ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଦ୍ୟାବଧି ଜଳେଶ୍ୱର ବ୍ଲକ ଅଂଚଳରେ ମୋଟ ଡେଙ୍ଗୁ ରୋଗୀ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ କେବଳ ମହମ୍ମନଗରପାଟଣା ଗାଁରେ ଏହା ୧୭ରେ ପହଞ୍ଚିଛି । ଦୁଃଖର ବିଷୟ ଜଳେଶ୍ୱର ଅଂଚଳର ଜଣେ ଡେଙ୍ଗୁ ରୋଗୀର ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଛି । ଆଜି ମହମ୍ମଦନଗରପାଟଣା ଗାଁର ବିଷ୍ଣୁ ପ୍ରସାଦ ଚନ୍ଦ, ସୁଭଶ୍ରୀ ଚନ୍ଦ ଓ ନରେନ୍ଦ୍ର ଚନ୍ଦର ରକ୍ତ ନମୁନାରୁ ଡେଙ୍ଗୁଥିବା ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ଏହି ଗାଁରେ ଅନ୍ୟ ୧୪ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଓ କଟକରେ ଚିକିତ୍ସତ ହେଉଛନ୍ତି । ଏହି ଗାଁରେ ରୋଗ ବାହକର ଅବସ୍ଥିତି ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ସବିଶେଷ ତଥ୍ୟ ଦେଇପାରୁନଥିବା ପ୍ରକାଶ । ସମଗ୍ର ବ୍ଲକ ଅଂଚଳରେ ଅନ୍ୟ ୧୭ଜଣ ଡେଙ୍ଗୁରୋଗୀ ଥିବାର ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ମହମ୍ମଦନଗରପାଟଣା ବ୍ୟତିତ ରାଜନଗର, ଶିଖରପୁର, ଗୋପ, ବଜାରଶୋଳ, ଆମ୍ବଳିଅଠା, ଖାଲିନା, ବାଣିଦା, ରାୟାଁରାମଚନ୍ଦ୍ରପୁର ଓ ବିରେଶପୁର ଗ୍ରାମରେ ଏହି ରୋଗୀ ଥିବାର କୁହାଯାଇଛି । ଆଜି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖାଲିନା ପଂଚାୟତର ଇକିଡା ଗାଁର ଚନ୍ଦନ ଓରଫ ନିତ୍ୟଗୋପାଳ ଦାସ(୨୮)ଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ହାଇଦ୍ରାବାଦର ସୁଚିତ୍ରାସ୍ଥିତ ତିରୁମଲ୍ଲାପୁରମର ଏକ ରେଷ୍ଟୁରାଣ୍ଟରେ କାର୍ଯ୍ୟକରୁଥିଲା । ସେଠାରେ ଅସୁସ୍ଥଧ ହେବାରୁ ୫ଦିନ ପୂର୍ବେ ସେଠାକାର ଏକ ଚିକିତ୍ସାଳୟରେ ଭର୍ତ୍ତୀ ହୋଇଥିଲେ ମଧ୍ୟ ଗତ ରବିବାର ପୂର୍ବାହ୍ନରେ ତାର ମୃତ୍ୟୁ ଘଟିଥିଲା । ଆଜି ତା ଗାଁକୁ ମୃତ ଶରୀର ଆସୁଥିବାରୁ ଚାରିଆଡେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ୪ମାସ ତଳେ ତାର ବିବାହ ସମ୍ପନ୍ନ ହୋଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା