ଜଣେ କର୍ତ୍ତବ୍ୟପରାୟଣ ସାମ୍ୱାଦିକର ସତ୍ୟ କାହାଣୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଦିନ ପ୍ରାୟ ୪ଟା । ଭୂବନେଶ୍ୱର ଠାରେ ବିଧାୟକ ତାରା ବାହିନୀପତିଙ୍କ ଘରେ ଖୋଲାକଥା ସୁଟିଂ ପାଇଁ ସବୁକିଛି ପ୍ରସ୍ତୁତି ସରିଯାଇଥିଲା । ଆଙ୍କର ମନରଂଜନ ଯୋଷୀ ଏବଂ ଖୋଲାକଥାର ହଟସିଟରେ ବସିସାରିଥାଆନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ସୁଟିଂ ଆରମ୍ଭ ହେବାକୁ ଯାଉଛି…..ଆଙ୍କର ମନରଂଜନ ମୋବାଇଲକୁ ଫ୍ଲାଇଟ ମୋଡକୁ ନେବାକୁ ଯାଉଛନ୍ତି ….ହଠାତ….ତାଙ୍କ ସାଂଗ ମୁନ୍ନାଙ୍କ କଲ ଆସିଲା । କଲ ରିସିଭ କରୁ କରୁ ସେପଟୁ ସାଂଗ କହିଲେ….ମାଙ୍କୁ ଭୂବନେଶ୍ୱର ନେଉଥିବା ସମୟରେ ରାସ୍ତାରେ ପରଲୋକ ହୋଇଗଲା । ମାଁଙ୍କୁ ଭୂବନେଶ୍ୱର ଆଣାଯାଉଥିବା ଜାଣି କ୍ୱିକଟ୍ରିଟମେଣ୍ଟ ପାଇଁ ଡାକ୍ତରୀ ଟିମ ରେଡି କରି ସାରିଥିଲେ ମନରଂଜନ । କିନ୍ତୁ ହଠାତ ଯେ ଏମିତି ରାସ୍ତାରେ ମାଁ ଆରପାରିକୁ ଚାଲିଯିବେ, ସ୍ୱପ୍ନରେ ବି ଭାବିନଥିଲେ । ନିଜ ମାଁଙ୍କ ମୃତ୍ୟୁଖବର ଶୁଣି କୋହ ସମ୍ଭାଲିପାରିନଥିଲେ । ନିଜ ମାଁର ମୃତ୍ୟୁରେ କିଏ ବା ଧୈର୍ଯ୍ୟ ଧରିପାରିବ ? ଏଭଳି ପରିସ୍ଥିତି ଦେଖି ଅତିଥି କହିଲେ ସୁଟିଂ ବନ୍ଦ କରିଦେବାକି….? କିନ୍ତୁ ଜଣେ କର୍ତ୍ତବ୍ୟପରାୟଣ, ସମର୍ପିତ ସାମ୍ୱାଦିକ ଭାବରେ ନିଜକୁ ଟିକିଏ ସମ୍ଭାଲି ନେଇ ମନରଂଜନ ଉତ୍ତର ଦେଇଥିଲେ, ନା ସାର୍…ସୁଟିଂ ବନ୍ଦ କରିବାନି । ମୋ ମାଁଙ୍କ ପ୍ରେରଣାରେ ହିଁ ମୁଁ ସାମ୍ୱାଦିକତାରେ ଏତେ ବାଟ ଆସିଛି । ତେଣୁ ଏହି ଖୋଲାକଥା ସୁଟିଂ ହିଁ ମୋ ମାଁ ପାଇଁ ମୋର ଟ୍ରିବ୍ୟୁଟ ହେବ । ତାପରେ ନିଜକୁ ସମ୍ଭାଲି ନେଇ ସୁଟିଂ ଆରମ୍ଭ କରାଇଥିଲେ । ମନ ଭିତରେ ମାଁଙ୍କ ପ୍ରତିଛବି….ଗୋଟିଏ ଗୋଟିଏ କରି ମାଁଙ୍କ ସବୁକଥା ମନେପଡିଯାଉଛି…ବାହାରକୁ ବାହାରି ଆସୁଛି କୋହ…ତଥାପି ନିଜକୁ ସମ୍ଭାଲି ଖୋଲାକଥାର ହଟସିଟରେ ବସିଥିବା ଅତିଥିଙ୍କୁ ପଚାରି ଚାଲିଥାଆନ୍ତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ । କିନ୍ତୁ ସୋ ସରୁ ସରୁ ଆଉ ନିଜକୁ ସମ୍ଭାଲି ପାରିନଥିଲେ ମନରଂଜନ । ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ସେପଟେ ଅତିଥି ତଥା ସୁଟିଂସେଟରେ ଥିବା ସମସ୍ତ କ୍ରୁମେମ୍ୱରଙ୍କ ଆଖିରେ ଆସିଯାଇଥିଲା ଲୁହ । ସମସ୍ତେ କହୁଥିଲେ ସାବାସ ମନରଂଜନ ସାବାସ…..ତୁମର କର୍ତ୍ତବ୍ୟପରାୟଣ ତାକୁ ସେଲ୍ୟୁଟ….।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା