ଜଳେଶ୍ଵର ସି.ପି.ଆଇ.(ଏମ୍) ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର : ଦାବି ପୂରଣ ନ ହେଲେ ଆସନ୍ତା ୨୦ ତାରିଖରେ ବ୍ୟାପକ ଆନ୍ଦୋଳନର ଚେତାବନୀ…

ଜଳେଶ୍ଵର (ସମୃଦ୍ଧ ଓଡିଶା) କରୋନା ମହାମାରୀର ଦ୍ଵିତୀୟ ଲହରୀ ସହ ତୃତୀୟ ଲହରୀ ଆଶଙ୍କାରେ ଜନସାଧାରଣ ଆତଙ୍କିତ । ଚାରିଆଡ଼େ ମୃତ୍ୟୁର ତାଣ୍ଡବ । ଶବର ପାହାଡ଼ । ସବୁଆଡେ ଅକ୍ସିଜେନ୍ ନାହିଁ, ହସ୍ପିଟାଲରେ ବେଡ୍ ନାହିଁ କି ଡାକ୍ତର ନାହିଁ । କେବଳ ଆତ୍ମ ପ୍ରଚାର ଛଡ଼ା କୋଭିଡ୍ ମୁକାବିଲା ପାଇଁ କୈାଣସି ଠୋସ୍ ଯୋଜନା ନାହିଁ । ପଶ୍ଚିମବଙ୍ଗ ସିମାନ୍ତରେ ଜଳେଶ୍ଵର ଅବସ୍ଥିତ ଥିବା ଯୋଗୁଁ ଅଧିକ ସଂକ୍ରମଣ ବ୍ୟାପୁଛି । ଏ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇ ସାରିଲେଣି । ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁବାକୁ ବସିଲାଣି । କିନ୍ତୁ ଜଳେଶ୍ଵରରେ କୋଭିଡ୍ କେୟାର ହସ୍ପିଟାଲ ଖୋଲା ଯାଉନାହିଁ । ବ୍ୟାପକ କୋଭିଡ୍ ପରିକ୍ଷା ହେଉନାହିଁ । ପଞ୍ଚାୟତ ସ୍ତରରେ ସଂଙ୍ଗରୋଧ କେନ୍ଦ୍ର ନାହିଁ । ମନ୍ଥର ଗତିରେ ଟିକାକରଣ ଚାଲିଛି । ପ୍ରବାସୀ ଶ୍ରମିକ ମାନେ ସହ ସହ ସଂଖ୍ୟାରେ ଆସି ପହଞ୍ଚୁଛନ୍ତି । ଏହି ପରିପ୍ରେକ୍ଷୀରେ ସି.ପି.ଆଇ.(ଏମ୍) ଜଳେଶ୍ଵର ଲୋକାଲ କମିଟି ତରଫରୁ ୧୦ ଦଫା ସମ୍ବଳିତ ଦାବିପତ୍ର ଜଳେଶ୍ଵର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଯୁଦ୍ଧ କାଳିନ ଭିତ୍ତିରେ ଏସବୁ ଦାବି ଉପରେ ପଦକ୍ଷେପ ନନେଲେ ଆସନ୍ତା ୨୦ ତାରିଖରେ ବ୍ୟାପକ ଆନ୍ଦୋଳନ ହେବବୋଲି ଚେତାବନୀ ଦିଆଯାଇଛି । ଦାବି ଗୁଡ଼ିକୁ ମଧ୍ୟରେ ଅଛି – ଜଳେଶ୍ଵରରେ ଏକ କୋଭିଡ୍ କେୟାର ହସ୍ପିଟାଲ ତୁରନ୍ତ ଖୋଲା ଯାଉ, କେବଳ ଅନ୍ ଲାଇନ୍ ପଞ୍ଜିକରଣ ନକରି ଅଫ୍ ଲାଇନ୍ ଏବଂ ଅନ୍ ଲାଇନ୍ ରେ ପଞ୍ଜିକରଣ କରାଯାଇ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯାଉ, ଭ୍ରାମ୍ୟମାଣ ପରିକ୍ଷା କେନ୍ଦ୍ର ଜରିଆରେ ଗାଁ ଠୁ ସହର ପର୍ଯ୍ୟନ୍ତ ସବୁ ର୍ବଗର ଲୋକଙ୍କର ବ୍ୟାପକ କୋଭିଡ୍ ପରିକ୍ଷା କରାଯାଉ, କରୋନା ଲକ୍ଷଣ ଥିବା ସମସ୍ତ ବ୍ୟକ୍ତିଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଉ, ଏଥିପାଇଁ ପଞ୍ଚାୟତ ସ୍ତରରେ କୋଭିଡ୍ କେନ୍ଦ୍ର ଖୋଲାଯାଉ, ପ୍ରବାସୀ ଶ୍ରମିକ ମାନଙ୍କୁ ପଞ୍ଚାୟତ କୋଭିଡ୍ କେନ୍ଦ୍ରରେ ସଂଗରୋଧରେ ରଖାଯାଉ, ଏଥିପାଇଁ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନଙ୍କୁ ଦାୟିତ୍ଵ ଦିଆଯାଉ, ଜଟିଳ ରୋଗରେ ପିଡୀତ ବ୍ୟକ୍ତି ଏବଂ ଅର୍କମଣ୍ୟ ଲୋକମାନଙ୍କୁ ନିଜ ନିଜ ଘରେ ଟିକା ଦେବାର ବ୍ୟବସ୍ଥା କରାଯାଉ, କରୋନା ମୁକାବିଲା ପାଇଁ ତୁରନ୍ତ ସର୍ବଦଳୀୟ ବୈଠକ ଡକାଯାଉ, ପରିବହନ ଶ୍ରମିକ, ଦିନ ମଜୁରୀଆ, ଛୋଟ ଦୋକାନୀ, ଉଠା ଦୋକାନୀ ମାନଙ୍କୁ ଆର୍ଥିକ ଅନୁଦାନ ସହ ରେସନ୍ କିଟ୍ ଦିଆଯାଉ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଅହେତୁକ ଦରବୃଦ୍ଧି ଯୋଗୁଁ ସରକାରୀ କେନ୍ଦ୍ର ଜରିଆରେ ଲୋକଙ୍କୁ ସୁଲଭ ମୂଲ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯାଉ ଓ ତୁରନ୍ତ ସରକାରୀ ଧାନ କ୍ରୟ କେନ୍ଦ୍ର ଖୋଲି ଚାଷୀ ମାନଙ୍କ ଠାରୁ ଧାନ କିଣାଯାଉ ଏବଂ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ । ସି.ପି.ଆଇ.(ଏମ୍)ର ଏକ ପ୍ରତିନିଧି ଦଳ ଶୋଭାଯାତ୍ରାରେ ଯାଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଦିଲ୍ଲୀପ କୁମାର ଗିରି, ଶିତାଂଶୁ ସେନାପତି, ଶିଶିର ହୁଇ, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ଦିଲ୍ଲୀପ ପରିଡ଼ା, ପଲ୍ଟୁ ଦାସ, ଜୀବନ ପରିଡ଼ା, ସବିତା ଭୂୟାଁ ପ୍ରମୁଖ ପ୍ରତିନିଧି ଦଳ ନେତୃତ୍ଵ ନେଇଥିଲେ ।