ ପଏଣ୍ଟରେ ନପକାଇ ସେଣ୍ଟ୍ରାଲ୍ ନର୍ସରୀ, ରିଜର୍ଭ ଜଙ୍ଗଲ ଆଦିରେ ପକାଉଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ନାମୀ ଦାମୀ କମ୍ପାନୀର ଡିଷ୍ଟ୍ରିବ୍ୟୁଟର ମାନେ ସେମାନଙ୍କର ବହୁଳ ପରିମାଣରେ ଅବ୍ୟବହାର ହୋଇ ପଡି ରହୁଥିବା ଏକ୍ସପାଏରୀ ନତୁବା ଲୁଜ୍ ସାମଗ୍ରୀ ସବୁକୁ ଜଙ୍ଗଲରେ ପକାଇ ଦେଉଥିବା ବେଳେ ସେସବୁକୁ ନଷ୍ଟ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉନଥିବା ଦେଖିବାକୁ ମିଳିଛି । ସେହିପରି ସହରରେ ରହିଥିବା ବିଭିନ୍ନ ଓଷଧ ଦୋକାନୀ, ମେଡିକାଲ କ୍ଳିନିକ୍, ନର୍ସିଂ ହୋମ୍ର ଆଦି ବାଓ ୱେଷ୍ଟେଜ୍ ପଏଣ୍ଟ ନିର୍ମାଣ କରିନଥିବାରୁ ସେମାନେ ସହର ଉପକଣ୍ଠରେ ଥିବା ସେଣ୍ଟ୍ରାଲ୍ ନର୍ସରୀ ଚାରା ଉତ୍ପାଦନ କେନ୍ଦ୍ରମାନଙ୍କରେ ଏଣେତେଣେ ଫୋପାଡିଦେଉଥିବା ଦେଖିବାକୁ ମିଳିଛି । ଜଙ୍ଗଲ ଜମିରେ ବ୍ୟବସାୟୀମାନେ ପ୍ରଦୁଷଣ କରୁଥିବା ହେତୁ ସେମାନଙ୍କ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯିବ ବୋଲି ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜଙ୍ଗଲ ପରିବେଶକୁ ଦୂଷିତ କରୁଥିବା ବ୍ୟବସାୟୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ଦିନରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ପନ୍ଥା ଅବଲମ୍ବନ କରାଯିବ ବୋଲି ପିପୁଲ୍ ଫର୍ ଆନିମଲ୍ ସଂସ୍ଥା (ପିଏଫ୍ଏ) ସ୍ୱେତ୍ଥାସେବୀ ସମୀରକାନ୍ତ ତ୍ରିପାଠୀ, ଶୁଭମ୍ କୁମାର ସାହୁ, ଶ୍ରୀକାନ୍ତ ସାହୁ, ତାରାପ୍ରସାଦ ଦାସ, ସୁଶାନ୍ତ ମହାଙ୍କୁଡ, କୃଷ୍ଣଚନ୍ଦ୍ର ପାତ୍ର, ଅଜୟ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା