ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶ ସ୍ୱାଧୀନତା ଆଣିବାରେ କଂଗ୍ରେସ ଯେଉଁ ଲକ୍ଷ୍ୟ ଓ ଚିନ୍ତନ ରଖିଥିଲା ଏବେ ତାହା ଦିଗହରା ହୋଇଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଅଣନାତି ତଥା ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ଖଣି ମାଫିଆଙ୍କ କବ୍ଜାରେ ରହିଥିବାରୁ ସେ ସର୍ବଭାରତୀୟ ସ୍ତରରେ ଦେଶର ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ହରାଇଥିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏଠାକାର ଏକ ନିର୍ବାଚନୀ ସଭାରେ ପ୍ରକାଶ କରିଛନ୍ତି । ଏବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଳେଶ୍ୱରରେ ବିଭିନ୍ନ ରାଜନୈତକି ଦଳ ପକ୍ଷରୁ ଜୋର୍ଦାର ନିର୍ବାଚନୀ ପ୍ରଚାର ଓ ରୋଡ ସୋ ମାନ ଅନୁଷ୍ଠିତ ହେଉଥିବା ବେଳେ ଆଜି ନିର୍ବାଚନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ଜଳେଶ୍ୱର ମାଟିର ପୁଅ ମଧୁସୂଦନ ଦାସଙ୍କ ରୋଡ ସୋ ଦେଖି ଅନ୍ୟ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ଓ ସମର୍ଥକ ଚକିତ ହୋଇଛନ୍ତି । ଏହି ରୋଡ ସୋ ରାଜପୁର ଠାରୁ ଆରମ୍ଭ ହୋଇ ଜଳେଶ୍ୱର ସହରା ପରିକ୍ରମା କରିଥିଲା । ଅପରାହ୍ନରେ ବାଘାବାଳୀଠାରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଶ୍ରୀ ଜେନା ଏବେର ପ୍ରଦେଶ କଂଗ୍ରେସ ଖଣି କଂଗ୍ରେସରେ ପରିଣତ ହେବା ସଂଗେ ସଂଗେ ସେଥିରେ ବାପ ପୁଅର ରାଜ ଚାଲିଥିବା ପ୍ରକାଶ କରିଛନ୍ତି । ଆସନ୍ତା ନିର୍ବାଚନ ଫଳା ଫଳ ଘୋଷଣା ହେଲାପରେ ଦେଶରେ ନରେନ୍ଦ୍ର ମୋଦି କିମ୍ବା ରାହୁଲ ଗାନ୍ଧି ପ୍ରଧାନ ମନ୍ତ୍ରୀ ନ ହୋଇ ତୃତୀୟ ସାମୁଖ୍ୟ ନେତା ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ବିଗତ ୫ବର୍ଷ ମଧ୍ୟରେ ତାଙ୍କର ବାଲେଶ୍ୱର ସାଂସଦ ହିସାବରେ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଂପୂର୍ଣ୍ଣ ବିବରଣୀ ଶ୍ରୀ ପ୍ରଦାନ କରିବା ସଂଗେ ସଂଗେ ଯୁବନେତା ମଧୁସୂଦନ ଦାସଙ୍କୁ ଟିଭି ଚିହ୍ନରେ ବିଜୟ କରିବା ପାଇଁ ସେ ନିବେଦନ କରିଥିଲେ । ପୂର୍ବତନ ସରପଂଚ ପ୍ରଶାନ୍ତ ପ୍ରଧାନଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦ, ରାଜପୁର ସରପଂଚ ଦିଲ୍ଲିପ ପରିଡା, ଝୁନା ପରିଡା, ସଂଜୀବ ପ୍ରଧାନ, ଉତ୍ତମ ପାତ୍ର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ଜଳେଶ୍ୱରର ସାମଗ୍ରୀକ ବିକାଶ ପାଇଁ ସ୍ୱାଧୀନ ପ୍ରାର୍ଥୀ ମଧୁସୂଦନ ଦାସଙ୍କୁ ଜୟଯୁକ୍ତ କରିବାପାଇଁ ସେମାନେ ନିବେଦନ କରିଥିଲେ । ପ୍ରାର୍ଥୀ ଶ୍ରୀ ଦାସ ଜଳେଶ୍ୱର ବାସୀ ତାଙ୍କୁ ଥରେମାତ୍ର ସୁ ଯୋଗ ଦେଲେ ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ଜିଲା କଂଗ୍ରେସ କମିଟିର ସଂଖ୍ୟାଲଘୁ ସେଲ୍ର ସଭାପତି ଆକବର ସାହା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା