ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଦୀର୍ଘ ୪୧ବର୍ଷ ଧରି ବିଭିନ୍ନ ସମସ୍ୟାରେ ଜର୍ଜରିତ ଜଳେଶ୍ୱରକୁ ଏକ ସବଡ଼ିଭିଜନ ଘୋଷଣା ଲାଗି ଦାବି ହୋଇ ଆସୁଥିବା ବେଳେ ଏଣିକି କେତେକ ରାଜ୍ୟ ନେତୃମଣ୍ଡଳୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ସମର୍ଥନ ଜଣାଇବା ପରେ ସ୍ଥାନୀୟ ଅଧିବାସୀ ଉତ୍ସାହିତ ହୋଇଛନ୍ତି । ଓଡିଶାର ବିଭିନ୍ନ ଅଂଚଳକୁ ସବଡ଼ିଭିଜନ ଦାବି କରିବା ଅପେକ୍ଷା ଜଳେଶ୍ୱରକୁ ସବଡ଼ିଭିଜନ ଘୋଷଣା କରିବା ଅଧିକ ପ୍ରସଙ୍ଗିକତା ରହିଛି ବୋଲି ସେ କହିଛନ୍ତି । ସମଗ୍ର ଉତ୍ତର ବାଲେଶ୍ୱରକୁ କେନ୍ଦ୍ର କରି ଜଳେଶ୍ୱରଠାରେ ସବଡ଼ିଭିଜନ ପ୍ରତିଷ୍ଠା ୧୯୭୮ ମସିହାରୁ ବିଧାନସଭା ବାହାରେ ଓ ଭିତରେ ଦାବି ହେବା ସହିତ ଏ ଅଂଚଳରେ କେତେକ ଆନ୍ଦୋଳନ ହୋଇ ଆସିଛି । ପଶ୍ଚିମବଙ୍ଗରୁ ଓଡିଶାକୁ ପ୍ରବେଶ କଲେ ଗେଟ୍ୱେ ଭାବେ ପରିଚିତ ଜଳେଶ୍ୱରରେ ଗ୍ରାମ ଉନ୍ନୟନ, ଉଠାଜଳସେଚନ ଓ ବିଦ୍ୟୁତ୍ ବିଭାଗର ଡିଭିଜନ, କୃଷି ବିଭାଗର ଜିଲା ଅଫିସ୍ ସହିତ ସହକାରୀ ସେସନ୍ ଜଜ୍ ଓ ସିଭିଲ୍ ଜଜ୍ କୋର୍ଟ, ଫେମିଲି ସର୍କିଟ କୋର୍ଟ ପ୍ରତିଷ୍ଠା ହୋଇ ସାରିଛି । ଏହା ବ୍ୟତିତ ପୁଲିସ୍ ସବ୍ଡିଭିଜନ ଅଫିସ୍, ପୁର୍ତ୍ତ ଜଳସେଚନ, ଜଳଯୋଗାଣ ଇତ୍ୟାଦି ସବୁ ବିଭାଗର ସବଡ଼ିଭିଜନ୍ ସ୍ତରୀୟ କାର୍ଯ୍ୟାଳୟ ରହିଛି । ପର୍ଯ୍ୟଟନ କ୍ଷେତ୍ରରେ ରାଇବଣିଆ ଦୁର୍ଗ, ରାୟମହାଶୟ ଗଡ, ତାଳସାରୀ ବେଳାଭୂମୀ, ଭକ୍ତକବି ଦୀନକୃଷ୍ଣଙ୍କର ଜନ୍ମ ପୀଠ, ଚନ୍ଦନେଶ୍ୱର – ଭୂଷଣ୍ଡେଶ୍ୱର ଶୈବ ପୀଠ ରହିଛି । ସୁବର୍ଣ୍ଣରେଖା, ଜଳକା ଓ ଚିତେଇ ନଦୀରେ ବନ୍ୟା ସହିତ ପଶ୍ଚିମ ବଂଗର ଉଦବୃତ୍ତ ବର୍ଷା ପାଣି ଉତ୍ତର ବାଲେଶ୍ୱରର ବଡ ପ୍ରାକୃତିକ ଦୁର୍ବିପାକ ଭାବେ ଦେଖା ଦେଇ ଆସୁଛି । ସର୍ବୋପରି ଜଳେଶ୍ୱର, ଭୋଗରାଇର ୮୨ଟି ଗ୍ରାମ ସହିତ ପଶ୍ଚିମବଙ୍ଗର ୯୧ଟି ଗ୍ରାମ ମଧ୍ୟରେ ସୀମା ବିବାଦ ରହିଥିବା ବେଳେ ୧୧ଟି ଗ୍ରାମର ସୀମା ବିବାଦ ଉତ୍କଟ ହୋଇଛି । ସୁବର୍ଣ୍ଣରେଖାର ୩ଟି ଫେରିଘାଟର ବିବାଦ ଅଦ୍ୟାବଧି ସମାଧାନ ହୋଇପାରିନାହିଁ । ଏପରିକି ୨ ରାଜ୍ୟର ସୀମାନ୍ତ ଅଂଚଳ ହୋଇଥିବାରୁ ସବୁବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏ ସବୁ ସମସ୍ୟା ନେଇ ଜଳେଶ୍ୱର ଅଂଚଳର ବହୁ ବୁଦ୍ଧିଜିବି ଓ ସମାଜ କଲ୍ୟାଣ ବିକାଶ ପରିଷଦର ସଂପାଦକ ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଜେନା ତଥା କେତେକ ସାମ୍ବାଦିକ ଶ୍ରୀ ଗମାଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜଳେଶ୍ୱରରେ ଆୟୋଜିତ ସୀମାନ୍ତ ମହୋତ୍ସବରେ ଯୋଗ ଦେବାକୁ ଆସିଥିବା ଶ୍ରୀ ଗମାଙ୍ଗକୁ ଏପରି ସମସ୍ୟା ସଂପର୍କରେ ଜଣାଇବାରୁ ସେ ସବ୍ଡିଭଜନ୍ ଘୋଷଣାକୁ ସମର୍ଥନ ଜଣାଇ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଓ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ବ୍ୟାପକ ସୀମା ସମସ୍ୟା ଦୂର, ଉପାନ୍ତରେ ଭାଷା ସାହିତ୍ୟର ସୁରକ୍ଷା ଓ ଦୈବିଦୁର୍ବିପାକ ତଥା ୨ ରାଜ୍ୟ ସମସ୍ୟା ଦୂର ଲାଗି ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଜଳେଶ୍ୱର ସବ୍ଡିଭିଜନ୍ ଘୋଷଣା କରୁରୀ ବୋଲି କହିଥିଲେ । ସେଠାରେ ଉପସ୍ଥିତ ଥିବା ପୂର୍ବତନ ମନ୍ତ୍ରୀ ତଥା ଏବର ଉଠାଜଳସେଚନ ନିଗମର ଅଧ୍ୟକ୍ଷ ରଘୁନାଥ ମହାନ୍ତି କହିଲେ ତାଙ୍କ ନେତୃତ୍ୱରେ ସମାଜ କଲ୍ୟାଣ ବିକାଶ ସଦସ୍ୟମାନେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତଙ୍କୁ ଏ ସଂପର୍କରେ ଲିଖିତ ଭାବେ ଜଣାଇବାରୁ ସେ ଡିଓ ନଂ ୧୩୨(ଆର୍) ତା ୩୦-୩-୧୬ରେ ମୁଖ୍ୟମନ୍ତ୍ରୀ ଓ ପ୍ରମୁଖ ସଚିବଙ୍କୁ ଜଣାଇଥିଲେ । ଫଳରେ ରାଜ୍ୟ ଷ୍ଟେଡିଂ କମିଟିର ଅଧ୍ୟକ୍ଷ ଡ. ଚନ୍ଦ୍ରଶେଖର କୁମାରଙ୍କ ପୌରହିତ୍ୱରେ ବସିଥିବା କମିଟି ଶେଷ ଥର ପାଇଁ ୧୪ଟି ନୂତନ ସବଡ଼ିଭିଜନ ପ୍ରତିଷ୍ଠା ଲାଗି ରିପୋର୍ଟ ପ୍ରଦାନ କରିଥିଲା ବେଳେ ସେଥିରେ ଜଳେଶ୍ୱର ରହିଥିବା ଦର୍ଶାଇଥିଲେ । ସେ ଦିନର ଆଲୋଚନା ପରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା