ଜଳେଶ୍ୱରରେ ସାର୍ବଜନନୀ ରାଧାକୃଷ୍ଣଙ୍କ ମାଘି ରଥ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ପେଣ୍ଡରାସାହି ଗାଁରେ ବୁଧବାର ରାଧାକୃଷ୍ଣଙ୍କ ମାଘି ରଥ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୦ବର୍ଷ ଧରି ୧୯୭୨ ମସିହାଠାରୁ ପ୍ରତିବର୍ଷ ଏହି ଉତ୍ସବ ଏଠାରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣାରେ ସୀମିତି ଭକ୍ତଙ୍କ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ୧୦ଜଣ ଛୋଟ ଛୋଟ ପିଲାଙ୍କୁ ରାଧାକୃଷ୍ଣ ବେଶରେ ସଜାଇ ଗ୍ରାମ ପରିକ୍ରମା କରାଯାଇଥିଲା । ମାଘମାସରେ ଏପରି ରଥ ଅନୁଷ୍ଠିତ ହେଉଥିବାରୁ ଏହାକୁ ମାଘିରଥ ବୋଲି କୁହାଯାଏ । ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ରଜତ୍ ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ବୃନ୍ଦାବନ ବେହେରା, ସମ୍ମାନୀତ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେଶଚନ୍ଦ୍ର ରାଉଳ, ସାମ୍ବାଦିକ ଅମର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ମାଘିରଥର ସଂସ୍କୃତି ଓ ଉପାଖ୍ୟାନ ସମ୍ପର୍କରେ କହିଥିଲେ । ଇଂ ବ୍ରଜେନ୍ଦ୍ର ନାଥ ଘୋଷ ସଭାପତିତ୍ୱ କରିଥିବା ବେଳେ ନବକୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରଜକାନ୍ତ ଦାସଙ୍କ ରଚିତ ଇତିହାସର ଆଇନା ପୁସ୍ତକ ଉନ୍ମୋଚନ ଅତିଥିମାନେ ଉନ୍ମୋଚନ କରିଥିଲେ । ଗୌରାଙ୍ଗ ଚରଣ ଦାସ ଛେରାପହଁରା କରିଥିବା ବେଳେ ବ୍ରଜକାନ୍ତ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏପରି ଉତ୍ସବ ଦେଖିବା ଲାଗି ବହୁ ଭକ୍ତ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା