ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢିଚାଲିଥିବାରୁ ଏଥିନେଇ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ୧୬ତାରିଖରୁ ଅଦ୍ୟାବଧି ୨୧ଜଣ ଡେଙ୍ଗୁରୋଗୀ କଟକ ଓ ବାଲେଶ୍ୱରରେ ଚିକିତ୍ସିତ ହେଉଥିବା ଜଣା ଯାଇଛି । ଏଥିରୁ କେବଳ ମହମ୍ମଦନଗରପାଟଣାରେ ୧୧ ଜଣ ରୋଗି ଚିହ୍ନଟ ହୋଇଥିବାରୁ ଗ୍ରାମବାସୀମାନେ ବାଲେଶ୍ୱର ଜିଲାପାଳଙ୍କୁ ଭେଟି ପରିସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି । ଚଳିତବର୍ଷ ଡେଙ୍ଗୁରୋଗୀ ସଂଖ୍ୟା ଆଶାତିତଭାବରେ ବଡିଚାଲୁଥିବାର ଦେଖିବାକୁ ମିଳିଛି । ବାହାର ରାଜ୍ୟରେ ଥାଇ କାର୍ଯ୍ୟ କରୁଥିବା କେତେକ ଯୁବକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସତ ହେଉଥିବା ବେଳେ ଅନ୍ୟ କେତେକ ଗାଁରେ ମଧ୍ୟ ଏହି ରୋଗ ବ୍ୟାପୁଥିବାରୁ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥାର କାରଣ ହୋଇଛି । ଏକ ସର୍ଭେରୁ ପ୍ରକାଶ ଅଦ୍ୟାବଧି ମହମ୍ମଦନଗରପାଟଣାର ପଂଚାୟତର ନୂଆଗାଁ ପାଟଣା ଗାଁରେ ୧୧ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଗାଁର ଏକ ନିର୍ଦ୍ଦିଷ୍ଟ ରାସ୍ତା ବେହେରାସାହି ଅଂଚଳରେ ଏହି ରୋଗ ବ୍ୟାପି ଚାଲିଥିବାର ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ ଓ ମୋହନ ଲାଲ ମହାନ୍ତିଙ୍କ ଠାରୁ ସୂଚନା ମିଳିଛି । ଅଦ୍ୟାବଧି ଏହି ଗାଁର ସସ୍ମିତା ବେହେରା, ଶାନ୍ତିରାମ ଚାନ୍ଦ, ମିନାକ୍ଷୀ ମହଲା, ରବିନ୍ଦ୍ର ବାରିକ, ମୃତ୍ୟଞ୍ଜୟ ବେହେରା ଓ ବିଜୟ ବେହେରା ପ୍ରମୁଖ ଚିକିତ୍ସାଧିନ ଥିବା ବେଳେ ଆଜି ସତ୍ୟଶିବମ୍ ବାରିକ, ଲିପୁନ୍ ରାଜ ବେହେରା, ଶାନ୍ତିଲତା ସାହୁ ଓ ଅଙ୍କିତ ମହଲାଙ୍କ ରକ୍ତ ପରୀକ୍ଷାରେ ଡେଙ୍ଗୁ ରୋଗ ଥିବାର ଜଣାଯାଇଛି । ରାଜନଗର ଗାଁର ହରିଶ ବେହେରା, ଶିଖରପୁରର ବିକ୍ରମ ଦତ୍ତ, ଗୋପ ଗାଁର ମୁନା ସିଂ, ଗୋବର ଘଟା ଗାଁର କାଳିଚରଣ ଦାସ, ଆମ୍ବଳିଅଠା ଗାଁର ଦୀପକ କର, ଖାଲିନା ଗାଁ ରାକେଶ ଭୂୟାଁ ରୋଗରେ ପିଡିତ ଥିବାର ଜଣାଯାଇଛି । ସେମାନଙ୍କ ବ୍ୟତିତ ବଜାରଶୋଳ, ବାଣିଦା, ରାୟାଁରାମଚନ୍ଦ୍ରପୁର ଓ ବିରିଶପୁରର ଜଣେଲେଖାଏଁ ରୋଗୀ କଟକରେ ଚିକିତ୍ସତ ହେଉଥିବା ଡା. ନାୟକ ପ୍ରକାଶ କରିଛନ୍ତି । ଏହି ଗାଁକୁ ଡା ନାୟକ ୨ଥର , ଡା ମୋହନଲାଲ ମହାନ୍ତି ୪ଥର, ପିଏଚ୍ଇଓ ଫକୀର ଚରଣ ପ୍ରଧାନ ୩ଥର ଓ ଅନ୍ୟାନ୍ୟ ଆଶା, ଅଙ୍ଗନୱାଡି କର୍ମୀମାନେ ଯାଇ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଗାଁରେ ବିଶେଷ ପ୍ରଭାବ ପଡୁନାହିଁ । ତେଣୁ ଗ୍ରାମବାସୀମାନେ ନିଜେ ସଚେତନ ହୋଇ ଘର ଚାରିପଟେ ଆବର୍ଜନା ହଟାଇବା ସହ ଜମୁଥିବା ପାଣିକୁ ଶୁଖାଇବା ଓ ମଶାରୀ ଟାଙ୍ଗି ଶୋଇବା ସହିତ ଜ୍ୱର ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ଡାକ୍ତର ଓ ସିଡିଏମଓ ପ୍ରକାଶ କରିଛନ୍ତି । ଗ୍ରାମର ରୋଗୀ ସଂଖ୍ୟା କ୍ରମାଗତଭାବେ ବଢୁଥିବାରୁ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ସମାଜସେବୀ ରାଧାଶ୍ୟାମ ସାହୁଙ୍କ ନେତୃତ୍ୱରେ ଗ୍ରାମର ଉତ୍ତମ ଦାସ, କୁମାର ବେହେରା, ଅଜୁ ବେହେରା, ଅପୁ ନାୟକ ପ୍ରମୁଖ ଆଜି ଜିଲାପାଳଙ୍କୁ ଭେଟି ଅବସ୍ଥା ସଂପକରେ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ସମସ୍ୟା ସଂପକରେ ସମାଧାନ ହେବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା